Unknown

 

 

 

 

 

 

 

 

 

 

 

ସୀମାରେଖାର ପରପାରେ

ମନୋରଞ୍ଜନ ସାମଲ

 

ଉତ୍ସର୍ଗ

 

ଦୁନିଆ କ୍ଷଣଭଙ୍ଗୁର । ଏଇ ଚିରସୁନ୍ଦର ପୃଥିବୀ ଉପରୁ ପ୍ରତିଦିନ ଅନେକ ବିଦାୟ ନେଉଛନ୍ତି । କିନ୍ତୁ ଯେଉଁମାନେ ଜୀବନର ସମ୍ବଳ ସ୍ନେହ ଟିକକ ଦେଇ ଯାଇଛନ୍ତି, ତାହା ଭୁଲି ହୁଏନା । ସେଇମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ–

 

ମନୋରଞ୍ଜନ

Image

 

ନିଜ କଥା

 

ସାହିତ୍ୟ ସେବାପାଇଁ ମନରେ ଦୃଢ଼ସଂକଳ୍ପ ଲୋଡ଼ା । ଇଞ୍ଜିନିୟରର କର୍ମବହୁଳ ଜୀବନରେ ଯେ ଏ କେତେଦୂର ସମ୍ଭବ ହେବ, ତାହା ଭାବିବାର କଥା ।

 

“ମନ ଥିଲେ, ଉପାୟ ଦେଖାଯାଏ”, ଏହି କଥା ଉପରେ ବିଶ୍ୱାସ ରଖି ଆଗେଇବାର ବାସନା ଅଛି । ଭବିଷ୍ୟତ ଅନ୍ଧକାର, ସେ ବିଷୟରେ କିଛି କହି ହେବନି । କିନ୍ତୁ ଏ ବୈଜ୍ଞାନିକ ଯୁଗରେ ମଣିଷ ଆଶାବାଦୀ ହେବାକୁ ହିଁ ଶିଖିଛି । ତା’ ନ ହେଲେ, ଆଜିର ମଣିଷ ଚନ୍ଦ୍ରଲୋକରେ ଜମି କିଣନ୍ତାନି । ଆଶାହିଁ ଆମକୁ ବଞ୍ଚାଇ ରଖିବ । କର୍ତ୍ତବ୍ୟରେ ଯେ କେତେଦୂର କୃତକାର୍ଯ୍ୟ ହେବା, ସମୟ ତା’ର ପ୍ରମାଣ ଦେବ ।

 

ବର୍ତ୍ତମାନ ଯୁଗର ଲେଖକଙ୍କର ଦୃଷ୍ଟିଭଙ୍ଗୀ ବଦଳିଛି । କର୍ତ୍ତବ୍ୟ ହୋଇଛି ବହୁମୁଖୀ । ଚିନ୍ତା-ରାଜ୍ୟରେ ଭ୍ରମଣ କରି କେବଳ କଳାକୁଶଳତା ଦେଖାଇବାର ସମୟ ଯାଇଛି । ମାନବ ସମାଜ ବିଭିନ୍ନ ସମସ୍ୟାର ସମ୍ମୁଖୀନ । ସେସବୁ ସମସ୍ୟା ସମାଧାନର ପଥ ପ୍ରଦର୍ଶକ ହେବେ ଲେଖକମାନେ । ସମାଜରେ ସଂସ୍କାର ଆସିବ, ଆଉ ସୃଷ୍ଟି ହେବ, ସେହି ପରିକଳ୍ପିତ ରାମରାଜ୍ୟ । ହୁଏତ ସେ ସୁଦିନ ଖୁବ୍ ନିକଟ । ଏଇ ବିରାଟ ଲକ୍ଷ୍ୟକୁ ସମ୍ମୁଖରେ ରଖି ଆମେ ଆଗେଇବା ।

 

ଗଳ୍ପଗୁଡ଼ିକର ସାର୍ଥକତା ପାଠକମାନେ ହିଁ ବିଚାର କରିବେ । ଗାଳ୍ପିକବନ୍ଧୁ ଶ୍ରୀ ରାଜକିଶୋର ମହାନ୍ତି କଷ୍ଟ ସ୍ଵୀକାର କରି ତାଙ୍କର ବହୁମୂଲ୍ୟ ସମୟ ଦେଇ ଗଳ୍ପଗୁଡ଼ିକ ପାଠକରି ଯଥେଷ୍ଟ ପ୍ରେରଣା ଦେଇଛନ୍ତି । ତାଙ୍କ ନିକଟରେ ମୁଁ କୃତଜ୍ଞ । ପ୍ରକାଶକ “ସାଥୀ ମହଲ”ର ବନ୍ଧୁଦ୍ଵୟଙ୍କୁ ଅନ୍ତରର ସ୍ନେହ ଜଣାଇବା ବ୍ୟତୀତ ଆଉ କିଛି ନାହିଁ । ଇତି ।

 

ଭୁବନେଶ୍ୱର

ଲେଖକ

ତା୨୦/୯/୬୪

 

Image

 

ସୂଚିପତ୍ର

 

୧.

ସୀମାରେଖାର ପରପାରେ

୨.

ରାଜପଥର ଦୃଶ୍ୟ

୩.

ଛକମୁଣ୍ଡ ସର୍କସ୍

୪.

କୁକୁଡ଼ା ଚାଷ

୫.

ରାଜଧାନୀରେ ନୂଆଘର

୬.

ବନ୍ଧନ

୭.

ଠିକାଦାର

୮.

ଚପଳ ମନ

୯.

ସଂଗ୍ରାମ

୧୦.

ମିନିର ପୁଷି ବିରାଡ଼ି

୧୧.

କଳାକୃଷ୍ଣ

୧୨.

ଅମର ପଥର ଯାତ୍ରୀ

Image

 

ସୀମାରେଖାର ପରପାରେ

 

ଭାରତ ପଶ୍ଚିମ ପଟର ସୀମାରେଖା, ସେଇଠୁ ପାକିସ୍ଥାନ ଆରମ୍ଭ । ଗୋଟାଏ ଦେଶ ଦୁଇଭାଗ । ସୀମାରେଖାର ପାଖେ ପାଖେ ରହିଛନ୍ତି ଦୁଇ ଦେଶର ଜଗୁଆଳ । ସମସ୍ତଙ୍କର ସତର୍କ ଦୃଷ୍ଟି, କେହି ଯେପରି ଅନଧିକାର ପ୍ରବେଶ ନ କରନ୍ତି ।

 

ସେବା ସିଂହ ସୀମାରେଖାର ଜଣେ ଜଗୁଆଳ । ସୈନ୍ୟ ବିଭାଗରେ ଅନେକ ଦିନ ହେଲା ଚାକିରି କଲାଣି । ବୟସ ଚାଳିଶ ଟପିଲାଣି–କଳା ଦାଢ଼ି ଆସି ଧଳା ହେବାକୁ ବସିଲାଣି । ମନର ବଳ କମି ନାହିଁ, ଦେଶ ପ୍ରୀତି ଦିନକୁ ଦିନକୁ ବୃଦ୍ଧି ପାଉଛି । ଦେଶର ଭାଗ୍ୟ ଡୋରି ସେଇମାନଙ୍କ ହାତରେ । ସୈନ୍ୟ ବିଭାଗରେ ପ୍ରବେଶ କଲାଦିନୁ ଶପଥ ସେ ନେଇଛି, ପ୍ରାଣ ଦେବ, ଶତ୍ରୁ ହାତରୁ ଦେଶରକ୍ଷା କରିବ, ଏଇ ହେଲା ଜୀବନର ବ୍ରତ ।

 

ବଡ଼ କର୍ତ୍ତବ୍ୟନିଷ୍ଠ ସେବା ସିଂହ । ସବୁବେଳେ ଦେଶ ଚିନ୍ତା । ଦେଶପାଇଁ ଜୀବନ ଦେବାକୁ ସେ ସବୁବେଳେ ପ୍ରସ୍ତୁତ । ନିଜ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା । ଏଥିପାଇଁ ସରକାର ତାକୁ ପୁରସ୍କୃତ ମଧ୍ୟ କରିଛନ୍ତି । ତା’ ଜଗିବା ଅଞ୍ଚଳରେ କେବେ କୌଣସି ଗଣ୍ଡଗୋଳ ହୋଇନାହିଁ ।

 

ଆଜିକାଲି ସୀମାରେଖା ଉପରେ ବିଶେଷ ନଜର ଦେବା କଥା । ପଡ଼ୋଶୀ ହୋଇଛି ଶତ୍ରୁ, ଶାଗ ଖିଆକୁ ପେଜଖିଆ ଦେଖି ପାରୁନି । ଭାରତ ସାଙ୍ଗରେ ଶତ୍ରୁତା କରୁଛି ପାକିସ୍ଥାନ, ସୁବିଧା ପାଇଲେ ଅନିଷ୍ଟ କରିବ । ପରଶ୍ରୀକାତର ଚୀନ୍ ସହିତ ପାକିସ୍ଥାନର ବନ୍ଧୁତା । ଶାନ୍ତିପ୍ରିୟ ଭାରତ ଉପରେ ସେ ଛୁଟାଇବେ ରକ୍ତର ସୁଅ, ଦୁଇ-ବନ୍ଧୁଙ୍କର ଲକ୍ଷ୍ୟ ଏକ ।

 

ସୀମାରେଖା ନିକଟରେ ଅନେକ ମୁସଲମାନ ବସ୍ତି ଅଛି । ହିନ୍ଦୁମାନଙ୍କ ସହିତ ସେମାନେ ମିଶି ଚଳନ୍ତି । ଦେଶ ବିଭାଗବେଳେ ସେମାନେ ରହିଲେ ହିନ୍ଦୁସ୍ଥାନରେ । ଧର୍ମ ନିରପେକ୍ଷ ଭାରତ ନିଜର କରିଛି ସମସ୍ତଙ୍କୁ । କାହାରି ପ୍ରତି ହିଂସା ନାହିଁ । ବୁଦ୍ଧ ଓ ଗାନ୍ଧୀଙ୍କ ଦେଶ । ପରମ୍ପରା ରହିଛି, ଗୋଟିଏ ଗାଲରେ ମାଡ଼ ଖାଇ ଆର ଗାଲ ଦେଖାଇବେ–ସେଇ ହେଲା ବୈଶିଷ୍ଟ୍ୟ ।

 

ସେବାସିଂହ ପାଖକୁ ନିକଟବର୍ତ୍ତୀ ବସ୍ତିରୁ ମୁସଲମାନ ଆସନ୍ତି । ବଡ଼ ନେହୁରା ହୁଅନ୍ତି, ସେମାନେ ଗରିବ ଲୋକ, ମସ୍‍ଜିଦ କରିପାରି ନାହାନ୍ତି, ପ୍ରାର୍ଥନା କରିବାକୁ ପାକିସ୍ଥାନ ମଧ୍ୟକୁ ଯିବେ-। ଅଳ୍ପ ସମୟ ପରେ ଫେରିବେ, ସୀମାରେଖା ଡେଇଁବା ଦରକାର । ଦେଶରକ୍ଷୀର ମନ ତଟେ, କାହାରି ଧର୍ମ୍ମ ପ୍ରତି ହସ୍ତକ୍ଷେପ କରିବା ନୀତି ବିରୁଦ୍ଧ । ସେବାସିଂହ ଅନୁମତି ଦିଏ, ମୁସଲମାନମାନେ ମସ୍‍ଜିଦକୁ ଯାଆନ୍ତି ।

 

ପ୍ରାର୍ଥନା କେବେ ସରେ ଜଣାଯାଏନା । ମୁସଲମାନମାନେ ଫେରନ୍ତି, ସାଙ୍ଗରେ ଆଣନ୍ତି ସୁନା, ଗୁପ୍ତଭାବରେ ବ୍ୟବସାୟ କରିବେ । ଧରା ପଡ଼ନ୍ତି । ସେବାସିଂହର ମନ ବିରକ୍ତ ହୋଇଯାଏ । ଦୟା ଦେଖାଇଲେ ସେମାନେ ତା’ର ମୂଲ୍ୟ ବୁଝୁନାହାନ୍ତି । ସେବାସିଂହ ଅନେକ ସମୟରେ ବସି ଭାବେ, ସତେ ଏ ମୁସଲମାନମାନେ କ’ଣ ? ଯେତେ ଚେଷ୍ଟାକଲେ ସେମାନେ ନିଜର ହେଉ ନାହାନ୍ତି, ସବୁବେଳେ ସେଇ ଖାପଛଡ଼ା ଭାବ । ଅଣ୍ଟିରେ ଥାଇ ମଧ୍ୟ ତଣ୍ଟି କାଟିଦେବେ । ତେଣୁ ତାଙ୍କ ଉପରେ ସବୁବେଳେ କଡ଼ା ଦୃଷ୍ଟି ।

 

ମୁସଲମାନମାନେ ପୁଣି ଆସନ୍ତି, ବିଭିନ୍ନ ରକମ ପେଖନା କରନ୍ତି । ସେହି କାକୁତି ମିନତି । ବନ୍ଧୁଙ୍କୁ ଦେଖା କରିବେ କିମ୍ଵା କୌଣସି ରୋଗୀକୁ ଦେଖିବେ ଇତ୍ୟାଦି ଇତ୍ୟାଦି । ସେବାସିଂହ ସୈନିକ, ତଥାପି ତ ମଣିଷର ହୃଦୟ । କାନ୍ଦ କାନ୍ଦ ମୁହଁକୁ ଦେଖିପାରେନା । ଅଧଘଣ୍ଟା କିମ୍ଵା ଘଣ୍ଟାକ ପାଇଁ ସେମାନେ ସୀମାରେଖା ପାରିହୋଇ ଯାଆନ୍ତି ।

 

ଅନେକ ସମୟରେ ମୁସଲମାନ ସ୍ତ୍ରୀଲୋକମାନେ ଆସି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ମାଗନ୍ତି । ସେମାନଙ୍କୁ ଦେଖିଲେ ସେବାସିଂହର ଘର କଥା ମନେପଡ଼େ । ଦୂର ମଫସଲ ଗାଁରେ ସ୍ତ୍ରୀ ପିଲାଙ୍କୁ ଛାଡ଼ି ଆସିଛି । ଦେଶର ଘଡ଼ିସନ୍ଧି ବେଳ, ଶତ୍ରୁଙ୍କର ପଇଁତରା ଓ ବାରମ୍ବାର ଆକ୍ରମଣ । ଘରକୁ ଯିବାକୁ ଛୁଟି ମିଳେନା । ବଡ଼ ପୁଅ କଲେଜରେ ପଢ଼େ । ବଡ଼ଝିଅର ବିବାହ ବୟସ ହେଲାଣି, ସ୍ତ୍ରୀ ବାରମ୍ଵାର ଲେଖୁଛି ପାତ୍ର ଖୋଜିବା ପାଇଁ । କିନ୍ତୁ ତା’ କରିବା ପାଇଁ; ଏ ଦୂର ସୀମାନ୍ତ ରେଖାରେ କେଉଁଠି ବା ସମ୍ଭବ ହେଉଛି ? ସେଥିପାଇଁ ପୁଣି ଟଙ୍କା ଦରକାର, ଦରମାରେ ସେ ବେଶ୍ ଚଳି ଯାଉଛି । ମାସକୁ ମାସ ଘରକୁ ମଧ୍ୟ ଟଙ୍କା ପଠାଇବାକୁ ହେଉଛି । ଏ ବିବାହ ବ୍ରତ ପାଇଁ ଟଙ୍କା ସଞ୍ଚୟ କରିବା ବଡ଼ କଷ୍ଟ । କେବେ କେମିତି ଏ ଚିନ୍ତା ମୁଣ୍ଡକୁ ଆସେ, ସେ ସବୁ ଭୁଲି ପୁଣି ଲାଗନ୍ତି ଦେଶ କାମରେ ।

 

ପାକିସ୍ଥାନବାସୀଙ୍କର ଖୁବ୍ ଚେଷ୍ଟା ସେବାସିଂହକୁ ଅକ୍ତିଆରରେ ରଖିବେ । ଗଫୁର୍‍ ଖାଁ, ଗୁଣ୍ଡା ସର୍ଦ୍ଦାର । ସେବା ସିଂହକୁ ଅନେକ ଲୋଭ ଦେଖାଉଛି । ଟଙ୍କା, ସୁନା ଯାହା ଚାହିଁବେ, ସବୁ ଦିଆଯିବ; କିନ୍ତୁ ସେବାସିଂହ ସେମାନଙ୍କୁ ଭାରତ ଭିତରକୁ ଆସିବାକୁ ବାଧା ଦେବ ନାହିଁ । ରାତିରେ ମୁସଲମାନମାନେ ଆସିବେ, ଲୁଟ୍‍ତରାଜ କରି ଫେରିବେ ।

 

ଭାବନା ଆସେ, ମନରେ ଦ୍ଵନ୍ଦ୍ୱ ଉଠେ, ସେବାସିଂହ ବିଚଳିତ ହୋଇପଡ଼େ । ଗୋଟିଏ ଦିଗରେ ଦେଶ, ଜାତି ଓ କର୍ତ୍ତବ୍ୟ । ଅନ୍ୟ ଦିଗରେ ଅର୍ଥର ମାୟା । ସେ କିଛି ଉତ୍ତର ଦେଇପାରେନା ।

 

ସେ ଗୋଟାଏ ରାତି । ଖୁବ୍ ଗୋଟାଏ ବଡ଼ ଅସରା ମେଘ ହୋଇ ଯାଇଛି । ଆକାଶ କଳା ବାଦଲରେ ଭରା । ସେବାସିଂହ ବର୍ଷାତି ପିନ୍ଧି ପହରା ଦେଉଛି । ମନ ଓ ଦେହରେ ଗୋଟାଏ ଅଳସଭାବ । ନିଶା ଗର୍ଜୁଛି, ଗଫୁର୍‍ ଖାଁ ଆସିଲା । ସାଙ୍ଗରେ ଦଶଜଣ ଗୁଣ୍ଡା । ଛୁରା, ବନ୍ଧୁକ, ଲାଠି ଧରି ଚାଲିଛନ୍ତି । କଳା ପୋଷାକ ଭିତରେ ନିଜକୁ ଲୁଚାଇ ରଖିଛନ୍ତି । ନିରୀହ ଲୋକଙ୍କ ପ୍ରାଣ ନେଇ ତାଙ୍କ ବୀରତ୍ଵର ପରିଚୟ ଦେବେ ।

 

ସେବାସିଂହ ଆଖିରେ ପଡ଼ିଲେ ଦସ୍ୟୁଦଳ । ସାଙ୍ଗେ ସାଙ୍ଗେ ସଙ୍କେତ ଦେଇ ସେମାନଙ୍କୁ ଆଗେଇବାକୁ ବନ୍ଦ କଲା । ଗଫୁର୍‍ ଖାଁ ପାଖକୁ ଆସିଲା । ପୁଡ଼ିଆଟି ଖୋଲି ସେବାସିଂହ ଆଗରେ ଅଜାଡ଼ି ଦେଲା । ମୁଣ୍ଡା ମୁଣ୍ଡା ସୁନା, ଚକ୍ ଚକ୍ ହୋଇ ବେଶ୍ ବାରି ହୋଇ ପଡ଼ୁଛନ୍ତି ମାଟି ଉପରେ । ସେବାସିଂହ ଆଖି ଆଗରେ ଘରର ଚିତ୍ର ଦେଖାଗଲା । ଝିଅ ବାହାଘର, ପୁଅ ପଢ଼ିବ, ଟଙ୍କା ଦରକାର । ମନ ଭିତରେ ତା’ର ତୁମୂଳ ଝଡ଼ । ସେ କିଛି ଉତ୍ତର ଦେଇପାରୁ ନାହିଁ ।

 

ଗଫୁର୍‍ ଖାଁ ପାଖରୁ ଆସିଲା ଆଦେଶ, ଡାକୁଦଳ ଭାରତ ଭିତରେ ପଶିଲେ । ସେବାସିଂହ ମୂକ ହୋଇ ଠିଆ ହୋଇଛି, ଆଖି ତା’ର ରହିଛି ସୁନା ମୁଣ୍ଡା ଉପରେ ।

 

ପାହାନ୍ତି ପହର, ସେବାସିଂହ ଚିନ୍ତାମଗ୍ନ । ଭାବୁଛି ସେ–କ’ଣ କଲା । କର୍ତ୍ତବ୍ୟକୁ ସେ ଭୁଲିଲା କାହିଁକି ? ଏ ପ୍ରଶ୍ନର ଉତ୍ତର କିଛି ମିଳୁନି । ହଠାତ୍‍ ତା’ ଚିନ୍ତାରେ ବାଧା ଆସିଲା । କାହାର ଚିତ୍କାରରେ ସେ ଜାଗି ଉଠିଲା । ଡକାୟତ ଦଳ ଫେରୁଛନ୍ତି, କାହାକୁ ଗୋଟିଏ ଟାଣି ଟାଣି ଆଣୁଛନ୍ତି-। ସେ କାନ୍ଦୁଛି, ତା’ର ଆର୍ତ୍ତନାଦରେ ପାଷାଣ ହେଲେ ବି ତରଳିବ । ସେ ଭଗବାନଙ୍କୁ ଡାକୁଛି ତାକୁ ରକ୍ଷା କରିବା ପାଇଁ । ଜଣାପଡ଼ିଲା ନିଶ୍ଚୟ ସେ ହିନ୍ଦୁ ଝିଅଟିଏ । ତେଣୁ ଆଲ୍ଲାଭକ୍ତ ତା’ର କରୁଣ ପ୍ରାର୍ଥନା ଶୁଣୁନାହାନ୍ତି । ଡାକୁଦଳ ହସ ଓ ଆନନ୍ଦରେ ଫାଟି ପଡ଼ୁଛନ୍ତି ।

 

ସେବାସିଂହର ମୋହ ତୁଟିଲା, ନିଜ ଝିଅର ବିବାହ ଚିନ୍ତାରେ ବୁଡ଼ି ରହିଥିଲା । ବର୍ତ୍ତମାନ ନିଜ ଜାତିର ଓ ଦେଶର ଗୋଟିଏ ଝିଅ ଆଜି ବିପନ୍ନ । ରକ୍ତ ତା’ର ଗରମ ହୋଇ ଉଠିଲା । ସେ ଆଉ ସମ୍ଭାଳି ହୋଇ ପାରିଲାନି ।

 

ସେବାସିଂହଙ୍କ ବନ୍ଧୁକରୁ ଆବାଜ୍‍ ଆସିଲା–ଗୁଡ଼ୁମ୍‍ ଗୁଡ଼ୁମ୍‍ ଗୁଡ଼ୁମ୍‍ । ଏ ଆକ୍ରମଣ ପାଇଁ ଡାକୁଦଳ ପ୍ରସ୍ତୁତ ନ ଥିଲେ । ଏଗାର ଜଣ ମୁସଲମାନ ମାଟିରେ ଗଡ଼ି ପଡ଼ିଲେ ।

 

ସେବାସିଂହ ଧାଇଁଲା, ଝିଅଟିର ଅବସ୍ଥା କ’ଣ ହେଲା ? ସେ ବର୍ତ୍ତମାନ ନିରାପଦ ତ ? ସେବାସିଂହ ଧାଉଁଛି, ହଠାତ୍‍ ତା’ର ଗୋଡ଼ ଅଟକି ଗଲା । ନିଜ ଆଖିକୁ ସେ ବିଶ୍ୱାସ କରିପାରିଲାନି-। ଭଲକରି ଆଖିମଳି ପୁଣି ଥରେ ସେ ଚାହିଁଲା । ଏଗାରଜଣ ଯାକ ମୁସଲମାନ ମାଟିରେ ଗଡ଼ି ପଡ଼ିଛନ୍ତି । ଆଉ ସେଇ ଝିଅଟି–ଅପରିଚିତା, ଅପହୃତା ସେଇ ସରଳା ହିନ୍ଦୁ ତରୁଣୀଟିକୁ ଛାତି ଉପରକୁ ଭିଡ଼ି ଆଣି ଗୁଣ୍ଡା ସର୍ଦ୍ଦାର ଗଫୁର୍‍ ଖାଁ ତା’ ଛାତିରେ ଛୁରି ଭୁଷି ଦେଇଛି । ପିଚ୍‍ ପିଚ୍‍ ହୋଇ ରକ୍ତ ଛୁଟିଛି, ଆଉ ସେଇ ଝିଅଟିର ସରଳ କୋମଳ ମୁହଁରେ ସକଳ ଭୟ, ବିପଦ, ଆତଙ୍କର କାଳିମା ଲେସି ହୋଇ ଯାଇଛି ।

 

ସେବାସିଂହ ଆଉ ଚାହିଁ ପାରିଲାନି, ଓଃ କ’ଣ ନ କଲା ସେ । ତାରି ଲାଗି ଆଜି ଏକ ସରଳା ତରୁଣୀର ସକଳ ସ୍ଵପ୍ନ ଓ ଭବିଷ୍ୟତ ନିମିଷକେ ମାଟିରେ ମିଶିଗଲା । ପୁଳାଏ ସୁନାର ଲୋଭରେ ସୁନାର ଏକ ସୁନ୍ଦର ଜୀବନ ନିମିଷକେ ଛାରଖାର ହୋଇଗଲା । ଓଃ ! କ’ଣ ନ କଲା–କ’ଣ ନ କଲା ସେ ସତେ !! ସାରା ଜୀବନ ଧରି ଯେଉଁ ନୀତି ଓ ଆଦର୍ଶ ପଛରେ ସେ ଛୁଟି ଚାଲିଥିଲା, ଆଜିର ଏ ମୁହୂର୍ତ୍ତକର ଭୁଲରେ ସେ ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ପରିଣତ ହେଲା ସିନା ! ନା ନା ଏ ଅସହ୍ୟ–ଏ ଅସହ୍ୟ । ସେବାସିଂହ ବନ୍ଧୁକ ଟେକିଲା, ତଥାପି ବନ୍ଧୁକରେ ଗୁଳି ଅଛି । ନିଜ ଛାତିକୁ ଲକ୍ଷ୍ୟ କରି ସେ ବନ୍ଧୁକ ଟିପିଲା-ଗୁଡ଼ୁମ୍‍ । ତା’ର ବଳିଷ୍ଠ ଛ’ ଫୁଟ ଲମ୍ବର ଦେହଟା ମାଟି ଉପରେ ଭୁଷ୍‍କିନା କଚାଡ଼ି ହୋଇ ପଡ଼ିଲା । ଆଉ ଗଫୁର୍‍ ଖାଁ ଦେଇଥିବା ସୁନାମୁଣ୍ଡାତକ ସୀମାରେଖାର ଏ ପଟେ ସେ ପଟେ ଖେଳେଇ ହୋଇ ପଡ଼ିଲା ।

Image

 

ରାଜପଥର ଦୃଶ୍ୟ

 

ପିଚୁରାସ୍ତା ଅନେକ ଦିନରୁ ତିଆରି ହେଲାଣି । ତା’ ଉପରେ ସାଇକଲ ଚାଲେ, ବଳଦ ଗାଡ଼ି କେଁ କଟର ଶବ୍ଦ କରି ଗଡ଼ିଯାଏ, ଆଉ ଟ୍ରକ୍‍ ଧୂଆଁ ଛାଡ଼ି ଧାଏଁ । ବିଚରା ବାଟୋଇକୁ ନାକବୁଜି ଚାଲିବା ବ୍ୟତୀତ ଆଉ କିଛି ଉପାୟ ଦେଖାଯାଏନା । ରାସ୍ତା ମଝିରୁ ପୁଳାଏ ପୁଳାଏ ଗୋଡ଼ି ଉଠିଯାଇ ଖାଲ ହେଲାଣି । ସେଥିରେ ପାଣି ଜମେ, ସେତେବେଳେ ବାଟୋଇଙ୍କ ଆହୁରି ଦୁରବସ୍ଥା ହୁଏ । ମଟର, ଟ୍ରକ୍‍ ଆସନ୍ତି, ରାସ୍ତା ପାଣିକୁ ବାଟୋଇଙ୍କ ଉପରକୁ ଛାଟିଦେଇ ପଳାଇ ଯାଆନ୍ତି । ଲୁଗା ସାଟରେ କେବଳ ନାଲି ଦାଗ । ବାଟୋଇଙ୍କର ମନେ ରହେ, ସେମାନେ ରାଜପଥ ଉପରେ ଚାଲୁଥିଲେ ।

 

ସରକାରୀ ବସ୍‍ ସବୁ ସେ ରାସ୍ତାରେ ଚାଲନ୍ତି । କେବେ କୌଣସି ବସ୍‍ ଠିକ୍‍ ସମୟରେ ଯିବା ଆସିବା କରେ, ସେ କଥା କେହି କହି ପାରିବେନି । ନିୟମ ଅନୁସାରେ ପ୍ରତି ଅଧଘଣ୍ଟାରେ ବସ୍‍ ମିଳିବାର କଥା; କିନ୍ତୁ ଅନେକ ସମୟରେ ତିନି ଚାରିଘଣ୍ଟା ପର୍ଯ୍ୟନ୍ତ ବସ୍‍ ଚଳାଚଳ ବନ୍ଦ ହୁଏ । କେବେ କେବେ ତିନି ଚାରୋଟି ବସ୍‍ ଏକାସାଥିରେ ପଛକୁ ପଛ ଚାଲିଥାନ୍ତି । ଗାଡ଼ି ଚଢ଼ି ଯାତ୍ରୀମାନେ ଈଶ୍ୱରଙ୍କୁ ଡାକନ୍ତି, ହେ ପ୍ରଭୁ ! କିଛି ଦୁର୍ଘଟଣା ଯେପରି ନ ହେଉ । ଜୀବନପ୍ରତି ସମସ୍ତେ ସନ୍ଦିହାନ । ବସରେ ବସିଲେ ଦେହ ଦରଜ ହୁଏ । ଈଶ୍ଵରଙ୍କୁ ମୁଣ୍ଡିଆ ମାରିବାକୁ ପଡ଼େ, ଡାକ୍ତରଙ୍କ ପାଖକୁ ଦଉଡ଼ିବାକୁ ହୁଏ ।

 

ଚାଲିବାକୁ ଡର, ଅଧମାଇଲ ହେଉ କିମ୍ବା ମାଇଲିଏ ହେଉ, ସମସ୍ତେ ବସରେ ଯିବେ, ଶୀଘ୍ର ପହଞ୍ଚିବେ । ବସ୍‍କୁ ଅପେକ୍ଷା କରିବାରେ ଯେତେ ସମୟ ଯାଉ, ସେଥିପାଇଁ ଚିନ୍ତା ନାହିଁ । ତେଣୁ ପ୍ରତି ବସ୍‍ଷ୍ଟାଣ୍ଡରେ ଭିଡ଼ । ‘କିଉ’ ଲାଗିଛି, ଠେଲା ପେଲା, ମଝିରେ କଳି କଜିଆ, ପାଟିତୁଣ୍ଡ । ଟିକେଟ୍‍ ନ କଲେ ବସ୍‍ ଭିତରକୁ ଯାଇ ପାରିବନି । କବାଟ ପାଖରେ କ୍ଲିନର ଠିଆହୋଇ ଯାତ୍ରୀଙ୍କୁ ବାହାରକୁ ପେଲିବା ହେଲା ତା’ର କାମ । କଣ୍ଡକ୍ଟର ଆତ୍ମପ୍ରସାଦ ଲାଭ କରେ, ସେ ଅନେକ ଲୋକଙ୍କୁ କ୍ୟୁରେ ଠିଆ କରେଇ ପାରିଛି ବୋଲି । ଯାତ୍ରୀଙ୍କର ପଛରୁ ଡାକ ଅସେ “କଣ୍ଡକ୍ଟର ବାବୁ-! ଶୀଘ୍ର ଶୀଘ୍ର ଟିକଟ୍‍ ଦିଅନ୍ତୁ, ତା’ ନ ହେଲେ ଆମେ ଗାଡ଼ିରେ ଚଢ଼ିବୁ ।” କଣ୍ଡକ୍ଟର ରାଗି ଟିକେଟ୍‍ ବହି ବନ୍ଦ କରେ । କିଉକୁ ଟିକିଏ ଅନାଏ । କ୍ଲିନରକୁ ଘଣ୍ଟି ବଜାଇବାକୁ କହେ, ଗାଡ଼ି ଧୂଆଁ ଛାଡ଼ି ଆଗକୁ ଚାଲେ ।

 

ଲୋକମାନେ ଧାଡ଼ିରେ ଠିଆହୋଇ ଅନାଇଥାନ୍ତି । ଅଜାଣତରେ ସମସ୍ତଙ୍କ ପାଟିରୁ ନିଜ ନିଜର ଦୁଃଖକଥା ବାହାରି ଆସେ । କିଏ କେତେ ସମୟ ଅପେକ୍ଷା କଲେଣି, କହି ବସନ୍ତି । ଯାତ୍ରୀଙ୍କ ଭିତରେ ଯୁକ୍ତି ଲାଗେ । ଅନେକେ ମତ ଦିଅନ୍ତି, ଏଟା ସ୍ଵାଧୀନ ଯୁଗ, କାହାକୁ ଦୁଃଖ କହିବା, ଆଉ ବା କିଏ ଶୁଣୁଛି ? ପୁଣି ଅପେକ୍ଷା ପରବର୍ତ୍ତୀ ବସ୍‍କୁ । କୌଣସି ଲୋକକୁ ସହଜରେ ଏବଂ ଶୀଘ୍ର ଟିକେଟ୍‍ ମିଳିଲେ ସେ ଭାବେ ଭାଗ୍ୟ ଭଲ, ଅନୁକୂଳ ଠିକ୍‍ ଅଛି ।

 

ବସରେ ବସି ସାରିବା ପରେ ଦୁଃଖ ସରେନା । ବସ୍‍ ଚାଲୁ ଚାଲୁ ରାସ୍ତା ଉଠାଣି ପାଖରେ ବନ୍ଦ ହୁଏ । ଡ୍ରାଇଭର ପଛକୁ ଅନାଇ ସମସ୍ତଙ୍କୁ ଥରେ ଦେଖିନିଏ । ତା’ପରେ କହେ, “ଆଜ୍ଞା, ବ୍ୟାଟେରିଟା କମିଯାଇଛି, ଗାଡ଼ି ଷ୍ଟାର୍ଟ କରୁନି, ସମସ୍ତେ ଖାଲି ଟିକେ ହାତ ଲଗାଇ ଦେଲେ ଷ୍ଟାର୍ଟ ହେବ ।” ଜଣ ଜଣ କରି ବାହାରି ଆସନ୍ତି ବସ୍‍ ଭିତରୁ, ଗାଉଁଲି ଲୋକ ସବୁ ଅଣ୍ଟାରେ ଗାମୁଛା ଭିଡ଼ି ଦିଅନ୍ତି । କେତେ ଜଣ ହାତ ଓ କାନ୍ଧ ଲଗାଇ ପାଟି କରନ୍ତି, “ହେଇ ଚାଲିଲାରେ’’–ବସ୍‍ ମନରେ ଦୟା ଆସେ । ସେଥିରେ ପ୍ରାଣ ସଞ୍ଚାର ହୁଏ । ପୁଣି ସମସ୍ତେ ଦଉଡ଼ି ବସ୍‍ ଭିତରକୁ ବସନ୍ତି-

 

ବସ୍‍ଷ୍ଟାଣ୍ଡପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଅଛି, ଗାଡ଼ି ଠିଆ ହୁଏ । ଭିତରେ ବସିଥିବା ଯାତ୍ରୀ ବାହାରକୁ ଅନାନ୍ତି । ଭିଡ଼ ଦେଖିଲେ ମନ୍ତବ୍ୟ ପ୍ରକାଶ କରନ୍ତି, “ଆଜିକାଲି କି ଯୁଗ ହେଲାରେ ବାବା, ସବୁଠାରେ ଲୋକ ଭିଡ଼”–ସେତେବେଳେ ସେମାନଙ୍କର ଟିକେଟ୍‍ ପାଇବା ଅବସ୍ଥାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥାନ୍ତି ।

 

ନୂଆଲୋକ ଟିକେଟ୍‍ ଧରି ଉଠେ । ବସ୍‍ର ଏ ମୁଣ୍ଡରୁ ସେ ମୁଣ୍ଡକୁ ଅନାଇଯାଏ । ବସିବା ପାଇଁ ସ୍ଥାନ ଦରକାର । କ୍ୟୁରେ ଠିଆ ହୋଇ ହୋଇ ଗୋଡ଼ ଦରଜ । ଦେଖେ ତିନିଜଣଙ୍କ ସ୍ଥାନରେ ଦୁଇଜଣ ବସିଛନ୍ତି । କିନ୍ତୁ ଗୋଟାଏ ବଡ଼ବ୍ୟାଗ୍‍ ସିଟ୍‍ ଉପରେ ଥୁଆ ହୋଇଛି । ଅବଶ୍ୟ ଯାତ୍ରୀ ଦୁଇଜଣଙ୍କ ମଧ୍ୟରୁ ବ୍ୟାଗ୍‍ଟି ଜଣଙ୍କର । ଧୀରେ ଧୀରେ ନୂଆଲୋକ ଜଣକ ପଚାରେ, “ଆଜ୍ଞା ଏଠି କିଏ ବସିଛି କି ?” ଛୋଟ ଉତ୍ତରଟିଏ ମିଳେ ‘ହଁ’ । ସମସ୍ତଙ୍କ ଇଚ୍ଛା ତାଙ୍କ ପାଖ ସିଟ୍‍ଟା ଖାଲି ରହୁ, ସୁବିଧାରେ ବସିବେ; କିନ୍ତୁ କେହି ଜଣେ ଚିହ୍ନାଜଣା ଲୋକ ଆସିଲେ ଅଲଗା କଥା । ବ୍ୟାଗ୍‍ଟା ସିଟ୍‍ ଉପରୁ ତଳକୁ ଆସେ ।

 

ବସ୍‍ଷ୍ଟାଣ୍ଡରେ ସବୁବେଳେ ଲୋକ ଗହଳି । ଭିକାରି ସବୁ ଆସନ୍ତି । ଭିକ ମାଗିବାକୁ ବେଶ୍‍ ସୁବିଧା ହୁଏ । ସହରର ଏପରି ଗୋଟିଏ ସ୍ଥାନ, ବସ୍‍ ସେଠି ଦଶମିନିଟ୍‍ ପାଇଁ ଅଟକେ । ମାଗୁଣି ସେଠି ଭିକ ମାଗେ । ଅନେକ ଦିନରୁ ରହିଲାଣି । ବୟସ ତିରିଶ ଭିତରେ । ଗୋଟିଏ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଛି । ଅଣ୍ଟାରେ ବଳ ନାହିଁ । ବାଡ଼ିଧରି ଚାଲିବାର ଶକ୍ତି ନାହିଁ । ହାତଭରା ଦେଇ ଚାଲେ । କାଠର ଦୁଇଟି କଠଉ ଗୋଡ଼ରେ ଲାଗିବା ପରିବର୍ତ୍ତେ ହାତରେ ଲାଗିଛି-। ମୁଣ୍ଡ ବାଳ ଜଟ ହୋଇ ଗଲାଣି । ଗହଳିଆ ଦାଢ଼ି ମୁହଁକୁ ଲୁଚାଇଛି । ସେ ପିନ୍ଧେ ଖଣ୍ତେ ଗେରୁଆ ଲୁଗା, ସନ୍ନ୍ୟାସୀର ରୂପ, ଦୁଇ ଆଣ୍ଠୁ ମଝିରେ ଗୋଟିଏ ରସ ଗିନା । ବସ୍‍ଷ୍ଟାଣ୍ଡରୁ ପଚାଶ ଫୁଟ ଭିତରେ ତା’ର ଗତି । ନୂଆଲୋକ ଆସିଲେ, ସେ ପାଖକୁ ଯାଇ ରସ ଗିନାଟିକୁ ଦେଖାଇ ଅନାଇ ରହେ । କାହା ମନରେ ଦୟା ଆସିଲେ ପଇସାଏ, ଦୁଇ ପଇସା ଦିଅନ୍ତି । ସେଇଥିରେ ସେ ଚଳେ-

 

ସେ ଦିନ ସୁମନ୍ତବାବୁ ଫେରୁଥାନ୍ତି । ବସ୍‍କୁ ଅପେକ୍ଷା । ଘଣ୍ଟାଏ ଡେରି ହେଇ ଗଲାଣି । ଏ ପଟରୁ ସେ ପଟ ବୁଲିବା ବ୍ୟତୀତ କିଛି କାମ ନାହିଁ । କିଛି ଗୋଟାଏ ହର୍ନ ଶୁଭିଲେ ଆଖି ଆପେ ଆପେ ସେ ସବୁ ଦିଗକୁ ଟାଣି ହୋଇଯାଏ । ଟ୍ରକ୍‍ଟା କିମ୍ବା ଜିପ୍‍ଟା ସେ ବାଟେ ପାସ୍‍ କରିଯାଏ । ସୁମନ୍ତ ବାବୁ ଲୋକଙ୍କର ଚାଲିଚଳନକୁ କେବଳ ଲକ୍ଷ୍ୟ କରିବାରେ ଲାଗିଥାନ୍ତି । ମାଗୁଣିର ଭିକମଗା ଚାଲିଥାଏ । ଅନେକ ଲୋକ ଅଛନ୍ତି, ତା’ର ଆଶା ବେଶୀ ପଇସା ମିଳିବ । ସମସ୍ତଙ୍କ ପାଖରେ ଅପେକ୍ଷା, ସେଇ କରୁଣ ଦୃଷ୍ଟି ।

 

ସେ ବୋଧହୁଏ ଜଣେ ବ୍ୟବସାୟୀ । ମାଗୁଣିର ବାବୁ ଡାକ ତାଙ୍କ କାନରେ ପଡ଼ିଲା । ବୁଲି ଚାହିଁଲେ, ସାଥୀଜଣଙ୍କୁ କହିଲେ, ଏମାନଙ୍କୁ ଦେଇ ଦେଇ ମଣିଷ ଦେବାଳିଆ ହୋଇ ଗଲାଣି-। ଭିକାରି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ମଣିଷ କେମିତି ଚଳିବ କିଛି ଜଣା ପଡ଼ୁନି-। ସେ ମାଗୁଣି ଉପରକୁ ଚିଡ଼ି ଉଠିଲେ । ତା’ପରେ କହିଲେ, ପଇସା ନାହିଁ, ଯା’ ପଳା ଏଠୁ-

 

ଜଣେ ବାବୁ ହାତରେ ଚମଡ଼ା ବ୍ୟାଗ୍‍ ଖଣ୍ଡିଏ ଧରି ଠିଆ ହୋଇଛନ୍ତି । ସାଥୀଲୋକ ସହିତ ଅସରନ୍ତି କଥାବାର୍ତ୍ତା । ପାରାଦ୍ଵୀପରେ ସେ କଣ୍ଟ୍ରାକ୍ଟର । ଦଶହଜାର ବିଲ୍‍ଟା ପାସ୍‍ ହୋଇଗଲା । ତା’ ନ ହୋଇଥିଲେ ସେ କାମ ବନ୍ଦ କରାଇଥାନ୍ତେ । ଇଞ୍ଜିନିୟରମାନେ ହିଁ କେବଳ ହଇରାଣ ହୋଇଥାନ୍ତେ । ତେବେ ଯାହାହେଉ, ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟର ବିଲ୍‍ଟା ପାସ୍‍ କରି ଦେଇଦେଲେ । ମାଗୁଣି ଡାକିଲା “ବାବୁ” । କଣ୍ଟ୍ରାକ୍ଟର ଜଣକ କହିଲେ, “ଆରେ ଯା, ମୋ ପାଖରେ ଖୁଚୁରା ପଇସା ନାହିଁ, ଖାଲି ନୋଟ୍‍ ଗୁଡ଼ାକ, ଆଉ କେବେ ଆସିଲେ ଦେବି’’, ମାଗୁଣି ଫେରିଲା ।

 

ଦୁଇଜଣ କଲେଜ ଛାତ୍ର ଖୁସି ଗପରେ ବ୍ୟସ୍ତ । ସିନେମା ଚର୍ଚ୍ଚା ଲାଗିଛି । କେଉଁ ଅଭିନେତ୍ରୀ ଭଲ କି ଖରାପ, ଏହି ବିଷୟରେ । ମାଗୁଣି କିନ୍ତୁ ବ୍ୟସ୍ତ ହୋଇ ପଡ଼ିଲାଣି । ଏପର୍ଯ୍ୟନ୍ତ କିଛି ମିଳିନାହିଁ । ସେ ଡାକିଲା, ବାବୁ ପଇସାଟିଏ ମିଳୁ । ଛାତ୍ର ଦୁଇଜଣ ତା’ ଆଡ଼କୁ ଅନାଇ କଥାବାର୍ତ୍ତା ହେଲେ । ସେମାନେ ହଷ୍ଟେଲରେ ମିଲ୍‍ ବନ୍ଦ କରି ସିନେମା ଦେଖିଛନ୍ତି । ଚାରମିନାର କିଣିବାକୁ ଦୁଇଅଣା ପଇସା ଅଛି । ଭିକାରିକୁ ଦେବାପାଇଁ ପଇସା କାହିଁ ? ଆଉଜଣେ ବାବୁଙ୍କୁ ହାତ ଦେଖାଇ କହିଲେ, “ତାଙ୍କୁ ମାଗ ।”

 

ମାଗୁଣି ପହଞ୍ଚିଲା ସୁମନ୍ତବାବୁଙ୍କ ପାଖରେ । ଦରଦୀ ଲୋକ ସେ ସଂସାର ପ୍ରତି ଲୋଭ ମାୟା ବହୁତ କମ୍‍ । ଭିକାରିକୁ ନିରାଶ କରିବାକୁ ତାଙ୍କ ମନ ପଛାଇଲା । କାନ୍ଧରୁ ଝୁଲା କାଢ଼ିଲେ । ମାଗୁଣି ଗିନାରେ ଦୁଇଅଣା ପଇସା ଦେଲେ । ପୁଣି ବସ୍‍କୁ ଅପେକ୍ଷା ।

 

ବସ୍‍ଷ୍ଟାଣ୍ଡରେ ରିକ୍ସାବାଲାଙ୍କ ଗହଳି ବଢ଼ିଲାଣି । ହୁଏତ ଅନେକବାବୁ ବିରକ୍ତ ହେଲେଣି-। ଏଣିକି ରିକ୍ସା ନେଇ ସେମାନେ ଚାଲିଯିବେ । ସୁବିଧା ଦେଖି ରିକ୍ସାବାଲା ଆସନ୍ତି-। ଗୋଟାଏ ଦୃଶ୍ୟ ସୁମନ୍ତବାବୁଙ୍କ ଦୃଷ୍ଟି ଆକର୍ଷଣ କଲା । ରିକ୍ସାବାଲାଟିଏ ଘଣ୍ଟି ବଜାଇ ଆଗକୁ ଚାଲିଛି-। ମନକୁ କ’ଣ ଭାବି ସେ ବସ୍‍ଷ୍ଟାଣ୍ଡକୁ ଫେରି ଆସିଲା । ମାଗୁଣି ଗିନାରେ ଦଶ ନୂଆପଇସା ଦେଇ ରିକ୍ସାପାଖକୁ ଫେରି ଆସିଲା । ବସ୍‍ଷ୍ଟାଣ୍ଡରେ ସେ ଅପେକ୍ଷା କଲା ।

 

ସୁମନ୍ତବାବୁଙ୍କ ମନରେ ପ୍ରବଳ ଆଗ୍ରହ ହେଲା । ସେ ରିକ୍ସାବାଲା ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କଲେ । ଭିକାରି ରିକ୍ସାବାଲାକୁ ପଇସା ମାଗି ନ ଥିଲା । ସେ କାହିଁକି ପଇସା ଦେଲା ବୋଲି ସୁମନ୍ତବାବୁ ପଚାରିଲେ ।

 

ରିକ୍ସାବାଲା କହିଲା, ‘ଆଜ୍ଞା, ମୁଁ ତାକୁ ସବୁଦିନେ କିଛି କିଛି ପଇସା ଦିଏ । ନ ଦେଲେ ସେ ଚଳିବ କେମିତି ବାବୁ ? ଆଜିକାଲି ସମୟ ବଦଳି ଗଲାଣି । ବଡ଼ ବଡ଼ିଆ କିମ୍ଵା ବାବୁଭୟାଙ୍କ ଠାରୁ ଦୁଇ ପଇସା ମିଳିବା ବଡ଼ ମୁସ୍କିଲ । ଆମେ ରିକ୍ସାବାଲା ପରିଶ୍ରମ କରୁଛୁ । ତଥାପି ଆମକୁ ପଇସା ଦେବାକୁ ସେମାନେ ରାଜି ନୁହନ୍ତି । ବାବୁମାନେ ଆମ ରିକ୍ସାରେ ବସନ୍ତି । ନିଜ ସ୍ଥାନରେ ପହଞ୍ଚିବା ପରେ ଝଗଡ଼ା ଆରମ୍ଭ । ମନକୁ ଯାହା ଆସିଲା, ରିକ୍ସା ଉପରେ ପକାଇ ଦେଇ ଚାଲି ଯାଉଛନ୍ତି । ଆଉ ମାଗିଲାବାଲାକୁ ପଚାରିବ କିଏ ?’

 

ସୁମନ୍ତବାବୁ ଭାବିଲେ, ରିକ୍ସାବାଲା ଠିକ୍‍ କହୁଛି । ତାକୁ ସେ କିଛି ଉତ୍ତର ଦେଲେନି । ରିକ୍ସାବାଲା ପୁଣି କହି ଚାଲିଲା, ବାବୁ ! ଏ ଭିକାରି ସବୁ ଆମରିପରି ମଣିଷ । କେଉଁ ପାପ ଫଳରୁ ଏ ଦଶା ଭୋଗୁଛନ୍ତି । ଆମର ଯେତିକି ବଳ, ସେହି ଅନୁସାରେ କିଛି ଦେବା କଥା, ଈଶ୍ଵର ଚଳାଇବା ଲୋକ ଚଳାଉଛି । ଆମ ଗୁଜୁରାଣ ମେଣ୍ଟି ଯାଉଛି ।

 

ବସ୍‍ ଆସି ପହଞ୍ଚିଲା, କଥାବାର୍ତ୍ତା ବନ୍ଦ କରି ସୁମନ୍ତବାବୁ ବସ୍‍ ଭିତରେ ବସିଲେ । ସେ ଭାବୁଥିଲେ କେବଳ ସେଇ ରିକ୍ସାବାଲାଟିର କଥା ।

Image

 

ଛକମୁଣ୍ଡ ସର୍କସ୍‍

 

ଅଧା ସହର ଓ ଅଧା ମଫସଲ ରାମପୁର । ଅନେକ ସରକାରୀ ଅଫିସ ଅଛି । ରାମପୁରକୁ ଘେରି ରହିଛି ଧାନକ୍ଷେତ । ଟିକିଏ ଦୂରରେ ଛୋଟ ପାହାଡ଼ଟିଏ । ଗହଳିଆ ଛୋଟ ଗଛସବୁ–ବେଶ୍‍ ସବୁଜ ଦେଖାଯାନ୍ତି । ବର୍ଷାଦିନେ ପାହାଡ଼ ଉପରୁ ପାଣି ଗଡ଼ିଆସେ, ଶୀତଦିନେ ପାଣି କମ୍‍ ହୋଇଯାଏ । ସରୁ ଧାର ଝରଣା ତଳକୁ ଗଡ଼ିଚାଲେ । ପାହାଡ଼ ତଳ ଦେଇ ପିଚୁରାସ୍ତା ଲମ୍ବି ଯାଇଛି—ମଟରରେ ଗଲାବେଳେ ଝରଣା ଦୃଷ୍ଟିରେ ପଡ଼େ । ଦୃଶ୍ୟ ବେଶ୍‍ ଉପଭୋଗ୍ୟ ।

 

ରାମପୁରର ଗୋଟିଏ ବଡ଼ ଛକ । ଚାରିଦିଗକୁ ରାସ୍ତା ଲମ୍ବି ଯାଇଛି । ଗୋଟିଏ ରାସ୍ତା ଲମ୍ବିଛି ସରକାରୀ ଅଫିସ ଆଡ଼କୁ । ଦକ୍ଷିଣ ଦିଗ ରାସ୍ତା କଡ଼ରେ କର୍ମଚାରୀମାନଙ୍କ କ୍ୱାଟର୍ସ ସବୁ । ସେ ରାସ୍ତାଟା ଖୁବ୍‍ ସିଧା । ଛକଦେଇ ଉତ୍ତର ଦିଗକୁ ଯାଇଛି ତା’ର ଶେଷ ମୁଣ୍ଡରେ ବଜାର । ପାହାଡ଼ ତଳ ରାସ୍ତାରେ ବହୁତ ଉଠାଣି ଗଡ଼ାଣି ଅଛି । ମଫସଲ ଆଡ଼ୁ ଆସନ୍ତି ବଳଦ ଗାଡ଼ିସବୁ ସେ ରାସ୍ତାରେ । ଶଗଡ଼ିଆଙ୍କ ଗୀତ ଅନେକ ସମୟରେ ଶୁଣାଯାଏ, “ରାମ ଗଲେ ମୃଗ ମାରି ହୋ”—ମଝିରେ ମଝିରେ ବଳଦଙ୍କ ପିଠିରରେ ପାହାର ଓ ହଟ୍‍ହଟ୍‍ ଶବ୍ଦ । ଛକ ଉପରେ ପହଞ୍ଚି ଦେଖନ୍ତି ସହର, ଗୀତର ସୁଅ ବନ୍ଦ ହୁଏ ।

 

ଏଇ ଛକ । ଗୋଟିଏ ଦେଖିବାର ସ୍ଥାନ । ସବୁବେଳେ ଲୋକ ଗହଳି । ବିଭିନ୍ନ ପ୍ରକାର ଲୋକଙ୍କ ସମାବେଶ । ଦରିଦ୍ର, ଭିକାରିଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁଭୟା, କୁଲି ମଜୁରିଆ, ଦଳ ଦଳ ହୋଇ ଆସନ୍ତି । ରାତି ନ ପାହୁଣୁ ଛକ ଉପରେ ବସନ୍ତି । ଠିକାଦାର ଆସନ୍ତି । କଥାବାର୍ତ୍ତା କରନ୍ତି । ଗୋଟିଏ ଦଳ ପାଖରୁ ଅନ୍ୟ ଦଳ ପାଖକୁ ଯାଆନ୍ତି । ଦରଦାମ୍‍ ଛିଡ଼େ । କୁଲିମାନଙ୍କୁ କାମକୁ ସେ ନିଅନ୍ତି । ତା’ପରେ ଆସନ୍ତି ବୁଲା ବେପାରୀ । ବେକରେ ଝୁଲାଇ ଥାନ୍ତି ପସରା, ଡାକି ଡାକି ଘୂରି ବୁଲନ୍ତି ଛକ ପାଖରେ । ଚଟିବହି ବିକାଳି ଗୀତ ଗାଏ “ଅଜା ନାତୁଣୀ ରହସ୍ୟ” ବହିରୁ । ମୁହଁରେ ତା’ର ଟିଣ ତିଆରି ଲାଉଡ୍‍ ସ୍ପିକର । ଚନାଚୁର ବିକାଳିର ଅନବରତ ଡାକ, “ଏ... ଏ... ଗରମ ଚନାଚୁର” । ସନ୍ଧ୍ୟାବେଳ ବାବୁମାନେ ଅଫିସରୁ ଫେରନ୍ତି । ଛକ ପାଖରେ ଓହ୍ଲାଇ ଚାଲନ୍ତି ମନ ଫୂର୍ତ୍ତିପାଇଁ । ଆଉ କଲେଜ ପିଲା–ସିନେମା ଖବର ଜାଣିବାକୁ ଆସନ୍ତି ଛକ ଉପରକୁ । ଖବର ଜାଣିବା କେନ୍ଦ୍ର । ସିନେମା ପୋଷ୍ଟରଗୁଡ଼ିକୁ ଅନାଇ କେତେ ରକମ ଆଲୋଚନା କରନ୍ତି ।

 

ହାଟ ଦିନ ସପ୍ତାହରେ ଦୁଇଥର । ପାହାଡ଼ ଆର ପଟେ ଗାଁଗଣ୍ଡା । ସକାଳୁ ଲୋକ ଚାଲିବା ଆରମ୍ଭ ହୁଏ । ପାହାଡ଼ ତଳ ରାସ୍ତାରେ ଧାଡ଼ି ଧାଡ଼ି ଲୋକ । ସ୍ତ୍ରୀ, ପୁରୁଷ, ପିଲା ଓ ବୁଢ଼ା ପର୍ଯ୍ୟନ୍ତ ଚାଲନ୍ତି ହାଟ ଆଡ଼କୁ । ବିକିବେ, କିଣିବେ । କାହାର ମୁଣ୍ଡ ଉପରେ, କାହାର କାନ୍ଧରେ ପୁଡ଼ିଆସବୁ । କଥା, ହସ ଓ ଗୀତର ତାନ । ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ କଥାବାର୍ତ୍ତା ।

 

ସେ ଦିନ ଆସିଲେ ଦଳେ ଲୋକ । ଦୁଇଜଣ ସ୍ତ୍ରୀଲୋକ, ଜଣେ ପୁରୁଷ ଓ ଦୁଇଟି ପିଲା-। ସ୍ତ୍ରୀଲୋକ ଦୁହିଙ୍କର ଶାଶୁ ବୋହୂ ସମ୍ପର୍କ । ଶାଶୁର ବୟସ ଷାଠିଏ ଟପିବ । ବୋହୂ ସରଳା, ବୟସ ପଚିଶ ଭିତରେ । ଚେହେରାରୁ ବୟସ ପରିମାଣ ବେଶୀ ବୋଲି ଜଣାଯାଏ-। ପୁରୁଷଟିର ନାଁ ଚନ୍ଦରା । ଦୀର୍ଘ ତିରିଶି ବର୍ଷ ହେଲା ସେ ଜୀବନ ପାଇଁ ସଂଗ୍ରାମ କରି ଆସିଲାଣି-। ସେମାନଙ୍କ ସାଥିରେ ଦଶ ବର୍ଷର ପୁଅ ସନା ଓ ତିନିବର୍ଷର ଝିଅଟିଏ । ବୁଢ଼ୀର ବଂଶଧର ପୁଅ, ବୋହୂ, ନାତି ଓ ନାତୁଣୀ । ସମସ୍ତଙ୍କର ରୂପ କଳା । ପିନ୍ଧିଛନ୍ତି ମଳି କୋଚଟ ଲୁଗା । ଚନ୍ଦରା କାନ୍ଧରେ ଭାରଟିଏ-। ସନା ରଖିଛି କାନ୍ଧ ଉପରେ ବାଉଁଶ ବାଡ଼ି ଖଣ୍ଡେ । ଦଶଫୁଟ ଲମ୍ବ ହେବ । ମୋଟ, ପାକଳ ଓ ପାଚିଲା ବାଉଁଶ । ବୁଢ଼ୀ ହାତରେ କନା ପୁଡ଼ାଟି । ସରଳା କାଖରେ ଛୋଟ ଝିଅ ଓ ମୁଣ୍ଡ ଉପରେ ପୁଟୁଳାଟିଏ । ପାହାଡ଼ ପଛରୁ ବାହାରିଲେ । ଛକ ଉପରେ ପହଞ୍ଚିଲାବେଳକୁ ଦିନ ନଅଟା ।

 

ଚନ୍ଦରା ବାଛିଲା ଗୋଟିଏ ସ୍ଥାନ । ଛକର ଉତ୍ତର ଦିଗ । ସେମାନେ ସେଠି ସର୍କସ୍‍ ଦେଖେଇବେ । ବୁଢ଼ୀ ଓ ସରଳା କାମରେ ପ୍ରଥମେ ଲାଗିଗଲେ । ଇଟା, ଗୋଡ଼ି ଗୋଟାଇ ଗୋଟିଏ ସ୍ଥାନରେ ଜମା କରିଦେଲେ । ତା’ପରେ ଚନ୍ଦରାର କାମ । ସେ ବାଉଁଶ ବାଡ଼ିକି ପୋତିଲା-। ତା’ ଆଗରେ ବାନ୍ଧିଲା ପୁଳାଏ ଦଉଡ଼ି । ସବୁ ଗୁଡ଼ାକ ପୁରୁଣା ଓ ଗଣ୍ଠିଆ । ଚାରିପଟରେ ଖୁଣ୍ଟ ପୋତି ଦଉଡ଼ିକୁ ବାନ୍ଧିଲା । ବାଉଁଶ ମୁଣ୍ଡ ଟେକି ଠିଆ ହେଲା । ସେଥିରେ ସେ ଝୁଲାଇ ଦେଲା ଗୋଟିଏ ଦୋଳି । ବାଉଁଶ ଉପରେ ଠିଆହୋଇ ବିଭିନ୍ନ ଖେଳ ସେମାନେ ଦେଖାଇବେ-। ସନା ତଳେ ଛିଣ୍ଡାଅଖା ଖଣ୍ଡେ ବିଛାଇଲା । ତା’ପରେ ରସଥାଳିଟି ରଖି ସେ ବସି ପଡ଼ିଲା-। ଚନ୍ଦରା ଢୋଲକ ବଜାଇଲା, ଖେଳ ଆରମ୍ଭ ହେବ ।

 

ଲୋକମାନେ ଆସିଲେ, ଜଣକ ପରେ ଜଣେ, ପୁଣି ଦଳେ ଦଳେ । ସମସ୍ତଙ୍କ ମନରେ କୌତୂହଳ କ’ଣ ହେଉଛି ଦେଖିବାର ଆଗ୍ରହ । ଅଳ୍ପ ସମୟରେ ଲୋକମାନେ ଜମାହେଲେ । କେହି ନ କହିଲେ ମଧ୍ୟ ସେମାନେ ବୃତ୍ତାକାରରେ ଠିଆ ହେଲେ । ଅଫିସବେଳ, ବାବୁମାନେ ସାଇକଲରୁ ଓହ୍ଲାଇ ଠିଆ ହେଲେ । ଖୁସି କଥା, ଖେଳ ହେଉଛି ଦେଖିବେ ।

 

ଚନ୍ଦରା ଢୋଲକ ବନ୍ଦ କଲା । ସେ ପ୍ରଥମେ ଖେଳ ଦେଖାଇବ, ଟାଣ ଖରା–ଝାଳ ତା’ ଦେହରୁ ଗମ୍‍ଗମ୍‍ ବୋହି ପଡ଼ୁଛି । ସେଥିକି ତା’ର ନଜର ନାହିଁ । ଖେଳ ଦେଖେଇ ଦର୍ଶକଙ୍କୁ ଖୁସି କରାଇବ । ଯାହାର ଯାହା ଦୟା ହେବ, ତାକୁ ଦେବେ । କାହାରି ଉପରେ ଦାବି ନାହିଁ । ସେ ଅନୁଗ୍ରହ ପ୍ରାର୍ଥୀ ।

 

ଖେଳ ପରେ ଖେଳ ଚନ୍ଦରା ଦେଖେଇ ଚାଲିଲା । ମଝିରେ ମଝିରେ ତାଳି ଶୁଭେ । ଚନ୍ଦରାର ଧାରଣା ଦର୍ଶକମାନେ ଖୁସି, ନିଶ୍ଚୟ କିଛି ବେଶୀ ପଇସା ମିଳିବ ।

 

ବହୁଦିନର ସାଧନା, ବିଭିନ୍ନ ରକମ କସରତ ଚନ୍ଦରା ଶିଖିଛି । ପେଟ ପୋଷିବାର ପନ୍ଥା-। ଏହି ପେଶାରେ ଜୀବନ-ତରୀ ସେ ବାହି ଚାଲିଛି । ଦୀର୍ଘ ଘଣ୍ଟାଏ କାଳ ସେ ଖେଳ ଦେଖାଇଲା-। ଚନ୍ଦରା ଥକି ପଡ଼ିଲା, ତା’ ଖେଳ ସେ ବନ୍ଦ କଲା । ଏଣିକି ସରଳାର ପାଳି, ଚନ୍ଦରା ବଜାଇଲା ଢୋଲକ । ସେହି ଡିବିଡିବି ବାଜା, କେତେ କେମିତି ସେ କୁହାଟ ମାରେ ମଧ୍ୟ ।

 

ଜନତା ପଛରୁ ଆସିଲା ସରଳା । ଯେତେଟା ପାରେ ନିଜକୁ ସଜାଇଛି, ସେଟା ଅବଶ୍ୟ ସ୍ତ୍ରୀଜାତିର ସହଜାତ ଗୁଣ । ମୁଣ୍ଡରେ ମାରିଛି ନେନ୍ଥାଏ ଫୁଲ । ନାଲିକସ୍ତା ଖଣ୍ଡକ ସେ ପିନ୍ଧିଛି ବଡ଼ ଠାଣିରେ । ଅଣ୍ଟାରେ କାନିକୁ ଭିଡ଼ି ଦେଇଛି । ସେ ଖେଳ ଦେଖାଇବ, ତା’ର ତିନି ବର୍ଷର ଝିଅକୁ ନେଇ ।

 

ପୁରୁଣା ଦଉଡ଼ିରେ ଝୁଲା ତିଆରି । ସେଥିରେ ବସିଲା ଛୋଟ ଝିଅଟି । ଦେହ ସାରା କନା ଗୁଡ଼ା ହୋଇଛି ଦୁଇଟା କଳାଆଖି ଜୁଳୁଜୁଳୁ ହୋଇ ଦେଖା ଯାଉଛି । ଏତେଗୁଡ଼ାଏ ଲୋକଙ୍କୁ କେବଳ ବଲବଲ କରି ଅନାଇଛି । ହୁଏତ ବାହାର ଜଗତ ବିଷୟରେ ତାକୁ କିଛି ଜଣା ନାହିଁ । ସରଳା ଝୁଲାକୁ ଧରି ଠିଆ ହୋଇଛି ବାଉଁଶ ଉପରେ । ଝୁଲା ଦୋହଲୁଛି, ପେଣ୍ଡୁଲମ୍‍ର ଗତି । ଝିଅର ଧାରଣା ସେ ବୋଧହୁଏ ଦୋଳିରେ ଖେଳୁଛି । ସବୁଦିନିଆ କଥା, ତା’ର ଡର ନାହିଁ ।

 

ଚନ୍ଦରା ଆରମ୍ଭ କଲା ପଇସା ମାଗିବା । ତା’ର ଅଭ୍ୟାସଗତ କଥା–‘‘ବାବୁମାନେ । ଅଣାଏ ଦୁଇଅଣା କରି ଦିଅନ୍ତୁ, ଛୋଟ ପିଲାମାନେ ଖାଇବେ ।” ପୁଅପିଲାଟି ରସଥାଳିଟା ଧରି ବୁଲିଲା ।

 

ସର୍କସ୍‍ଦଳ ପଇସା ମାଗିଲେଣି–ବାବୁମାନଙ୍କର ହଠାତ୍‍ ଅଫିସ କଥା ମନେ ପଡ଼ିଲା । ଚନ୍ଦରା ଖେଳରେ ସେମାନେ ମଜ୍ଜି ଯାଇଥିଲେ । ସନା ଥାଳି ଆଣି ପହଞ୍ଚିବା ପୂର୍ବରୁ ଚାଲିଗଲେ ଭଲ । ଶୁଭିଲା ଟକ୍‍ଟାକ୍‍, ସାଇକଲ ଚାବି ଫିଟାଇବାର ଶବ୍ଦ । ଅଫିସଆଡ଼କୁ ଛୁଟିଲା ସାଇକଲର ଧାର ।

 

ଚନ୍ଦରାର ଆଶା ପୂରିଲା ନାହିଁ । ବାବୁମାନେ ଚାଲିଗଲେ । ଲାଇନରେ ଠିଆ ହୋଇଛନ୍ତି ଗରିବ ମଜୁରିଆ ସବୁ । ଆମୋଦ ପ୍ରମୋଦର ସୁବିଧା ଜୁଟିଛି । ହୁଏତ କାମ କଥା ସେମାନେ ଭୁଲି ଯାଇଛନ୍ତି । ସେମାନଙ୍କ ମନରେ ସମ ଭାବନା । ଚନ୍ଦରା ସ୍ତ୍ରୀ ପିଲା ଧରି ଖେଳ ଦେଖାଉଛି, ସେ ଚଳିବ । ଯାହାର ଯାହା ଶକ୍ତି, କିଛି ସେମାନେ ଦେଲେ । ଚନ୍ଦରା ଅଳ୍ପ ପଇସା ପାଇଲା ।

 

ବୃତ୍ତରେ ଠିଆହୋଇ ଲୋକମାନେ ଅନାଇଛନ୍ତି । ସେମାନେ ପଇସା ଦେଇ ସାରିଲେଣି-। ତାଙ୍କର ବର୍ତ୍ତମାନ ଦାବି, ସେମାନେ ସରଳାର ଖେଳ ଦେଖିବେ । ନ ହେଲେ ଚନ୍ଦରାକୁ ଗାଳି ଗୁଲଜ କରିବେ । ସରଳା ପ୍ରତି ଖରାପ ଭାଷା ପ୍ରୟୋଗ କରିବେ । କିନ୍ତୁ ଚନ୍ଦରା ଭାବୁଛି ଦିନଟା କେମିତି ଚଳିବ ।

 

ସରଳା ଆରମ୍ଭ କଲା ତା’ର ଖେଳ କୌଶଳ । ଦୋଳାର ଗତି ବଢ଼ିଲା । ତା’ ସାଙ୍ଗେ ସାଙ୍ଗେ ଚନ୍ଦରାର ଡିବି ଡିବି ବାଜା । ଝିଅଟି ଏ ପଟରୁ ସେ ପଟ ଘୂରିଲା । ମିନିଟରେ ଅନ୍ତତଃ ଦଶଥର । ବାଉଁଶ ବାଡ଼ିଟି ମଧ୍ୟ ହଲିବାକୁ ଲାଗିଲା । ଦର୍ଶକଙ୍କର ଡର, ବାଉଁଶ ଭାଙ୍ଗିପାରେ ।

 

ହଠାତ୍‍ ଦର୍ଶକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେଲା । କଥା କ’ଣ ? ବାଉଁଶ ଭାଙ୍ଗିଲାନି, ଛିଣ୍ଡିଲା ଦୋଳାର ଦଉଡ଼ି । ଝିଅଟି ଛିଟିକି ପଡ଼ିଲା ତିରିଶ ଫୁଟ ଦୂରରେ । ଚନ୍ଦରା ଦଉଡ଼ି ଗଲା ଝିଅ ପାଖକୁ, ସେ ଅଚେତ, ସରଳା ଡେଇଁଲା ତଳକୁ ଅତି ଅଳ୍ପ ସମୟରେ ଲୋକ ଗହଳି ଭାଙ୍ଗିଗଲା । ପଡ଼ିଆରେ ବସିଛନ୍ତି କେବଳ ସର୍କସ୍‍ଦଳ । ସରଳା କୋଳରେ ଅଚେତ ଝିଅ ପିଲାଟି ।

Image

 

କୁକୁଡ଼ା ଚାଷ

 

ସେ ଦିନ ବିନୟବାବୁଙ୍କର ଝୁଙ୍କ ଉଠିଲା, ସେ କୁକୁଡ଼ା ପାଳିବେ । ସେ ବ୍ରାହ୍ମଣ । ବାପା ଅଜା କୁକୁଡ଼ା ପାଳୁ ନ ଥିଲେ । ଯୁଗ ବଦଳି ଗଲାଣି । ଆଜିକାଲି କିଛି ପୁଷ୍ଟିକାରକ ଖାଦ୍ୟ ମିଳୁ ନାହିଁ । ସମୟ ସାଙ୍ଗରେ ଖାପ୍‍ ଖୁଆଇ ଚଳିବାକୁ ହେବ । ତେଣୁ ସେ ପୁରୁଣାକାଳିଆ କଥା ଆଉ ମାନି ହେବନି । ଏ ହେଲା ଭେଜାଲ ଯୁଗ । ଏମିତି କି ଔଷଧରେ ମଧ୍ୟ ଭେଜାଲ ମିଶିଲାଣି, କିନ୍ତୁ କୁକୁଡ଼ା ଡିମ୍ଵରେ ସେ ସବୁ କିଛି ମିଶି ପାରିବନି । ଖାଇବାକୁ ଅନ୍ତତଃ ଶୁଦ୍ଧ ଡିମ୍ଵ ମିଳିବ, ଏଇ ହେଲା ବିନୟବାବୁଙ୍କ ମତ ।

 

ସେ ପରାମର୍ଶ କଲେ ବନ୍ଧୁମାନଙ୍କ ସହିତ, କିପରି କି କୁକୁଡ଼ା ଆଣିବେ ଏବଂ କିପରି ରଖିବେ, ଏଇ ହେଲା ସମସ୍ୟା । ଆର୍ଥିକ ଦୃଷ୍ଟିରୁ ଲାଭ କ୍ଷତିର ବିଚାର ହେଲା । ବିନୟବାବୁ ଠିକ୍‍ କଲେ ଫାର୍ମରୁ ଭଲ କୁକୁଡ଼ା କିଣିବେ ।

 

ବିନୟବାବୁଙ୍କ ବନ୍ଧୁ ମହେନ୍ଦ୍ରବାବୁ, ସେ ବଡ଼ ରକ୍ଷଣଶୀଳ । କୁକୁଡ଼ା ପାଳନକୁ ସେ ଆଦୌ ପସନ୍ଦ କଲେ ନାହିଁ । ମହେନ୍ଦ୍ରବାବୁ ଯୁକ୍ତି ଦେଖାଇ କହିଲେ, “ଦେଖନ୍ତୁ ବିନୟବାବୁ ! ଆପଣ ଜଣେ ନୈଷ୍ଠିକ ବ୍ରାହ୍ମଣ, ପୂର୍ବପୁରୁଷମାନେ ଏ ରାମପକ୍ଷୀକୁ ରଖି ନାହାନ୍ତି । ଆପଣ ପାଠ ପଢ଼ିଲେ ବୋଲି କ’ଣ ସେ ସବୁ କିଛି ମାନିବେ ନାହିଁ ?”

 

ବିନୟବାବୁ ଛାଡ଼ିବାର ନୁହନ୍ତି । ସେ ମହେନ୍ଦ୍ରବାବୁଙ୍କୁ କହିଲେ, “ଆପଣ ବିଂଶ ଶତାବ୍ଦୀର ଲୋକ ହେବା ଉଚିତ ହୋଇ ନାହିଁ । ସେଇ ମାନ୍ଧାତା ଅମଳରେ ଜନ୍ମ ହୋଇ ପୂର୍ବପୁରୁଷଙ୍କ ନୀତିକୁ ରଖିଥାନ୍ତେ”–ପୂର୍ବପୁରୁଷମାନେ କେଉଁଠି କହି ନାହାନ୍ତି ଯେ କୁକୁଡ଼ା ରଖିବା ଉଚିତ ନୁହେଁ । ସେମାନେ ପ୍ରଚୁର ପୁଷ୍ଟିକର ଖାଦ୍ୟ ପାଉଥିଲେ । ତେଣୁ ସେମାନଙ୍କର କୁକୁଡ଼ା ପାଳନ ଦରକାର ହେଉ ନ ଥିଲା । ପୂର୍ବପୁରୁଷମାନେ କ’ଣ ଖାଉଥିଲେ, ସେ ସବୁ ବର୍ତ୍ତମାନ ପୋଥି ଜିନିଷ ହୋଇ ଗଲାଣି, ହୁଏତ ଆମର ପୁଅ ନାତିମାନେ ସେ କଥାକୁ ବିଶ୍ଵାସ କରିବେ ନାହିଁ । ଆଉ ମଧ୍ୟ ଏ ଭେଜାଲ ଯୁଗରେ ପୂର୍ବପୁରୁଷଙ୍କ ନୀତିକୁ ଭେଜାଲ କରିବା କିଛି ଭୁଲ୍‍ ନୁହେଁ ।

 

ମହେନ୍ଦ୍ରବାବୁ ଯୁକ୍ତି କରି କହିଲେ, ବ୍ରାହ୍ମଣମାନେ କୁକୁଡ଼ାକୁ ଛୁଇଁଦେଲେ ଶୌଚ ହେଉଥିଲେ । ଯେଉଁମାନେ କୁକୁଡ଼ା ପାଳୁଥିଲେ, ତାଙ୍କୁ ଅନାର୍ଯ୍ୟ ବୋଲି କହୁଥିଲେ । ସମାଜର ସେହି ଶ୍ରେଣୀର ଲୋକଙ୍କୁ ବ୍ରାହ୍ମଣମାନେ ଘୃଣା କରୁଥିଲେ । ସେମାନେ କ’ଣ ମୂର୍ଖ ଥିଲେ ?

 

ବିନୟବାବୁ କହିଲେ, ବ୍ରାହ୍ମଣମାନେ ମୂର୍ଖ ନ ଥିଲେ ଯେ ସେମାନେ ଥିଲେ ସ୍ଵାର୍ଥପର । ବ୍ରାହ୍ମଣମାନେ ମାଛ ମାଂସ ଖାଉ ନ ଥିଲେ । ତା’ପରେ କୁକୁଡ଼ା ଡିମ୍ଵରେ ଥିବା ଭିଟାମିନ୍‍ କଥା ସେମାନଙ୍କୁ ଜଣା ନ ଥିଲା । ବ୍ରାହ୍ମଣମାନେ ଚାହୁଁଥିଲେ, ସମସ୍ତେ ତାଙ୍କୁ ହିଁ ଅନୁକରଣ କରନ୍ତୁ । ତେଣୁ ସେମାନେ ମାଛ ମାଂସ ନିଷିଦ୍ଧ କରିଥିଲେ । ଯେଉଁମାନେ ସେ ସବୁ ଖାଉଥିଲେ, ସେମାନେ ହେଲେ ମ୍ଳେଚ୍ଛ । ସମାଜରେ ଶ୍ରେଷ୍ଠ ଆସନ ଅଧିକାର କରି ସବୁ ଭଲ ଖାଦ୍ୟ ଖାଉଥିଲେ । ତେଣୁ ସେମାନଙ୍କୁ ସ୍ୱାର୍ଥପର କୁହାଯିବନି ତ ଆଉ କିଏ ହେବ ?

 

ମହେନ୍ଦ୍ରବାବୁ ବିନୟବାବୁଙ୍କ ସାଙ୍ଗରେ ଏକମତ ହେଲେ ନାହିଁ । ସେ ସେହି ପୁରୁଣା କଥାକୁ ଧରି ବସିଲେ । ବିନୟବାବୁ ପୁଣି ଯୁକ୍ତି କରି କହିଲେ, ଶ୍ରୀ ରାମଚନ୍ଦ୍ର ହେଉଛନ୍ତି ଆମର ଦେବତା, ଆମର ସେ ପୂଜ୍ୟ । କିନ୍ତୁ ତାଙ୍କ ନାଁଟା ଯେଉଁ ପକ୍ଷୀ ନାଁରେ ଯୋଡ଼ା ହୋଇଛି, ସେ କିପରି ଅସ୍ପୃଶ୍ୟ ହେଲା । ବରଂ ତାକୁ ପୂଜା କରିବାର କଥା । ତେଣୁ ବ୍ରାହ୍ମଣମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବାର କାରଣ କିଛି ନାହିଁ ।

 

ମହେନ୍ଦ୍ରବାବୁ ତୁନି ପଡ଼ିଲେ । ସେ ଦେଖିଲେ ବିନୟବାବୁ ତାଙ୍କ ମତରେ ଅଟଳ, ସେ କୁକୁଡ଼ା ରଖିବେ । ତେଣୁ ତାଙ୍କ ସାଙ୍ଗରେ ବେଶୀ ଯୁକ୍ତି କରିବାର ମୂଲ୍ୟ ନାହିଁ । ବିନୟବାବୁ ଜିତିଲେ ।

 

କାମ ଆରମ୍ଭ ହେଲା, କୁକୁଡ଼ା ଘର ହେବ । ଅଗଣା ସଫା ହେଲା । ଲୀନା ଦେବୀ ଏକଥା କିଛି ଜାଣି ନ ଥିଲେ । ସ୍ଵାମୀଙ୍କୁ କାର୍ଯ୍ୟର ଉଦ୍ଦେଶ୍ୟଟା ପଚାରିଲେ । ସେ ଖୁବ୍‍ ଆଶ୍ଚର୍ଯ୍ୟ ହେଲେ ଯେମିତି ଶୁଣିଛନ୍ତି କୁକୁଡ଼ା ରହିବେ ବୋଲି ବ୍ରାହ୍ମଣ ଘର ଝିଅ, ପୁରୁଣା କଥା ସବୁ ଏତେ ଶୀଘ୍ର ଅମାନ୍ୟ କରିବାକୁ ସେ ପ୍ରସ୍ତୁତ ନୁହନ୍ତି । ସ୍ଵାମୀଙ୍କ କାର୍ଯ୍ୟ ତାଙ୍କ ପସନ୍ଦକୁ ଆସିଲାନି । ସାଙ୍ଗେ ସାଙ୍ଗେ ସେ ପ୍ରତିବାଦ କରି କହିଲେ, କୁକୁଡ଼ା ଫୁକୁଡ଼ା ଆମ ଘରକୁ ଆସିବେନି । ସେଗୁଡ଼ାକ ଅବେଇଜ ପକ୍ଷୀ, ସବୁବେଳେ କେଁ କଟର ହେବେ, ଚାରିଆଡ଼େ ମଇଳା ପକାଇବେ । ମଣିଷକୁ ଟିକେ ଶାନ୍ତିରେ ବସାଇ ଦେବେନି ।

 

ବିନୟବାବୁ ସିନା ବାହାରେ ଯୁକ୍ତି କରି ଆସିଲେ, କିନ୍ତୁ ଘରେ ଏଣେ ଯୁଦ୍ଧଂ ଦେହି ଡାକରା । ଘରଲୋକଙ୍କୁ ନ ବୁଝାଇଲେ ସବୁ ଅଡ଼ୁଆ । ବିଶେଷତଃ ଘରଣୀ ନ ବୁଝିଲେ, ସୁବିଧା କାମରେ ଅସୁବିଧା ବାହାରିବ ।

 

ବିନୟବାବୁ ଲୀନା ଦେବୀଙ୍କୁ କହିଲେ, ଯେଉଁ କୁକୁଡ଼ା ଆସିବେ, ସେମାନେ ବୋବାଇବେ ନାହିଁ । ତା’ପରେ କୁକୁଡ଼ା ସବୁ ଗୋଟାଏ ଘରେ ପଶି ରହିବେ । ତେଣୁ ଘରଦ୍ଵାର ମଇଳା ହେବାର ପ୍ରଶ୍ନ ଉଠୁ ନାହିଁ । ସ୍ତ୍ରୀଙ୍କୁ ବିନୟବାବୁ କହିଲେ, ତୁମେ ତ ଦୁବୁଲା ପତଳା ଲୋକ, କୁକୁଡ଼ା ଡିମ୍ବ ଖାଇ ଯେବେ ମୋଟା ହୋଇଯିବ, ତା’ର ମୂଲ୍ୟ ବୁଝିବ । ଲୀନା ଦେବୀ ଭାବିଲେ, ସ୍ଵାମୀଙ୍କ କଥାଟା କାଳେ ଠିକ୍‍ ହୋଇପାରେ । ତେଣୁ ସେ ବିଶେଷ କିଛି ପ୍ରତିବାଦ କଲେନି । ବିନୟବାବୁ କାମରେ ମନ ଦେଲେ ।

 

କୁକୁଡ଼ା ଘର ତିଆରି ହେଲା । ଆଗପଟକୁ ଛାଡ଼ିଦେଲେ, ସବୁଆଡ଼ ନିବୁଜ, ପବନ ଯିବାର ରାସ୍ତା ନାହିଁ । ବିନୟବାବୁଙ୍କର ଧାରଣା, କୁକୁଡ଼ାଙ୍କର ବୋଧହୁଏ କମ୍‍ ପବନ ଦରକାର । ଚଟାଣରେ ଛଣ ଗୁଣ୍ଡ ବିଛା ହେଲା । ଘରର ଛାତଟା ଛଣ ଛପର ହେଲା । ବାଉଁଶ ପାତର ଦରଜା ଆଗରେ ଲାଗିଲା ।

 

ଚାରୋଟି କୁକୁଡ଼ା କିଣା ହେଲେ । ଜୀବନ୍ତ କୁକୁଡ଼ା ଓଜନ ହେଲେ । ବଡ଼ ମହଙ୍ଗା କିନ୍ତୁ-। ସେମାନଙ୍କ ପର, ନଖର ବି ମୂଲ୍ୟ ଅଛି । କୁକୁଡ଼ାଗୁଡ଼ିକର ଗୋଡ଼ ସବୁ ବନ୍ଧା ହେଲା । ସାଇକଲ ଉପରେ ସେମାନଙ୍କୁ ଧରି ବିନୟବାବୁ ଘର ଆଡ଼େ ଚାଲିଲେ ।

 

ଘରେ ଏଣେ ବିନୟବାବୁଙ୍କ ପୁଅ ଝିଅ ସମସ୍ତେ ଅପେକ୍ଷା କରି ବସିଛନ୍ତି, ବାପା କୁକୁଡ଼ା ଆଣିବେ । ଡିମ୍ବ ଖାଇବାର ଲୋଭ ସେମାନଙ୍କ ପାଖରେ ବେଶୀ ନ ହେଲେ ମଧ୍ୟ କୁକୁଡ଼ା ସାଙ୍ଗରେ ଖେଳିବାକୁ ପ୍ରବଳ ଇଚ୍ଛା । କୁକୁଡ଼ା ସବୁ ଅଗଣାରେ ଥୁଆ ହେଲେ । ନୂଆ ସ୍ଥାନ, ଅଚିହ୍ନା ସବୁ ଜଣା ପଡ଼ୁଛି । ଏଣେ ଗୋଡ଼ ବନ୍ଧା ହୋଇଛି । ଚାଲିବାର ଉପାୟ ନାହିଁ । ସନ୍ଧ୍ୟାବେଳ । ଥଣ୍ଡା ପବନ କିଛିସମୟ କୁକୁଡ଼ାମାନେ ଖାଇଲେ । ବଳ ଆସିଲା, ଗୋଡ଼ ବନ୍ଧା କଥା ସେମାନେ ଭୁଲିଗଲେ । ଅଗଣାରେ ସେମାନେ ଡେଇଁବା ଆରମ୍ଭ କରିଦେଲେ ।

 

ପିଲାଙ୍କ ଆନନ୍ଦ କହିଲେ ନ ସରେ । ସେମାନେବି କୁକୁଡ଼ାଙ୍କ ପଛରେ ଡେଇଁ ଡେଇଁ ସେମାନଙ୍କୁ ଧରିବାକୁ ଲାଗିଲେ । କୁକୁଡ଼ା ସବୁ ପିଲାଙ୍କଠାରୁ ରକ୍ଷା ପାଇବା ପାଇଁ କ୍‍ଅ–କ୍‍ଅ ହୋଇ ଆଗକୁ ଡେଇଁଲେ । ବିନୟବାବୁ ବାଧା ସୃଷ୍ଟିକଲେ । କୁକୁଡ଼ାଙ୍କ ଗୋଡ଼ ଫିଟାଇ ସେ ନୂଆ ଘରେ ରଖିଲେ, ଜେଲ୍‍ ଘର । ପକ୍ଷୀ ଜାତି, ତାଙ୍କର ଆଉ ସ୍ଵାଧୀନତା ଦରକାର ନାହିଁ । କେବଳ ମଣିଷ ଜାତିର ଦରକାର ମେଣ୍ଟାଇବା ହେଲା କାମ ।

 

ସକାଳ, ଲୀନାଦେବୀଙ୍କ ନିଦ ଭାଙ୍ଗିଗଲା । ଭାରି ପତଳା ନିଦ । ଚାରୋଟି କୁକୁଡ଼ା ଏକ ସଙ୍ଗରେ ଡାକୁଛନ୍ତି । କ୍‍ଅ–କ୍‍ଅ–କ୍‍ଅ–ଏଥିରେ କି ଶୋଇ ହୁଏ ? ଆଖି ମଳି ମଳି ଉଠିଲେ, ବୁଝିଲେ ସ୍ଵାମୀ ତା’ହେଲେ ମିଛ କହିଥିଲେ । ବଡ଼ିସକାଳୁ ଘରେ ଗଣ୍ଡଗୋଳ ସୃଷ୍ଟି କରିବାକୁ ଇଚ୍ଛା ହେଲା ନାହିଁ, ସେ ଚୁପ୍‍ ରହିଲେ ।

 

କୁକୁଡ଼ାଗୁଡ଼ାକ ଖୁସିଥିଲା ପରି ଜଣା ପଡ଼ିଲା । ଗୋଟିଏ ସ୍ଥାନରେ ଖାଦ୍ୟ ମିଳୁଛି । ଦାଣ୍ଡ ବାଡ଼ିରେ ବୁଲିବା ଦରକାର ନାହିଁ । ଖାଦ୍ୟ ଚିନ୍ତା ଗଲା । କିନ୍ତୁ ଚଳାବୁଲା କରିବାକୁ ସ୍ଥାନର ଅଭାବ । କିଛି ଦିନ ପରେ ସେ ଅଭ୍ୟାସଗତ ହୋଇଯିବ ।

 

ବିନୟବାବୁ ଏଣିକି କେବଳ କୁକୁଡ଼ା କାମରେ ଲାଗିଲେ । ତାଙ୍କ ପାଇଁ ଖାଦ୍ୟ ଆଣିବା, ପ୍ରତିଦିନ ଖାଇବାକୁ ଦେବା, ଘର ସଫା କରିବା ହେଲା କାମ । ସମସ୍ତେ ଅପେକ୍ଷା କରିଛନ୍ତି । କୁକୁଡ଼ା ଡିମ୍ବ ଦେବେ । ମାସେ ଗଡ଼ିଗଲା । କୁକୁଡ଼ାଗୁଡ଼ିକ ଡିମ୍ବ ଦେବାର ବାହାନା କରୁଛନ୍ତି । କିନ୍ତୁ ଡିମ୍ବ ନାହିଁ ।

 

ବିନୟବାବୁଙ୍କ ଆଶା କେବଳ ଆଶାରେ ରହିଛି । ସେ ବିରକ୍ତ ହୋଇ ଗଲେଣି । ଏତେ ପଇସା ଖର୍ଚ୍ଚ ହେଲା; କିନ୍ତୁ ଫଳ କିଛି ନାହିଁ କୁକୁଡ଼ା ଫାର୍ମକୁ ବିନୟବାବୁ ଗଲେ । ବୁଝିଲେ ସେ କୁକୁଡ଼ା ସବୁ କୁଡ଼ୁକି ହୋଇଛନ୍ତି । ଡିମ୍ବ ଦେବେ ନାହିଁ । କେବଳ ଡିମ୍ବ ଦେବାର ବାହାନା କରିବେ । ବିନୟବାବୁ ଭାବିଲେ, ସତେତ । ଏ ଯୁଗଟା ହେଲା ତ ସେଇୟା । ଗୁଣ ଥାଉ କି ନ ଥାଉ, ଦେଖେଇ ହେବା ହେଲା ଗୋଟିଏ ବଡ଼ କଥା । କୁକୁଡ଼ାଗୁଡ଼ିକ ତାହା ହିଁ କରୁଛନ୍ତି । ସମୟର ଛବି ତାଙ୍କଠାରେ ପ୍ରତିଫଳିତ । ତେଣୁ ସେମାନଙ୍କୁ ଦୋଷ ଦେଇ ଲାଭ ନାହିଁ । ମନ ଦୁଃଖ ହେଲା । ଭାବିଲେ ଫାର୍ମବାଲା ଏ କଥା ଆଗରୁ କହିଥିଲେ, କୁକୁଡ଼ା ସେ କିଣି ନ ଥାନ୍ତେ । ଫାର୍ମବାଲାଙ୍କର କୁକୁଡ଼ା ବିକିବା କଥା । ଗରାଖମାନଙ୍କୁ ଏ ସବୁ ଜଣାଇବା ସେ ଉଚିତ ମନେ କରନ୍ତିନି । ବିନୟବାବୁଙ୍କ ମନ ବିଷେଇ ଉଠିଲା ।

 

କୁକୁଡ଼ା ସବୁ ତାଙ୍କ କାମରେ ଲାଗିଥାନ୍ତି । ସକାଳୁ ସମସ୍ତଙ୍କୁ ନିଦରୁ ଉଠାଇବା ହେଲା ପ୍ରଥମ କଥା । ନିଜ ନିଜ ଭିତରେ କେବେ କେମିତି ଝଗଡ଼ା କରନ୍ତି ମଧ୍ୟ । ଖାଇବା, ପିଇବା ହେଲା ନିତିଦିନିଆ କଥା । ସେମାନେ ବିନୟବାବୁଙ୍କ ଦୁଃଖ ବୁଝିଲେନି ।

 

କିଛିଦିନ ଗଲା । କୁକୁଡ଼ାଗୁଡ଼ିକ ଆଉ ସତେଜ ରହୁ ନାହାନ୍ତି । ଖୋଲା ପବନ ମିଳିଲାନି-। ପକ୍ଷୀ ହେଲେ ବି ଅମ୍ଳଜାନ ଦରକାର । ସେଇଟାର ଅଭାବ ହେଲା । ସେମାନେ ହେଲେ ରୋଗାଣିଆ । ବିନୟବାବୁ ଦିନେ ଦେଖିଲେ ଦୁଇଟି କୁକୁଡ଼ା କିଛି ଖାଉ ନାହାନ୍ତି । ସେମାନଙ୍କୁ ଧରିଲା “ଘୁମାରୋଗ” । କୁକୁଡ଼ାଙ୍କୁ ନେଇ ବିନୟବାବୁ ଗଲେ ପଶୁ ଚିକିତ୍ସା କେନ୍ଦ୍ରକୁ-। ଔଷଧ ଦିଆଗଲା, କୁକୁଡ଼ା ଭଲ ହେଲେ ।

 

ଲୀନା ଦେବୀ କୁକୁଡ଼ା ଡିମ୍ବ ଖାଇବା ଆଶା ଅନେକ ଦିନରୁ ଛାଡ଼ି ଦେଲେଣି । ମୋଟା ହେବାର ସ୍ଵପ୍ନ ସେ ଆଉ ଦେଖୁ ନାହାନ୍ତି । ପିଲାମାନେ କୁକୁଡ଼ାଙ୍କ ସାଙ୍ଗରେ ଖେଳିବା କଥା ପାସୋରି ପକାଇଲେ । କୁକୁଡ଼ା ସବୁ ତ ଗୋଟାଏ ଘରେ ବନ୍ଦ । ଖେଳିବା କଥା ଆଉ ଉଠିବ କୁଆଡ଼ୁ ? ବିନୟବାବୁ ଦେଖିଲେ କୁକୁଡ଼ା ଡିମ୍ବ ଦେବେ ନାହିଁ । କେବଳ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ଖର୍ଚ୍ଚ ଲାଗିଛି । ପୁଣି କୁକୁଡ଼ାଙ୍କୁ ରୋଗ ଧରିଲାଣି । କୁକୁଡ଼ା ମାଂସ, ବଡ଼ ଲୋଭନୀୟ । ବିନୟବାବୁ ସେ ଆଶା ଆଉ ସମ୍ବରଣ କରି ପାରିଲେନି । ସେ ଦିନ ଘରେ ହେଲା କୁକୁଡ଼ା ମାଂସ ତରକାରୀ । ଡିମ୍ବକଥା ସମସ୍ତେ ଭୁଲିଗଲେ । ପ୍ରତିଦିନ ଗୋଟାଏ ଲେଖାଏଁ କୁକୁଡ଼ା ମାଂସ ତରକାରୀ । ଚାରିଦିନ ପରେ କୁକୁଡ଼ା ଘର ଖାଲି ପଡ଼ିଲା ।

Image

 

ରାଜଧାନୀରେ ନୂଆଘର

 

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ନୂଆ ସହର । ଏହି ସ୍ଥାନ ଜଙ୍ଗଲରେ ପୂରି ରହିଥିଲା-। ଦିନ ଦିପହରେ ଲୋକ ଡରୁଥିଲେ ସେ ବାଟେ ଯିବାପାଇଁ । ଆଜି ସବୁ ବଦଳି ଯାଇଛି-। ଯେଉଁଆଡ଼େ ଚାହିଁଲେ କେବଳ କୋଠାମାଳ । ଜନ ଗହଳି ସବୁଠାରେ । ଓଡ଼ିଶାର କେନ୍ଦ୍ରସ୍ଥଳ–ଭୁବନେଶ୍ଵରକୁ ନ ଗଲେ କିଛି କାମ ହେବନାହିଁ ।

 

ଏହି ସହର ହେଲା କେବଳ କର୍ମଚାରୀମାନଙ୍କ ପାଇଁ । ସରକାର ବଡ଼ ବଡ଼ ଅଫିସମାନ ତିଆରି କଲେ । କର୍ମଚାରୀମାନଙ୍କ ରହିବା ପାଇଁ ଘର ମଧ୍ୟ ତିଆରି ହେଲା, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ । ପୁରୁଣା ଲୋକଙ୍କୁ ଘର ମିଳିଲା, ନୂଆ ଲୋକମାନଙ୍କର ହେଲା ଚିନ୍ତା । ରାଜପଥରେ ବୁଲି ସେମାନେ ଖୋଜନ୍ତି ଆଶ୍ରୟ । ହୁଏତ ରାଜଧାନୀର ଏ ଗୋଟାଏ ନିତିଦିନିଆ ଦୃଶ୍ୟ–

 

କଲେଜରୁ ବାହାରନ୍ତି ନୂତନ ଯୁବକ । ଏମାନଙ୍କୁ ରାଜନୀତିଜ୍ଞମାନେ କୁହନ୍ତି, “ଦେଶର ଭବିଷ୍ୟତ” । ଅବଶ୍ୟ କଥାଟା ମିଛ ନୁହେଁ । କିନ୍ତୁ କି ସୁବିଧା ମିଳେ ସେମାନଙ୍କୁ ଦେଶର ମେରୁଦଣ୍ଡ ହେବାପାଇଁ ? ଅନ୍ନଚିନ୍ତା ଭୟଙ୍କରୀ, ପେଟ ଚାଖଣ୍ଡକ ପାଇଁ ସବୁ ନାଟ । ଚାକିରି ପାଇଁ ଚାଲନ୍ତି କଲେଜ ଯୁବକ ଭୁବନେଶ୍ୱରକୁ । କେତେ କଷ୍ଟ; କେତେ “ଦେଖାସାକ୍ଷାତ” କରିବାକୁ ପଡ଼େ । ବିଭିନ୍ନ ଉପାୟରେ ଚେଷ୍ଟା, ଶେଷରେ ଚାକିରି ମିଳେ । ସେତିକିରେ ଦୁଃଖ ସରେନା, ରହିବାକୁ ମିଳେନା ଘର, କେବଳ ଯନ୍ତ୍ରଣା ଭୋଗିବା କଥା ।

 

ଚନ୍ଦ୍ରମଣି ବାବୁ ବି.ଏ. ପାସ୍‍ କଲେ । ଆଗକୁ ପଢ଼ିବା ସମ୍ୱଳ ନାହିଁ, ପୋଥିରେ ଡୋର ବନ୍ଧାହେଲା । ସେକ୍ରେଟେରୀଏଟ୍‍, ସେଥିରେ ମିଳିଲା ଚାକିରି, ଭୁବନେଶ୍ଵରରେ ରହିବାର କଥା । କିନ୍ତୁ ଘର କାହିଁ ? କିଏବା ଏ ଦୁଃଖ ଦେଖୁଛି ? ସରକାରୀ ଚାକିରି ମିଳିଲା । ରାସ୍ତାଘାଟରେ ରହି ଅଫିସ କାମ କରିବାକୁ ହେବ । ସେଥିପ୍ରତି କାହାର କେବେ ନଜର ପଡ଼ିବା ଦେଖାଯାଏନା । ଚନ୍ଦ୍ରମଣିବାବୁ ଯିବା ଆସିବା କଲେ ପ୍ରତିଦିନ କଟକରୁ । ସେଠିବି ଘର ନାହିଁ, ଜଣେ ବନ୍ଧୁ ଆଶ୍ରୟ ଦେଇଥାନ୍ତି । ଦରମାରୁ ତିନିଭାଗରୁ ଏକ ଭାଗ ଯାଏ ବସ୍‍ ଖର୍ଚ୍ଚରେ । ତା’ପରେ ଯିବା ଆସିବା କଷ୍ଟଟା ବି ଅଛି ।

 

ଘର ପାଇଁ ଚନ୍ଦ୍ରବାବୁ ଆପ୍ରାଣ ଚେଷ୍ଟା କଲେ । ଘର ଯୋଗାଇବା ଅଫିସକୁ ଚାଲି ଚାଲି ଗୋଡ଼ରେ ଚାନ୍ଦି ଫୁଟିଗଲା । ଲମ୍ବା “ଅପେକ୍ଷା ତାଲିକା” ନିକଟ ଭବିଷ୍ୟତରେ ଘର ମିଳିବାର କୌଣସି ଆଶା ନାହିଁ । ଭୁବନେଶ୍ଵରରେ ଏଠି ସେଠି ରହି ଚନ୍ଦ୍ରବାବୁ ବିରକ୍ତ ହୋଇଗଲେ । ବହୁ କଷ୍ଟପରେ ନର-ନାରାୟଣଙ୍କର ଦୟା ହେଲା । ଚନ୍ଦ୍ରବାବୁ ପାଇଲେ ଘର ଖଣ୍ଡେ । ଦୀର୍ଘ ତପସ୍ୟାର ଫଳ । ଚନ୍ଦ୍ରବାବୁ ଖୁବ୍‍ ଖୁସି ହେଲେ । ଏଣିକି ଶାନ୍ତିରେ ନିଃଶ୍ଵାସ ମାରିବେ ।

 

ଚନ୍ଦ୍ରବାବୁଙ୍କ ମୁଣ୍ଡକୁ ଗୋଟାଏ ଚିନ୍ତା ଆସିଲା । ସବୁଦିନ ପାଇଁ ନିଜ ଘରର ଅସୁବିଧା ଦୂର କରିବାକୁ ପ୍ରବଳ ଇଚ୍ଛା ହେଲା । ସେ ଚେଷ୍ଟାକଲେ ଗୋଟିଏ ଘର ତିଆରି କରାଇବାକୁ । ଘର ତୋଳା ସମିତି ସବୁ ଗଢ଼ା ଯାଇଛି । ସେଥିରେ ସେ ହେଲେ ସଭ୍ୟ । ସେ ମଧ୍ୟ କିଛି ସହଜ କଥା ନୁହେଁ । ପଛରେ ନ ଦଉଡ଼ିଲେ କାମ ହେବ ନାହିଁ । ଯୁଗଧର୍ମ । କିଛି କାମ ଅଛି ତ, ତାରି ପାଛରେ ଲାଗି ରୁହ । ତା’ ନ ହେଲେ ସେ ରହିବ ନାଲି ଫିତାତଳେ । ମେମ୍ବର ହେବାର ପାଞ୍ଚବର୍ଷ ପରେ ଚନ୍ଦ୍ରବାବୁଙ୍କୁ ମିଲିଲା ସ୍ଥାନ । ପଞ୍ଚସ୍ତରୀ ଫୁଟ ଲମ୍ବ ଓ ଷାଠିଏ ଫୁଟ ଚଉଡ଼ା । ମୁନିସ୍‍ପାଲିଟିର ନିୟମ ମାନିବାକୁ ହେବ । ତା’ପରେ ଘର କଥା ବିଚାର-

 

ଚନ୍ଦ୍ରବାବୁ ପହଞ୍ଚିଲେ ବନ୍ଧୁ ବ୍ରଜବାବୁଙ୍କ ପାଖରେ । ସେ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର । ଭୁବନେଶ୍ୱରରେ ଅନେକ ଘରର ପ୍ଲାନ ସେ ଦେଲେଣି । ଖୁବ୍‍ ଖୁସିହେଲେ ଚନ୍ଦ୍ରବାବୁଙ୍କ ଉଦ୍ଦେଶ୍ୟ ଜାଣି, ଉତ୍ସାହ ଦେଲେ । ଚନ୍ଦ୍ରବାବୁଙ୍କ ଅନୁରୋଧ ଘରର ପ୍ଲାନ ପାଇଁ । ବ୍ରଜବାବୁ ପ୍ରତିଶ୍ରୁତି ଦେଲେ ପ୍ଲାନ କରିବା ପାଇଁ । ଏଣିକି ଦାୟିତ୍ଵ ତାଙ୍କର ।

 

ଇଞ୍ଜିନିୟର ବାବୁ ସ୍ଥାନଟି ଦେଖି ଆସିଲେ । ଜମି ଖଣ୍ତକର ଲମ୍ବ ପୂର୍ବ ପଶ୍ଚିମ ଦେଇ ରହିଛି । ଚନ୍ଦ୍ରବାବୁଙ୍କର ବରାଦ ହେଲା, ଭୁବନେଶ୍ଵରରେ ସରକାରୀ ଘର ମିଳୁନାହିଁ । ତେଣୁ ପ୍ଲାନ ଏପରି ହେବ, ଯେପରି ଦୁଇଟି ପରିବାର ଚଳିବେ । ସେ ଅଧକରେ ରହିବେ ଏବଂ ଅନ୍ୟ ଅଧକ ଭଢ଼ାରେ ଲଗାଇବେ । ସେଥିପାଇଁ ଅଲଗା ଅଲଗା ବାଟ ରହିବା ଦରକାର । ତା’ପରେ କେତୋଟି ଘର ରହିବ, ତା’ର ତାଲିକା ଦେଲେ ।

 

ବଜ୍ରବାବୁ କାମରେ ଲାଗିଲେ । ବନ୍ଧୁଙ୍କୁ କଥା ଦେଇ ସାରିଛନ୍ତି, ଅଫିସ ସମୟରେ ଏ କାମ କରିହେବ ନାହିଁ । ସମୟ ସୁବିଧା ଦେଖି ନିଜ ଘରେ ବସି ପ୍ଲାନ କରିବା କଥା । ଦୁଇଟା ପରିବାର ଚଳିବା ପାଇଁ ସ୍ଥାନର ଅଭାବ । ଅନେକ ଚେଷ୍ଟା କଲେ, କିନ୍ତୁ ସୁବିଧା ହେଲାନାହିଁ । ଚନ୍ଦ୍ରବାବୁଙ୍କୁ ସେ ବୁଝାଇ ବସିଲେ–କଥା ହେଲା ତଳ ଓ ଉପର ମହଲା ତିଆରି ହେବ । ତେଣୁ ଭଡ଼ା ଦେବାକୁ ଅସୁବିଧା ହେବ ନାହିଁ । ସେହି ଅନୁସାରେ ନୂଆ ପ୍ଲାନ ହେଲା, ଆଧୁନିକ ଧରଣ କୋଠାଘର ।

 

ଚନ୍ଦ୍ରବାବୁ ପ୍ଲାନ ଦେଖିଲେ ଏବଂ ବୁଝିଲେ । ବଜ୍ରବାବୁଙ୍କୁ ଗୋଟାଏ କଥା କହିବାକୁ ସେ ଭୁଲିଯାଇଥିଲେ । ଘର ସାଙ୍ଗରେ ଅଗଣା ରହିବା ଦରକାର । ଚଳିବାପାଇଁ ଖୋଲା ସ୍ଥାନ ଦରକାର-। ଆଉ ପୁଣି ନ୍ୟାୟ ନିମିତ୍ତ ଓ ପର୍ବପର୍ବାଣି କଥା ଅଛି । ଭାରତୀୟ ମନୋବୃତ୍ତି–ଖୋଲା ସ୍ଥାନ ନ ହେଲେ କାମ ନ ହୁଏ । ଇଞ୍ଜିନିୟର ବାବୁ ବୁଝିଲେ, ଏଇଟା ସତକଥା । ଅନ୍ତତଃ ଘରମାଲିକଙ୍କ କଥା ଅନୁସାରେ ପ୍ଲାନ ହେବା ଦରକାର ।

 

ବ୍ରଜବାବୁ ପୁଣି ପ୍ଲାନ ପରିବର୍ତ୍ତନ କଲେ । ପୂର୍ବ ଦିଗକୁ ଘରର ପ୍ରବେଶ ଦ୍ଵାର, ପଶ୍ଚିମ ଦିଗକୁ ସବୁ ଶୋଇବା ଘର ଅଛି । ଚନ୍ଦ୍ରବାବୁ ଅନେକ ସମୟରେ ଆସି ପ୍ଲାନ ବିଷୟରେ କଥାବାର୍ତ୍ତା କରନ୍ତି । ବାରମ୍ବାର ତାଗିଦ୍‍, ଅଳ୍ପ ସ୍ଥାନରେ ଘର ହେବା ଦରକାର । ପଇସା କମ୍‍ ଖର୍ଚ୍ଚ ହେବ, ଆଉ ମଧ୍ୟ ମୁନିସିପାଲ୍‍ଟି କର ବେଶି ହେବନି । ତା’ ନ ହେଲେ ବେଶି ପଇସା ଦେଇ ଘର କଲେ, କର ବେଶି ଦେବାକୁ ପଡ଼ିବ । ଦୁଇ ଦିଗରୁ ଦଣ୍ଡ ମିଳିବା କଥା ।

 

ସ୍ଥାନ କମ୍‍, ତା’ପରେ ଘର ମାଲିକଙ୍କ ବିଭିନ୍ନ ରକମ ବରାଦ । ଏ ସବୁକୁ ଲକ୍ଷ୍ୟ ରଖି ବଜ୍ରବାବୁ ପ୍ଲାନ କଲେ । ସେ ଖୁବ୍‍ ଖୁସି ହେଲେ, ତାଙ୍କ ବନ୍ଧୁଙ୍କ ପାଇଁ ଗୋଟିଏ ପ୍ଲାନ ସେ କରି ଦେଇଛନ୍ତି । ଘର ହେଲେ ଚନ୍ଦ୍ରବାବୁ ତ ଅନ୍ତତଃ ତାଙ୍କୁ ମନେ ରଖିବେ । ପ୍ଲାନଟି ନେଇ ଇଞ୍ଜିନିୟର ବାବୁ ବନ୍ଧୁଙ୍କ ଘରେ ପହଞ୍ଚିଲେ । ସମସ୍ତେ ଉଦ୍‍ବିଗ୍ନ, ପ୍ଲାନ ଦେଖିବେ । ବନ୍ଧୁ-ପତ୍ନୀଙ୍କୁ ସବୁ ଗୋଟି ଗୋଟି କରି ବୁଝାଇବାକୁ ପଡ଼ିଲା । ଶୋଇବା ଘର କେଉଁଠି, ରୋଷାଇଘର କେଉଁଟା, ଇତ୍ୟାଦି ଇତ୍ୟାଦି ।

 

ସେ ଖୁବ୍‍ ମନଦେଇ ଶୁଣିଲେ, ତାଙ୍କ ମନକୁ ପ୍ଲାନଟି ପାଇଲାନି । ଶୋଇବା ଘରଟି ଦକ୍ଷିଣ ଦିଗକୁ ହେବା ତାଙ୍କ ପସନ୍ଦକୁ ଆସିଲାନି । ବଜ୍ରବାବୁ ବୁଝାଇ ବସିଲେ, ଦକ୍ଷିଣା ପବନ ଶୋଇବା ଘରକୁ ଆସିବ, କିନ୍ତୁ ବନ୍ଧୁପତ୍ନୀ ନାରାଜ । ତାଙ୍କ ମତରେ ଅଟଳ ରହିବା ପାଇଁ ସେ ଯୁକ୍ତିକରି କହିଲେ, ଏ ତ ରାଜଧାନୀ, ବାରଭାଇ ଆଖାଡ଼ା, କାହା ସଙ୍ଗରେ କାହାର ସମ୍ପର୍କ ନାହିଁ । ଯଦି ପଡ଼ୋଶୀ ଦକ୍ଷିଣ ଦିଗକୁ ପାଇଖାନା କରନ୍ତି, ତା’ହେଲେ କ’ଣ ହେବ ? ଶୋଇବାଘରକୁ ସବୁବେଳେ ଦୁର୍ଗନ୍ଧ ଆସିବ ।

 

ବଜ୍ରବାବୁ କିଛି ଉତ୍ତର ଦେଇ ପାରିଲେନି । ସେ ଇଞ୍ଜିନିୟରିଂ ବିଦ୍ୟା ଲଗାଇ ଘରକୁ ପ୍ଲାନ କଲେ, କେମିତି ସୁବଧା ହେବ ଏବଂ ଭଲରେ ଚଳିହେବ, ଏଇ ହେଲା ତାଙ୍କର ଲକ୍ଷ୍ୟ । କିନ୍ତୁ ପଡ଼ୋଶୀ ଦକ୍ଷିଣଦିଗକୁ ପାଇଖାନା କରିବ ବୋଲି ସେ କେବେ ଭାବି ନ ଥିଲେ । ଏ ଯୁକ୍ତିକୁ ସେ ଏବେ କି ଉତ୍ତର ଦେବେ ?

 

ଚନ୍ଦ୍ରବାବୁ ସ୍ତ୍ରୀଙ୍କ କଥାଟାକୁ ସମର୍ଥନ କଲେ । ତା’ ନ ହେଲେ ଘରେ ସବୁଦିନେ କଳି ଲାଗିରହିବ । ଘର ପଛେ ଯାହା ହେଲେ ହେବ, କିନ୍ତୁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ଅସନ୍ତୁଷ୍ଟ କରିବା ଠିକ୍‍ ନୁହେଁ । ଚନ୍ଦ୍ରବାବୁଙ୍କ ଅନୁରୋଧ ଗୋଟାଏ କିଛି ପରିବର୍ତ୍ତନ କରିବାକୁ ହେବ ।

 

ବ୍ରଜବାବୁଙ୍କୁ ଆଉ ବିଶେଷ କିଛି ଭାବିବାକୁ ପଡ଼ିଲାନି । ଘର ମାଲିକଙ୍କ ଇଚ୍ଛା ଅନୁସାରେ ପ୍ଲାନ ହେଲା ସେମାନେ ରହିବେ, ତେଣୁ ଘର ସେମାନଙ୍କ ମନ ଲାଖି ହେବା ଉଚିତ । ଇଞ୍ଜିନିୟରିଂ ବିଦ୍ୟାର ଆବଶ୍ୟକତା ପଡ଼ିଲା ନାହିଁ । ଅଗଣା ରହିଲା ଏବଂ ଶୋଇବା ଘରଗୁଡ଼ିକ ଉତ୍ତର ଦିଗକୁ ହେଲା । ରାସ୍ତା ପାଖ, ଘରର ପ୍ରତ୍ୟେକ କାର୍ଯ୍ୟ ରାସ୍ତା ଲୋକଙ୍କୁ ଦେଖାଯିବ ।

 

ଘର ତିଆରି ଶେଷ ହେଲା । ବାହାର ଲୋକଙ୍କୁ ଲୁଚିବା ପାଇଁ ସବୁବେଳେ ଝରକା ଓ କବାଟ ବନ୍ଦ କରି ରଖିବାକୁ ପଡ଼ିଲା । ତେଣୁ ପବନ ବେଶୀ ଯିବା ଆସିବା କରିପାରିଲାନି । କେବେ କେବେ ରୋଷାଇଘରୁ ଧୂଆଁ ଆସି ଶୋଇବା ଘରେ ପଶେ । ସ୍ଥାନ ଅଭାବରୁ ବରଣ୍ଡାର ଓସାର କମ୍‍ । ବର୍ଷାହେଲେ ବାରଣ୍ଡାରେ ଚାଲିବା ମୁସ୍କିଲ୍‍ । କିନ୍ତୁ ଯାହା ମନ ଯାହାକୁ ରସେ, ବନ୍ଧୁ ଓ ବନ୍ଧୁପତ୍ନୀ ଖୁବ୍‍ ଖୁସି । ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ହୋଇଛି ।

 

ଚନ୍ଦ୍ରବାବୁଙ୍କ ଘର ତିଆରି ଦେଖି ପଡ଼ୋଶୀ ଘର ତିଆରି ଆରମ୍ଭ କଲେ, ଆଧୁନିକ ଧରଣର କୋଠାଘର । ସେ ଅଗଣା ରଖିଲେନି, ପାଇଖାନା ତିଆରି କଲେ ଚନ୍ଦ୍ରବାବୁଙ୍କ ଶୋଇବା ଘରଠାରୁ କମ୍‍ ଦୂରରେ । ଯେଉଁଥି ପାଇଁ ଚନ୍ଦ୍ରବାବୁ ଏତେ ଡରି ପ୍ଲାନ ପରିବର୍ତ୍ତନ କରିଥିଲେ, ବର୍ତ୍ତମାନ ତାହାହିଁ ହେଲା । ଚନ୍ଦ୍ରବାବୁ ଅନେକ ସମୟରେ ସ୍ତ୍ରୀଙ୍କୁ କହନ୍ତି ବ୍ରଜବାବୁଙ୍କ କଥା ଅନୁସାରେ ଦକ୍ଷିଣ ଦିଗକୁ ଶୋଇବା ଘର କରିଥିଲେ ଭଲ ହୋଇଥାନ୍ତା । ସେ କିଛି ଉତ୍ତର ଦିଅନ୍ତିନି, ବର୍ତ୍ତମାନ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଛି, ସୁଧାରିବାର ଉପାୟ ନାହିଁ । ତଥାପି ତାଙ୍କର ମନରେ ଗର୍ବ ଯେ ରାଜଧାନୀରେ ତାଙ୍କ ନିଜର କୋଠାଘର ଅଛି । ୟା କ’ଣ କମ୍‍ କଥା ।

Image

 

ବନ୍ଧନ

 

ଫୁଲ ସଞ୍ଜବେଳ । ଘର ପାଖ ଚାକୁଣ୍ଡା ଗଛ ଉପରକୁ ଚଢ଼େଇ ସବୁ ଉଡ଼ି ଆସିଲେଣି । କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ି ଯାଉଛି । ଗାଈଆଳ ପିଲାର ବଂଶୀସ୍ଵର ଧୀରେ ଧୀରେ ଶୁଭୁଛି । ସେ ଗାଈ ଅଡ଼େଇ ଗାଁ ମୁହାଁ ଚାଲିଛି । ହମ୍ବା ହମ୍ବା ରଡ଼ି–ବାଛୁରୀମାନଙ୍କୁ ଆହ୍ୱାନ । ବାଛୁରୀ ସବୁ ଖୁଣ୍ଟରେ ବନ୍ଧା ହୋଇ ଗାଈ ଆସିବା ରାସ୍ତାକୁ ଅନାଇଛନ୍ତି । ବୃନ୍ଦାବତୀଙ୍କ ନିକଟରେ ବତୀ ଜଳିବା ବେଳ ହେଲାଣି । ଆଶାଦେବୀ ଭୁଲି ଯାଇଛନ୍ତି, ସେ ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଛନ୍ତି । ମନକଥା କାହାକୁ କହିବେ ? ମନ ବେଦନାକୁ ଆଖି ଲୁହରେ ଧୋଇବାର ଚେଷ୍ଟା । ସମ୍ଭବ ହେଉନି । ଯେତେ ଭାବୁଛନ୍ତି, ସେତେ କୋହ ଉଠୁଛି ।

 

ନା, ସେ ଆଉ ଚଳି ପାରିବେନି । ଗୋଟାଏ କିଛି କରିବାକୁ ହେବ । ସେ ଆଉ ପିଲାଙ୍କୁ ସମ୍ଭାଳି ରଖି ପାରିବେନି । ଏ କଥା ସ୍ଵାମୀଙ୍କୁ ସଫା ସଫା କହିଦେବେ । ଆରେ ସତେ ତ ! ସେ ବି ନିକଟରେ କାହାନ୍ତି ? ସ୍ୱାମୀ ପାଖରେ ଥିଲେ ତାଙ୍କର କାନ୍ଦିବାର ପ୍ରଶ୍ନ ଉଠାନ୍ତାନି, ସବୁ କଥା ଆପେ ଆପେ ଠିକ୍‍ ହୋଇ ଯାଆନ୍ତା ।

 

ସଦାନନ୍ଦ ବାବୁ ଆଶାଦେଈଙ୍କ ସ୍ୱାମୀ । ସରକାରୀ କର୍ମ୍ମଚାରୀ, ବାରବର୍ଷ ହେଲା ବିବାହ କଲେଣି । ସବୁବେଳେ ପାଖରେ ରହୁଥିଲେ । ପ୍ରତି କାର୍ଯ୍ୟରେ ଆଶାଦେଈଙ୍କୁ ସାହାଯ୍ୟ କରନ୍ତି; କିନ୍ତୁ ଚାରିମାସ ହେଲା ସେ ବଦଳି ହୋଇଛନ୍ତି । ସେ ଗଲେ ଦୂରକୁ । ଖବର ପଠାଇଲେ ତିନିଦିନେ ପହଞ୍ଚୁଛି । ସ୍ଵାମୀଙ୍କ ସାଙ୍ଗରେ ଆଶାଦେଈ ଯାଇଥାନ୍ତେ । ଘର ଛାଡ଼ିଲେ ଅବସ୍ଥା । ପାଞ୍ଚଟି ପିଲା, ବିଭିନ୍ନ ପ୍ରକାର ସୁବିଧା ଅସୁବିଧା ଅଛି । ତା’ପରେ ପୁଣି ପିଲାମାନଙ୍କ ପାଠପଢ଼ା । ସେ ସବୁ ପ୍ରତି ନଜର ରଖିବା କଥା । ଆଶାଦେଈ ସ୍ଵାମୀଙ୍କ ସାଙ୍ଗରେ ଗଲେ ନାହିଁ–ପିଲାମାନଙ୍କୁ ନେଇ ଘରେ ଅଛନ୍ତି ।

 

ବଡ଼ଝିଅ ରତି–ଏଗାର ବରଷର ହେଲାଣି । ମାଇନର ସ୍କୁଲରେ ପଢ଼ୁଛି । ସ୍କୁଲରୁ ଫେରିଲେ ଖେଳ, ଦଉଡ଼ା ଦଉଡ଼ି, କିତିକିତି ଓ ଫୁଟବଲ ଖେଳ ପ୍ରଭୃତି କିଛି ବାଦ୍‍ ଯାଉନି । ଘରେ କ’ଣ ହେଉଛି, ତା’ର ସେଥିପାଇଁ ଚିନ୍ତା ନାହିଁ । ସାଥୀପିଲା ଜୁଟିଲ କଣ୍ଢେଇ ବାହାଘର ହେବ । ସଡ଼େଇରେ ଭାତ ରନ୍ଧା ହୋଇ ବଣ୍ଟା ହେବ । ସଦାନନ୍ଦବାବୁ ତାକୁ କିଛି କହନ୍ତି ନାହିଁ, ବଡ଼ଝିଅ ସେ-। ଆଶାଦେଈ କେବେ କେବେ ବିରକ୍ତ ହୁଅନ୍ତି, ରତିକୁ ଶିକ୍ଷା ଦେବାକୁ ଚେଷ୍ଟା କରନ୍ତି । ଘର କାମ ଶିଖିବା ଦରକାର । ଝିଅ ଜନମ ପର ଘରକୁ । ଆଉ ବା କେତେ ଦିନ ? ସେ ତା’ର ଘରସଂସାର କରିବ ।

 

ରତି କିନ୍ତୁ କିଛି ବୁଝେନା । ଦିନକ ଭିତରେ ଘଣ୍ଟାଏ ବହି ଦେଖିଲେ ଖୁବ୍‍ ବେଶୀ । ଖାଲି ଖେଳ, ଖେଳ ଆଉ ଖେଳ । ବୋଉ କଥା ଆଦୌ କାନରେ ପଶେନା । ବଡ଼ଝିଅ–ଗେହ୍ଲା ହୋଇଛି, ସେ ପୁଣି ପୁଅ କଢ଼େଇଛି । ଆଶାଦେଈଙ୍କ ଶାସନଟା ତା’ପାଇଁ ଟିକେ କୋହଳ । ସେ ଭାବନ୍ତି, କ’ଣ କରୁଛି କରୁ । କାନ୍ଧରେ ପଡ଼ିଲେ ବଳେ ବଜାଇ ଶିଖିବ ।

 

ରତି ତଳ ପୁଅ ସୁରେଶ ଆଠ ବରଷର । ସବୁରକମ ଦୁଷ୍ଟାମି ସେ ଶିଖିଛି । ଯାହା କହନ୍ତି ଚାଲିଲା ଶଗଡ଼ରେ ହାତ ପୂରାଇବା କଥା । ପାଠ ପଢ଼ିବାକୁ ଯାଏ–ସ୍କୁଲରେ ପାଠ ପଢ଼େ କି ନାହିଁ, ଜଣାପଡ଼େନା । ମନ ହେଲେ ସ୍କୁଲକୁ ଯାଏ, ତା’ ନ ହେଲେ ବାଟରେ ବହିବସ୍ତାନି ରଖିଦେଇ ଖେଳ ଆରମ୍ଭ କରେ । ସ୍କୁଲ ବେଳ ଚାଲିଗଲେ ଘରକୁ ଫେରେ ।

 

ସୁରେଶର ସାନ ବଡ଼ ବିଚାର ନାହିଁ, ସମସ୍ତଙ୍କ ସାଙ୍ଗରେ ମାଡ଼ ଗୋଳ । ତାକୁ କେହି କିଛି କହିବେନି । ତା’ ଦେହରେ ଟିପ ଛୁଁଆଇଲେ ପାଟି କରିବ, ସତେ ଯେମିତି ଲାଉଡ ସ୍ପିକର ଲାଗିଛି । ସଦାନନ୍ଦବାବୁ କିଛି ଶୁଣନ୍ତିନି, ଦୁଷ୍ଟାମି ଦେଖିଲେ ଆଖି କାନ ଛାଡ଼ି ପିଟନ୍ତି । ଶାସନ–ପେଟରେ ସ୍ନେହ–ବାହାରକୁ ଦେଖାଇ ଲାଭ କ’ଣ ? ପିଲା ମୁହଁ ବଢ଼ା ହୋଇ ଖରାପ ହୋଇଯିବେ-। କିନ୍ତୁ ସୁରେଶ ପିଟା ଘଣ୍ଟ, ଯେତେ ମାଡ଼ ଖାଉ, ପର ମୁହୂର୍ତ୍ତରେ ସବୁ ଭୁଲିଯାଇ ପୁଣି ଦୁଷ୍ଟାମି ଆରମ୍ଭ କରେ ।

 

ସୁରେଶ ପରେ ସଂସାରକୁ ଆସିଲେ ରମେଶ, ଉମେଶ ଓ ବିକାଶ । ଗୋଟିକ ପରେ ଗୋଟିଏ ପୁଅ । ରମେଶକୁ ପାଞ୍ଚ ବରଷ । ଟିକିଏ ଦୁର୍ବଳ, ଖାଇ ସାରିଲେ ତା’ କାମଶେଷ । ଏକୁଟିଆ ଖେଳିବ, କାହାକୁ କିଛି କହିବନି । ରମେଶ ଉପରେ ଦାଉ ସମସ୍ତଙ୍କର । ତାକୁ ମାଡ଼ ଦିଅନ୍ତି ସମସ୍ତେ–ସେ କାନ୍ଦେ ପୁଣି ମନକୁ ମନ ତୁନି ହୁଏ ।

 

ଉମେଶ କଥା କହିଲେ ନ ସରେ । ତିନି ବରଷର, ସେ କହେ ଯେ ପୋଲିସ ଚାକିରି କରିବ । ତାକୁ ଚଳାଇବା ବଡ଼ କଷ୍ଟ । କାନ୍ଦ ହେଲା ତା’ର ପ୍ରଧାନ ଅସ୍ତ୍ର । କିଛି କାରଣ ନ ଥାଇ ମଧ୍ୟ ସେ କାନ୍ଦି ବ୍ୟସ୍ତ କରି ପକାଇବ । ଖୁବ୍‍ ବଡ଼ପାଟି, ତା’ ପାଟି ଶୁଣିଲେ ମୁଣ୍ଡ ବିଗିଡ଼ିଯିବା କଥା । ସୁରେଶ ଓ ଉମେଶର ସବୁବେଳେ ମାଡ଼ଗୋଳ, କେହି ବୁଝିବା କଥା ନାହିଁ ।

 

ବିକାଶ କୋଳପୁଅ, ସଂସାରର କିଛି କଥା ତାକୁ ଜଣା ନାହିଁ । ସବୁବେଳେ ମା କୋଡ଼ରେ ବସିବ । ଭୋକ ହେଲେ କାନ୍ଦିବ । ତା’ ଉପରେ ସବୁବେଳେ ନଜର ରଖିବା ଦରକାର ପଡ଼ୁଛି ।

 

ଆଶାଦେଈଙ୍କ ପାଖରେ ଶ୍ଵଶୁରଙ୍କ ବ୍ୟତୀତ ଆଉ କେହି ନାହାନ୍ତି । ଶାଶୁ ଅନେକ ଦିନରୁ ସଂସାର ଛାଡ଼ିଲେଣି । ଆଉ ନଣନ୍ଦମାନେ କେତେଦିନରୁ ପରଗୋତ୍ରୀ ହେଲେଣି । ନିଜ ଚିନ୍ତାରେ ସେମାନେ ବ୍ୟସ୍ତ । ଶ୍ଵଶୁର ବୁଢ଼ାଲୋକ, ଭୋଳା ମହେଶ । କେଉଁଥିକି ନଜର ନାହିଁ । ସଂସାରରୁ ମାୟା ମମତା କମି ଆସିଲାଣି । ଦେହ ଆଉ ମନରେ ଶିଥିଳତା । ପିଲାଙ୍କ ସାଙ୍ଗରେ ସେ ଜଣେ ପିଲା । ତାଙ୍କୁ ଚଳାଇବା ଏକ ସମସ୍ୟା । ତାଙ୍କର ଦାବି, ପୁଅ ବୋହୂ ତାଙ୍କ ଖବର ବୁଝିବେ—ସେ ବା କାହିଁକି କିଛି ଭାବିବେ ?

 

ବର୍ଷକ ପୂର୍ବରୁ ତାଙ୍କ ପାଖରେ ଥିଲା ଚାକର ଦିନା । ବାର ଚଉଦ ବରଷର ପିଲାଟିଏ, କୁନ୍ଦିଲା କୁନ୍ଦିଲା ଦେହ । ମନକୁ ଆସିଲେ ଦୁଇକାମ କରିଦେଇ ଚାଲିଯିବ । ତା’ ନ ହେଲେ ପେଖନା ଧରି ବସିବ, ତା’ ଦେହ ଭଲ ନାହିଁ । ବଡ଼ କଥା ହେଲା ତା’ ଆଖି ଆଗରୁ କିଛି ବଞ୍ଚାଇ ରଖିବା । ଖାଇବା ଜିନିଷ କଞ୍ଚା, ସିଝା କିଛି ରଖିହୁଏନା । ଘରେ କେହି ନ ଥିଲେ ଦିନା କଞ୍ଚାପରିବା ମଧ୍ୟ ସବୁ ଖାଇଦିଏ । ସିଝା କଥା ଆଉ ପଚାରେ କିଏ ? ବାଧ୍ୟ ହୋଇ ତାକୁ ବିଦା କରିବାକୁ ପଡ଼ିଲା ।

 

ସଦାନନ୍ଦ ବାବୁ ରହିଲେ ଦୂରରେ । ଛୋଟ ସଂସାରର ଦାୟିତ୍ଵ ପଡ଼ିଲା ଆଶାଦେବୀଙ୍କ ଉପରେ । ପିଲାଙ୍କୁ ଚଳାଇବା ଯେ କି କଷ୍ଟ ତା’ ଆଶାଦେବୀ ଅଙ୍ଗେ ଲିଭୋଉଛନ୍ତି । କିନ୍ତୁ କହିବାକୁ ବଡ଼ ସହଜ । ପିଲାଙ୍କୁ ଖାଇବାକୁ ପିଇବାକୁ ଦେଲେ କାମ ସରିଗଲା, ସେମାନେ ଖେଳିବେ । ତେଣୁ କିଛି ଚିନ୍ତା ନାହିଁ କିନ୍ତୁ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ କି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, ତା’ ପ୍ରତ୍ୟେକ ଭୁକ୍ତଭୋଗୀ ମାତ୍ରେ ହିଁ ଜାଣନ୍ତି ।

 

ଆଶାଦେବୀଙ୍କର ସକାଳୁ ସଞ୍ଜଯାଏ କାମ ଲାଗିଥାଏ । କୁଆ କା କା କଲେ ସେ ବିଛଣା ଛାଡ଼ନ୍ତି । ତା’ପରେ କିଏ କ’ଣ ଖାଇବ ଏବଂ କେତେବେଳେ ଖାଇବ ସେଥିପ୍ରତି ନିଘା ଦେବାକୁ ପଡ଼େ । ସୁରେଶକୁ ଖାଇବାକୁ ଦେଇ ଶାନ୍ତିରେ ପଢ଼ିବାକୁ ପଠାଇବା ଗୋଟାଏ ବଡ଼ ଚିନ୍ତା-। ଯାହା ରୋଷାଇ ହେବ, ସବୁ ତା’ ପାଖରେ ରଖା ହେବ । ପିଲାମନ–କହିବ ‘ସବୁ ଖାଇବି’-। ସେ ଖାଇସାରିଲେ ଅନ୍ୟମାନଙ୍କ କଥା ବିଚାର । ଯଦି ଦୈବାତ୍‍ ରମେଶ, ଉମେଶ ଖାଇ ବସିଲେ, ସେ ଦିନ ଝଗଡ଼ା ହୁଏ । ଚୁଟି ଧରାଧରି ହୁଅନ୍ତି । ତା’ପରେ ବିଧା ଗୋଇଠାର ବୃଷ୍ଟି-। ଏସବୁରେ ସାବଧାନ କରିବେ ଆଶାଦେବୀ । ସେହି ସମୟରେ ବିକାଶ କାନ୍ଦି ଉଠିଲେ ତା’ ପାଖକୁ ଦଉଡ଼ନ୍ତି ସେ । ଏ ସବୁ କାମ ମଣିଷକୁ ବ୍ୟସ୍ତକରି ପକାଏ । ଆଶାଦେବୀଙ୍କର ସବୁ କାମ ଅଡ଼ୁଆ ଅଡ଼ୁଆ ହୋଇଯାଏ ।

 

ରତି ଫେରେ ଖେଳରୁ । ଖାଇବା ପିଇବାରେ ବଡ଼ ଅଝଟ । ଭଲ ଜିନିଷ ହେଲେ ଖାଇବ, ନ ହେଲେ ଉପାସ ରହିବ । ଅନେକ ସମୟରେ ସୁରେଶ ଓ ରତିର ମାଡ଼ଗୋଳ ହୁଏ । ତଳି ଉପର ପିଲା, ସେମାନଙ୍କର ପଡ଼େନା । ମା’ଠାରୁ କ୍ଷୀର ଖାଇବା ରତିର ବନ୍ଦ ହୋଇଛି କେବଳ ସୁରେଶ ଯୋଗୁ । ସେଇ ବୋଧହୁଏ ଶତ୍ରୁତାର କାରଣ । ଛୋଟ ଛୋଟ କାରଣପାଇଁ ଜଣେ ଅନ୍ୟକୁ ଯୁଦ୍ଧ ଡାକରା ଦିଏ । ସୁରେଶର ପ୍ରାୟ ପ୍ରତିଦିନ ଜିତାପଟ ହୁଏ । ରତି କିନ୍ତୁ ନଛୋଡ଼ବନ୍ଧା, ତେଣୁ ଝଗଡ଼ା କେବେ ବନ୍ଦ ହୁଏନି ।

 

ସୁରୁଯ ଦେବତା କେବେ ମା କୋଳକୁ ଯାଆନ୍ତି, ଆଶାଦେବୀଙ୍କୁ ଜଣା ପଡ଼େନା । ରାତି ଏଗାରଟା ପର୍ଯ୍ୟନ୍ତ କାମ ଲାଗିଥାଏ । ଦେହ ହାତ ଦରଜ ହୋଇଯାଏ, ସେ ହାଲିଆ ହୋଇ ପଡ଼ନ୍ତି-। କୌଣସି ପିଲାର ଦେହ ଖରାପ ହେଲେ, ସେ ଦିନ ରାତିରେ ଶୋଇବା କଥା ଭୁଲିଯିବାକୁ ପଡ଼େ-। ଆଶାଦେବୀ କିଛି ଠିକ୍‍ କରିପାରନ୍ତିନି, କ’ଣ ସେ କରିବେ । ସମୟ ଟିକିଏ ମିଳିଲେ ବସି କାନ୍ଦନ୍ତି-। ମନର ବେଦନା କମିଯାଏ । ସେହି ଆଶ୍ଵାସନା, ସମବେଦନା ଜଣାଇବାକୁ କେହି ନାହିଁ ।

 

ଆଶାଦେବୀ ଚିଠି ଲେଖନ୍ତି ସଦାନନ୍ଦବାବୁଙ୍କ ପାଖକୁ, ଘରକୁ ଆସିବାକୁ ହେବ । ଚାକିରି କଥା । ସଦାନନ୍ଦବାବୁଙ୍କୁ ଛୁଟି ମିଳେନା । ଘର କଥା ତାଙ୍କର ମନେପଡ଼େ । ପିଲାଙ୍କ କଥା ଭାବି ଭାବି ବେଳ ଯାଏ । ଅଫିସ କାମ ଭଲ ଭାବରେ କରିବାକୁ ମନ ଲାଗେନା କିମ୍ବା ସେ ଘରକୁ ଆସି ପାରନ୍ତିନି । ସଦାନନ୍ଦବାବୁଙ୍କ ବାଟକୁ ଅନାଇ ଅନାଇ ଆଶାଦେବୀଙ୍କ ଆଖିରୁ ପାଣି ମରେ ।

 

ଘରୁ ଟେଲିଗ୍ରାମ ଗଲା । ସଦାନନ୍ଦବାବୁଙ୍କୁ ଦୁଇଦିନ ଛୁଟି ମିଳିଲା । ସତେ ଯେମିତି ଈଶ୍ୱର ତାଙ୍କ ପ୍ରାର୍ଥନା ଶୁଣିଲେ । ସଦାନନ୍ଦବାବୁ ଘରେ ପହୁଞ୍ଚିଲେ । ଆଶାଦେବୀଙ୍କର ଅଭିଯୋଗ ଓ ଅନୁରୋଧ, ସେ ଆଉ ଏକୁଟିଆ ଘର ଚଳାଇ ପାରିବେନି । ସଦାନନ୍ଦବାବୁ ଘରେ ରହିବା ନିତାନ୍ତ ଦରକାର । ତା’ ନହେଲେ ସେ ପିଲାଙ୍କୁ ନେଇ ସାଥିରେ ଯିବେ ।

 

ଏ ଦୁଇଟି ପ୍ରସ୍ତାବରୁ କେଉଁଟି ସମ୍ଭବ ନୁହେଁ । ସଦାନନ୍ଦବାବୁ ଚାକିରି ଛାଡ଼ି ପାରିବେନି । ତା’ ଉପରେ ପରିବାର ଲୋକଙ୍କୁ ସାଥିରେ ନେବା ସମ୍ଭବ ନୁହେଁ । ନୂଆ ସ୍ଥାନରେ ଘର ନାହିଁ । ସେ ନିଜେ ହୋଟେଲରେ ଖାଉଛନ୍ତି ଓ ଅଫିସରେ ଶୋଉଛନ୍ତି । ତେଣୁ ପରିବାର କଥା ଆଦୌ ଉଠୁନାହିଁ । ସଦାନନ୍ଦବାବୁ ଆଶାଦେବୀଙ୍କୁ ବୁଝାଇ ବସିଲେ । ଏକୁଟିଆ ପିଲାଙ୍କ ଖବର ବୁଝିବାକୁ ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗୁଛି । ଆସ୍ତେ ଆସ୍ତେ ସବୁ ଠିକ୍‍ ହୋଇଯିବ ।

 

ଠିକ୍‍ ହେଲା ଆଶାଦେବୀ ରହିବେ ଘରେ । ସେମିତି ନିଦରୁ ଉଠି ଶୋଇବା ପର୍ଯ୍ୟନ୍ତ କାମ କରିବେ । କେବଳ ଘାଣ୍ଟି ହେବା କଥା । କିନ୍ତୁ କଥା ହେଲା ଯେ ସୁରେଶ ଯିବ ସଦାନନ୍ଦବାବୁଙ୍କ ସାଙ୍ଗରେ । ବାପାଙ୍କ ପାଖରେ ରହି ପଢ଼ାପଢ଼ି କରିବ । ଅନ୍ତତଃ ତା’ର ଦୁଷ୍ଟାମି କମିଯିବ ।

ଜିନିଷପତ୍ର ବନ୍ଧା ହେଲା । ସୁରେଶ ବିଦାୟ ନେଲା ରତି ଆଉ ଛୋଟ ଭାଇଙ୍କ ଠାରୁ । ପ୍ରତିଶ୍ରୁତି ମଧ୍ୟ ଦେଲା ସେ ଆଉ କାହାକୁ ମାରିବନି । ତା’ପରେ ଫେରିଲା ବେଳେ ସମସ୍ତଙ୍କ ପାଇଁ ନୂଆ ଜିନିଷ ଆଣିବ । ସେ ଆଶାଦେବୀଙ୍କ କୋଡ଼ରେ ବସି ଦୁଇଧାର ଲୁହ ଗଡ଼ାଇ ଦେଲା । ତା’ପରେ ସଦାନନ୍ଦ ବାବୁ ସୁରେଶକୁ ଧରି ଷ୍ଟେସନକୁ ଚାଲିଲେ ।

ଆଶାଦେବୀଙ୍କ ମନ ଅଥୟ ହେଲା । ସୁରେଶ—ସେ ଛୋଟ ପୁଅଟା, ଯିବ କେଉଁଠିକି-? ତା’ ଖାଇବା ପିଇବା ଖବର ବୁଝିବ କିଏ ? ସଦାନନ୍ଦବାବୁ ପୁରୁଷ ଲୋକ, ସେ କ’ଣ ସେ ସବୁର ତତ୍ତ୍ଵ ନେଇ ପାରିବେ ? ସେ ଯେତେ ଭାବିଲେ, ସେତେ କୋହ ବଢ଼ିଲା । ସୁରେଶ ଦୂରରେ ରହିବ, ଏ କଥା ଆଶାଦେବୀ ଚିନ୍ତାକରି ପାରିଲେନି । ସୁରେଶର ଦୁଷ୍ଟାମି କଥା ସେ ପାସୋରି ପକାଇଲେ-

ସନ୍ଧ୍ୟାବେଳ । ସଦାନନ୍ଦବାବୁ ଓ ସୁରେଶ ଷ୍ଟେସନରେ ବସିଛନ୍ତି, ଗାଡ଼ିକୁ ଅପେକ୍ଷା । ଆଶାଦେବୀ ଷ୍ଟେସନରେ ପହଞ୍ଚିଲେ । ଆଖିରେ ତାଙ୍କର ଲୁହଧାର । ସୁରେଶକୁ କାଖରେ ଧରି ସେ ଫେରିଆସିଲେ । ସଦାନନ୍ଦବାବୁ କିଛି ପ୍ରତିବାଦ କରି ପାରିଲେନି । ସୁରେଶ ରହିବ ମା ପାଖରେ । ସଦାନନ୍ଦ ବାବୁ ଗାଡ଼ିରେ ବସି ଭାବୁଥାନ୍ତି କେବଳ ସ୍ତ୍ରୀଙ୍କ କଥା । ସତେ ମ ! ଏ ସ୍ତ୍ରୀ ଜାତିଟା କେଡ଼େ କୋମଳ । ଅନ୍ୟର ସୁଖ ପାଇଁ ନିଜ ଦୁଃଖଟାକୁ ସେମାନେ ଏକାବେଳେ ପାସୋରି ପକାନ୍ତି । ଅଦ୍ଭୁତ ଏ ଜାତି–ନମସ୍ୟ ଏ ଜାତି ।

Image

 

ଠିକାଦାର

 

ରାସ୍ତାକାମ ଚାଲିଛି, ଖୁବ୍‍ ଲମ୍ବା ଓ ଚଉଡ଼ା ରାସ୍ତା । ବଡ଼ ବଡ଼ ଟ୍ରକ୍‍ ଚାଲିବ, ଦିନ ରାତି ଚବିଶ ଘଣ୍ଟା ଲୁହା ପଥର ବୁହାହେବ । ମଣିଷ ଚାଲିବା ବିପଜ୍ଜନକ । ରାସ୍ତା ମଝିରେ ରହିବ ବତୀ ଖୁମ୍ବସବୁ । ରାସ୍ତା ଉପରେ ରାତି କ’ଣ କେବେ ଜାଣି ହେବନି । ରାସ୍ତାରେ ପଛକୁ ପଛ ଲାଗି ଚାଲିବ ଟ୍ରକ୍‍ ସବୁ । ସେ ହେବ ଓଡ଼ିଶାର ଗୋଟିଏ ବିରାଟ ରାସ୍ତା ।

 

ରାସ୍ତା ତିଆରି ପାଇଁ ଅନେକ ଡିଭିଜନ ଖୋଲିଛି । ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଓଭରସିଅରମାନେ ରହିଛନ୍ତି । ନିଜ ନିଜ ଅଂଶରେ କାମ କରାଇବାର କଥା । ଶୀଘ୍ର କାମ ଶେଷ ହେବ, ମୁଖ୍ୟମନ୍ତ୍ରୀ ଓ ଚିଫ୍‍ ଇଞ୍ଜିନିୟରଙ୍କର ଏହାହିଁ ନିର୍ଦ୍ଦେଶ ।

 

ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟର ଶ୍ରୀକାନ୍ତ ବାବୁ । ବିକାଶପୁର ଡିଭଜନ୍‍ର ଦାୟିତ୍ଵରେ ସେ ଅଛନ୍ତି । ତାଙ୍କ ଅଞ୍ଚଳଟା ଖୁବ୍‍ ଖାଲ, ବର୍ଷାଦିନେ ପାଣି ଜମିଯାଏ । ବନ୍ୟା ଆସେ, ସେ ଅଞ୍ଚଳରୁ ଧୋଇ ନିଏ ଧାନ ଗଜା ସବୁ । ଲୋକମାନେ ଭାଗ୍ୟଦୋଷ ଦିଅନ୍ତି । କୁହନ୍ତି ଈଶ୍ଵରଙ୍କର କୋପ ଦୃଷ୍ଟି । ସେମାନେ ଗରିବ ରହିବେ, ହୁଏତ ଏହା ପୂର୍ବ ଜନ୍ମର ଦୋଷ । ଭାତ ମୁଠାକ ପାଇଁ ଜୀବନସାରା ଲାଗିଲେ ମଧ୍ୟ ସବୁଦିନେ ପେଟ ପୂରୁନାହିଁ । ସେଇଠି ହେବ ବିରାଟ ରାସ୍ତା, ଖୁବ୍ ଉଚ୍ଚ, ତାକୁ ଯେପରି ବଢ଼ିପାଣି ନ ବୁଡ଼ାଏ । ସେଠି ଆହୁରି ପାଣି ଜମିବ, ବର୍ଷସାରା ପାଣିର ଅଭାବ ରହିବନି । ଖାଲ ପାଟରେ ଭରି ରହିବ ଖାଲି ପାଣି ଆଉ ପାଣି ।

 

କାମ ଆରମ୍ଭ ହୋଇଛି । ଠିକାଦାରମାନେ ଲାଗି ଗଲେଣି । ଯେତେ କାମ କରାଇବେ, ସେତେ ପଇସା ପାଇବେ । ଠିକାଦାରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ମଣିଷର ଚିନ୍ତାଧାରାର ହୋଇଛି ପରିବର୍ତ୍ତନ, ବିନା ପରିଶ୍ରମରେ ଅର୍ଥ ସଂଗ୍ରହ । ଶ୍ରମିକମାନେ କାମ କରିବେ, ଠିକାଦାର କେବଳ ବିଲ୍ ପାସ୍‍ କରାଇବାର କଥା ।

 

ଶ୍ରୀକାନ୍ତ ବାବୁଙ୍କ ଅଫିସରେ ସବୁବେଳେ ଲୋକଭିଡ଼ । ସମସ୍ତେ ଆସିଛନ୍ତି କାମ କରାଇବାକୁ, କାମ ନିଜେ କେହି କରିବେନି । ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟର ବଡ଼ ଚିନ୍ତାରେ ପଡ଼ିଛନ୍ତି । ସମସ୍ତେ ନୂଆଲୋକ, କେହି ଆଗରୁ କୌଣସି କାମ କରାଇ ନାହାନ୍ତି । ସେମାନଙ୍କ ପାଖରେ ଟଙ୍କା ଅଛି କି ନାହିଁ ସନ୍ଦେହ । ଟେଣ୍ଡର କଲ୍‍ ହେଉଛି, ଲୋକମାନେ ଥରକୁଥର ଦର କମାଇବାରେ ଲାଗିଛନ୍ତି ଶ୍ରୀକାନ୍ତ ବାବୁ ଆଶ୍ଚର୍ଯ୍ୟ ହୁଅନ୍ତି, ଠିକାଦାରଙ୍କ ଉଦ୍ଦେଶ୍ୟ କିଛି ବୁଝି ପାରନ୍ତିନି । କମ୍‍ ଦରରେ କାମ ନେବେ, କାମ କରିବେନି । କିନ୍ତୁ ହଇରାଣ ହେବେ ଇଞ୍ଜିନିୟର । କମ୍‍ ଦର ଦେଇଥିବା ଲୋକଙ୍କୁ କାମ ନ ଦେଲେ ନିୟମ ବିରୁଦ୍ଧ ହେବ । ଏଣୁ ମାଇଲେ ବ୍ରହ୍ମହତ୍ୟା ତେଣୁ ମାଇଲେ ଗୋ ହତ୍ୟା ।

 

ଚିଫ୍‍ ଇଞ୍ଜିନିୟରଙ୍କ ପାଖରୁ କଡ଼ା ହୁକୁମ ଆସିଲା, ବିକାଶପୁର ଡିଭିଜନର କାମ ଆଗଉ ନାହିଁ । ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟରଙ୍କୁ କୈଫିୟତ୍‍ ମଗାହେଲା । ଶ୍ରୀକାନ୍ତ ବାବୁ ଦେଖିଲେ ଏ ହେଉଛି ଚାକିରିକଥା, କେତେବେଳେ କ’ଣ ହେବ ତା’ର ଠିକଣା ନାହିଁ । ତେଣୁ ଯେପରି ଲୋକ ଆସନ୍ତୁ, ସେ କାମ ଆରମ୍ଭ କରାଇବେ ।

 

ଦୟାନିଧିବାବୁ ଚନ୍ଦନପୁର ଗାଁ ମାମଲତକାର । ଭୋଟ୍‍ ବେଳେ ପ୍ରଚାର କରି ସେ ବେଶ୍‍ ଜଣାଶୁଣା ହୋଇ ପାରିଛନ୍ତି । ଢେଉଗଣି ପଇସା କମେଇଲା ଲୋକ ସେ । ଚାଷବାସ କାମ କରି ପାରନ୍ତିନି, ସବୁବେଳେ ପର ପଇସାକୁ ଆଶ୍ରା । କୌଣସି ଉପାୟରେ ଦି ପଇସା କମାଇ ଚଳିଯାଆନ୍ତି । ଗାଁରେ କୌଣସି କଳି ଝଗଡ଼ା ହେଲେ ଦୟାନିଧିବାବୁଙ୍କ ବିନା ସାହାଯ୍ୟରେ କେହି କୋର୍ଟ କଚେରିକୁ ଯାଆନ୍ତିନି । ଯୁଗ ବଦଳିଗଲା, କୋର୍ଟ କଚେରିକୁ ବେଶୀ ଲୋକ ଆଉ ଯାଉନାହାନ୍ତି । କିନ୍ତୁ ଦୟାନିଧି ବାବୁଙ୍କୁ ପଇସା ଆସିବାକୁ ବହୁତ ବାଟ ମିଳିଗଲାଣି । ଏଇ ଅଳ୍ପ କେତେବର୍ଷ ମଧ୍ୟରେ ସେ ମାଟିକାନ୍ଥକୁ ଭାଙ୍ଗି ଇଟା କାନ୍ଥରେ ପରିଣତି କଲେଣି । ଆଗରୁ କେବେ ସେ ଠିକାଦାର ହୋଇ ନାହାନ୍ତି । କିନ୍ତୁ ନୂଆ କାମ ଖୋଲିଲା, ଦୟାନିଧିବାବୁ କିଛି ଅଂଶର କଣ୍ଟ୍ରାକ୍ଟ ନେଲେ । ଅଳ୍ପଲୋକ ନେଇ ସେ କାମ ଆରମ୍ଭ କରାଇଲେ ।

 

ଜଡ଼ ପଇସା–ସେ ନ ହେଲେ ଏ ଯୁଗର ମଣିଷ କିଛି କରିପାରିବନି । ଦୟାନିଧିବାବୁଙ୍କର ଆପତ୍ତି, ସେ ଚାହାନ୍ତି ଆଗତୁରା ପଇସା । ଅନେକ ଲୋକ କାମରେ ଲଗାଇବେ, ତା’ ନ ହେଲେ କାମ ଆଗେଇବନି । ଶ୍ରୀକାନ୍ତ ବାବୁଙ୍କର କାମ ଦରକାର, ସେଥିପାଇଁ କଡ଼ା ତାକିଦ୍‍ ଅଛି । ସେ ଆଗତୁରା ଟଙ୍କା ଦୟାନିଧି ବାବୁଙ୍କୁ ଦେଲେ ଦୁଇ ହଜାର । ଏପରି କାମରେ ଆଗତୁରା ଟଙ୍କା ଦେବାର ନୁହେଁ । ତା’ ନ କଲେ ଏଣେ କାମ ହେଉନି । ନିଜ ଉପରକୁ କେବଳ ବିପଦ ଟାଣି ଆଣିବା କଥା । କୌଣସି ଉପାୟରେ କାମ କରାଇବାକୁ ହେବ ।

 

ଶ୍ରୀକାନ୍ତବାବୁଙ୍କୁ ଅବକାଶ ନାହିଁ । ସକାଳୁ ବସାରୁ ବାହାରନ୍ତି, ରାତି ଦଶଟା ପୂର୍ବରୁ କେବେ ଫେରି ଆସନ୍ତିନି । ଯେଉଁଠି ଯାହା ମିଳେ, ଖାଆନ୍ତି । ବରା ପକୁଡ଼ି କିଛି ବାଦ୍‍ ଯାଏନା । ସ୍ଵାସ୍ଥ୍ୟ ହାନି ହୁଏ, ସେଥିପ୍ରତି ନଜର ଦେବାର ଉପାୟ ନାହିଁ । କାମ ହେବ ଶୀଘ୍ର ଶୀଘ୍ର, ଏଇ ହେଲା ଲକ୍ଷ୍ୟ ।

 

ମଧୁବାବୁ ଖୁବ୍‍ ଏକ ଲମ୍ବାରାସ୍ତାର ଠିକାଦାର ହୋଇଛନ୍ତି । କାମ ବେଶୀକିଛି ହୋଇପାରୁ ନାହିଁ । କିନ୍ତୁ ପ୍ରତି ସପ୍ତାହରେ ଟଙ୍କା ପାଇଁ ବ୍ୟସ୍ତ । କୌଣସି ଏକ ଦଳ ନେତା ତାଙ୍କ ପାଇଁ ସୁପାରିସ୍‍ କରି ଲେଖିଛନ୍ତି । ମଧୁବାବୁଙ୍କୁ ଟଙ୍କା ଦେବା ନିତାନ୍ତ ଦରକାର । ଶ୍ରୀକାନ୍ତ ବାବୁ ବଡ଼ ଚିନ୍ତାରେ ପଡ଼ନ୍ତି । କାମ ହେଲେ ସେ ଟଙ୍କା ଦେବାକୁ ଅମଙ୍ଗ ହେବାର କାରଣ ନାହିଁ । କିନ୍ତୁ ସେ ସୁପାରିସ୍‍ ଉପରେ କେତେ ବା ଆଗତୁରା ଟଙ୍କା ଦେବେ । ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟରଙ୍କ ପାଖରେ ସବୁବେଳେ ଲୋକ ଭିଡ଼, ଟଙ୍କା ଦିଅ ଟଙ୍କା ଦିଅ । ଖାଲି ଟଙ୍କା, ଟଙ୍କା ଆଉ ଟଙ୍କା । ଶ୍ରୀକାନ୍ତ ବାବୁ ଶୁଣି ଶୁଣି କ୍ଳାନ୍ତହୋଇ ପଡ଼ନ୍ତି । ସେ ଭାବନ୍ତି, ଆଜିକାଲି ଲୋକଙ୍କୁ ଟଙ୍କା ବ୍ୟତୀତ ବୋଧହୁଏ ଆଉକିଛି ଦେଖାଯାଉନାହିଁ ।

 

ଦୟାନିଧି ବାବୁଙ୍କର କାମ ଯେ କ’ଣ ହେଉଛି, କିଛି ଜଣା ପଡ଼ୁନି । ଟଙ୍କା ଦେବା ପୂର୍ବରୁ ଯାହା କାମ ହୋଇଥିଲା, ସେତିକିରେ ଅଛି । ଯେତେ କହିଲେ କିଛି ଫଳ ନାହିଁ । ଗୋଟାଏ କିଛି କୈଫିୟତ୍‍ ଦେବାରେ ଲାଗିଛନ୍ତି । ଆଜି ଅମୁକ ମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲେ, କାଲି କେଉଁଠି ସଭାର ଆୟୋଜନ କରୁଥିଲେ, ଇତ୍ୟାଦି ଇତ୍ୟାଦି । ଶ୍ରୀକାନ୍ତ ବାବୁ ଭାବିପାରନ୍ତିନି ଆଗତୁରା ଟଙ୍କାର କାମ ସେ କିପରି ଉଠାଇବେ ।

 

ମଧୁବାବୁଙ୍କର ସବୁବେଳେ ଅଭିଯୋଗ, ଟଙ୍କା ମିଳୁନାହିଁ । ଅନେକ କ୍ଷତି ହୋଇ ଗଲାଣି-। ମାଟି ଟାଣ ପଡ଼ୁଛି, ଖୋଳି ହେଉନାହିଁ । ଖୋଳିବା ଦର ବଢ଼ାଇବାକୁ ସବୁବେଳେ ଦାବି-। ଶ୍ରୀକାନ୍ତ ବାବୁ ସବୁ ଶୁଣନ୍ତି, ଆଶ୍ଵାସନା ଦିଅନ୍ତି, କାମକଲେ ସେ ବିଚାର କରିବେ । କିନ୍ତୁ ଠିକାଦାରଙ୍କର ଲୋଭ, କାମ ହେଉ କି ନ ହେଉ, ସେମାନଙ୍କର ଟଙ୍କା ଦରକାର ।

 

ପନ୍ଦର ଦିନ ହେଲା ଦୟାନିଧି ବାବୁ କାମ ପାଖକୁ ଆସୁନାହାନ୍ତି । ସେ ଶ୍ରମିକ ଆଣିବାକୁ ଯାଉଛନ୍ତି ବୋଲି କହିଯାଇଥିଲେ । ତାଙ୍କ ଶ୍ରମିକମାନେ କାମ ବନ୍ଦ କଲେଣି । ମଜୁରିଆ ଲୋକ, ଦାଣ୍ଡରୁ ଗଲେ ହାଣ୍ଡିରେ ପଡ଼େ । ବିନା ପଇସାରେ ବା କେତେଦିନ କାମ କରିବେ ? ଅନ୍ୟ ଠିକାଦାରଙ୍କ ପାଖକୁ ସେମାନେ ଚାଲିଗଲେଣି । ଦୟାନିଧି ବାବୁଙ୍କ ଅଂଶ ରାସ୍ତାର କାମ ବନ୍ଦ ।

 

ଶ୍ରୀକାନ୍ତ ବାବୁ ଖବର ନେବାରେ ଲାଗିଛନ୍ତି, ଦୟାନିଧିବାବୁ ଗଲେ କେଉଁଠିକି ? ଖବର ଆସିଲା, ସେ ବ୍ୟବସାୟ କଲେଣି । ବଡ଼ ସହର କଲିକତା, ସେଠି ଦୟାନିଧି ବାବୁଙ୍କ ମାଉସୀ ପୁଅ ବ୍ୟବସାୟ କରନ୍ତି । ଆଗତୁରା ନେଇଥିବା ଟଙ୍କା ମୂଳଧନ ହୋଇଗଲା । ଦୟାନିଧିବାବୁ ପୁରୁଣା ବ୍ୟବସାୟରେ ଅଂଶୀଦାର ହେଲେ । ପଇସା ଆଣିବାର ତାଙ୍କ ପାଇଁ ପୁଣି ଏକ ନୂଆ ବାଟ ।

 

ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟରଙ୍କ ଚିନ୍ତା । ଦାୟିତ୍ଵ ତାଙ୍କର, ବିଶ୍ୱାସ କରି ଟଙ୍କା ଆଗତୁରା ଦେଇଥିଲେ । ଦୟାନିଧିବାବୁ ବିଶ୍ଵାସରେ ବିଷ ଦେଇ ଚାଲି ଗଲେଣି । ଟଙ୍କା ଆଦାୟ ନ ହେଲେ ନିଜ ପକେଟରୁ ଦେବେ । ସେ ଟଙ୍କାକୁ ହୁଏତ କେତେବର୍ଷ ଧରି ସୁଝିବାକୁ ପଡ଼ିବ । ତା’ ବ୍ୟତୀତ ଚାକିରି ଉପରକୁ ବି ବିପଦ ଆସିପାରେ ।

 

ଶ୍ରୀକାନ୍ତବାବୁଙ୍କ ମନ ବିଷାକ୍ତ ହୋଇ ଉଠିଲା । ସେ ଭାବି ପାରିଲେନି ମଣିଷର ଗତି କୁଆଡ଼କୁ । ସମସ୍ତେ ଖାଲି ଚାହୁଁଛନ୍ତି ଅନ୍ୟକୁ ଠକିବାକୁ । ସରଳ ହେବାର ଏ ଯୁଗ ନୁହେଁ । ଯାହାକୁ ସହାନୁଭୂତି ଦେଖାଇବ, ସେ କ୍ଷତି କରିବାକୁ ପଛାଇବ ନାହିଁ । ଶ୍ରୀକାନ୍ତବାବୁ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ମଣିଷର ଚିନ୍ତାଧାରାରେ କାହିଁକି ଏପରି ପରିବର୍ତ୍ତନ ଘଟୁଛି । ପଇସାପାଇଁ ସେ ଅତି ଘୃଣ୍ୟକାମ କରିବାକୁ ପଛାଉ ନାହିଁ । ଶ୍ରୀକାନ୍ତବାବୁ ଏଣିକି ଠିକ୍‍ କଲେ ଯେ କାମ ଯେତିକି ହେଲେ ହେଉ, ସେ ସାବଧାନ ହେବା ଦରକାର ।

 

ବିଶ୍ୱାସକରି ଆଗତୁରା ଟଙ୍କା ଦେବା ବନ୍ଦ ହେଲା । ଦୟାନିଧିବାବୁଙ୍କଠାରୁ ଟଙ୍କା ଆଦାୟ ପାଇଁ ବିଚାରାଳୟ ଆଶ୍ରୟ ନେବାକୁ ପଡ଼ିଲା । ସେ କଥା ଯେ ଶୀଘ୍ର ଠିକ୍‍ ହୋଇଯିବ, ତା’ ନୁହେଁ । ସେଥିପାଇଁ ବର୍ଷ ବର୍ଷ ଧରି କଚେରିକୁ ଦଉଡ଼ିବାକୁ ପଡ଼ିବ । ଚାକିରି କରି ଦିନରାତି ଖଟିବାକୁ ପଡ଼ୁଛି । ତା’ପରେ ପୁଣି କଚେରି ଚିନ୍ତା । ଏ ହେଉଛି ବୋଝ ଉପରେ ନଳିତା ବିଡ଼ା । ଏଣିକି ଠିକାଦାରମାନଙ୍କର ଯେତିକି କାମ ହେଲା, ଶ୍ରୀକାନ୍ତବାବୁ ସେହି ଅନୁସାରେ ପଇସା ଦେଲେ-

 

ଠିକାଦାରମାନେ ଗୋଟିଏ ଦଳ କଲେଣି । ଉପାୟ ସ୍ଥିର କରିବାରେ ଲାଗିଛନ୍ତି, ସେମାନେ କିପରି ଶ୍ରୀକାନ୍ତ ବାବୁଙ୍କୁ ଠକିବେ । ନିଜ ଭୁଲ୍‍ଟାକୁ ସେମାନେ ବୁଝିପାରନ୍ତିନି । ଦେଶ ପଇସା ସେମାନେ ଠକି ନେବେ । ଶ୍ରୀକାନ୍ତ ବାବୁ କେବଳ ଜଣେ କର୍ମୀ, ତାଙ୍କ କର୍ତ୍ତବ୍ୟ ସେ କରିଯାଉଛନ୍ତି । ଗୋଟାଏ ସ୍ଥାନରେ ସେ ଠକି ଯାଇଛନ୍ତି । ଏଣିକି ଭବିଷ୍ୟତ ପାଇଁ ସେ ସାବଧାନ ।

 

ବର୍ଷାଦିନ ଆରମ୍ଭ ହେଲା । ମାଟିକାମ ବନ୍ଦ । ଠିକାଦାରମାନେ ଶେଷ ବିଲ୍‍ ଆଣି ପହଞ୍ଚିଲେ, ପଇସା ନେଇ ଘରକୁ ଯିବେ । ଶ୍ରୀକାନ୍ତ ବାବୁ ସମସ୍ତଙ୍କ ହିସାବ ଦେଖିଲେ । ମଧୁବାବୁଙ୍କ ବିଲ୍‍ ସବୁଠାରୁ ବେଶୀ ହୋଇଛି । ତାଙ୍କର ସନ୍ଦେହ ହେଲା । ମଧୁବାବୁଙ୍କ ମଜୁରିଆ ସଂଖ୍ୟା ଏବଂ କାମର ପରିମାଣ ଦେଖିଲେ ଜଣାଯାଏ ଯେପରି ଜଣେ ଦଶଜଣଙ୍କର କାମ କରିପାରିଛି । ତା’ ନ ହେଲେ ଏତେ ମାଟିକାମ ଆଦୌ ସମ୍ଭବପର ନୁହେଁ । ଶ୍ରୀକାନ୍ତ ବାବୁ ଆଦେଶ ଦେଲେ, ମଧୁବାବୁଙ୍କ କାମ ଆଉଥରେ ମାପିବାକୁ । ବିଲ୍‍ ପାସ୍‍ ହୋଇପାରିଲାନି ।

 

ମଧୁବାବୁଙ୍କର ଅଭିଯୋଗ, ବର୍ଷାଦିନ, ମାଟି ଖାତରେ ପାଣିସବୁ ପଶିଗଲାଣି । ରାସ୍ତା ମାଟି ଧୋଇ ହୋଇ ଖାତ ପୋତିହୋଇ ଗଲାଣି । ତେଣୁ ମାଟି ମାପ ଠିକ୍‍ ଭାବରେ ହୋଇପାରିବନି ।

 

ଶ୍ରୀକାନ୍ତବାବୁ ମଧୁବାବୁଙ୍କର ଅଭିଯୋଗକୁ ଶୁଣିଲେ ନାହିଁ । ବର୍ଷାଦିନ ଗଲା । ମାଟିଖାତରୁ ପମ୍ପ ଲଗାଇ ପାଣି ଶୁଖାଇବାକୁ ପଡ଼ିଲା । କିନ୍ତୁ ସେ ଖାତ ନୁହେଁ, ଯେ ପୋଖରୀଟାଏ-। ମାଟି ମାପ ହେଲା । ଖାତର ମାଟି ଯେତେ ହେବାର କଥା, ହିସାବରେ ତା’ଠାରୁ କମ୍‍ ଦେଖା ଯାଉଛି । ବର୍ଷାଦିନେ ଖାତ ପୋତିହେବା ପରିବର୍ତ୍ତେ ବେଶି ଖାଲ ହେବାପରି ଜଣା ପଡ଼ିଲା-। ମଧୁବାବୁ ଏହାର କ’ଣ ଉତ୍ତର ଦେବେ ? ପ୍ରମାଣ ସଂଗ୍ରହ ହେଲା । ସ୍ଥାନୀୟ ଲୋକମାନେ କହିଲେ ସେଟା ଗୋଟାଏ ପୁରୁଣା ପୋଖରୀ ଥିଲା । ଶ୍ରୀକାନ୍ତବାବୁ ସେ ପୋଖରୀଟାକୁ ଦେଖିଥିଲେ । କିନ୍ତୁ ସେ ପୋଖରୀର ମାଟିକାମ ପାଇଁ ଯେ ପଇସା ଦେବାକୁ ପଡ଼ିବ, ଏ କଥା ସେ ଭାବି ନ ଥିଲେ ।

 

ଶ୍ରୀକାନ୍ତ ବାବୁ ବଦ୍ଧପରିକର, ଏ ସମସ୍ୟାର ଗୋଟିଏ ସମାଧାନ କରିବେ, ଯେଉଁଟା କି ଅନ୍ୟମାନଙ୍କୁ ଯଥେଷ୍ଟ ଶିକ୍ଷାଦେବ । ମଧୁବାବୁ ମିଥ୍ୟାର ଆଶ୍ରୟ ନେଇଛନ୍ତି । ଦେଶକୁ ଓ ଜାତିକି ଠକିବାକୁ ବସିଛନ୍ତି । ଏତେବଡ଼ ଦୁର୍ନୀତିକୁ ସେ ଆଦୌ ପ୍ରଶ୍ରୟ ଦେଇ ପାରିବେନି ।

 

ମଧୁବାବୁଙ୍କ କଣ୍ଟ୍ରାକ୍ଟ ରଦ୍ଦ ହେଲା । ଓଭରସିଅର ବାବୁ ଚାକିରିରୁ ସସ୍ପେଣ୍ଡ ହେଲେ ଏବଂ ତା’ର ତଦନ୍ତ ଚାଲିଲା । ସବୁ ଇଞ୍ଜିନିୟରିଂ ବିଭାଗକୁ ଜଣାଇ ଦିଆଗଲା, ମଧୁବାବୁ ଯେପରି ଆଉ କେଉଁଠି ଠିକାଦାରି ନ କରନ୍ତି । ମଧୁବାବୁଙ୍କ ବିରୁଦ୍ଧରେ ମକଦ୍ଦମା ହେଲା ।

 

ମଧୁବାବୁଙ୍କୁ ଜେଲଦଣ୍ଡ ମିଳିଲା । ଟଙ୍କା ନେଇ ଘରକୁ ଯିବା ପରିବର୍ତ୍ତେ, ହାତକଡ଼ି ପଡ଼ି ସେ ଜେଲକୁ ଗଲେ । ଶ୍ରୀକାନ୍ତ ବାବୁ ଶାନ୍ତିରେ ନିଃଶ୍ୱାସ ମାରିଲେ । ଅନ୍ତତଃ ଦୁର୍ନୀତି ନିବାରଣ ପାଇଁ ତାଙ୍କ ପକ୍ଷେ ଯେତିକି ସମ୍ଭବ, ସେ ତାହା କରିପରିଛନ୍ତି ।

Image

 

ଚପଳ ମନ

 

ସେଦିନ ପରେଶ ନୂଆକରି କଲେଜକୁ ଆସିଲା । ବିରାଟ କଲେଜ, ଅନେକ ଛାତ୍ର ଛାତ୍ରୀ ଅଛନ୍ତି । କେତେ ଗୋପନ ଆଶା ପୋଷଣ କରି ଆସିଛନ୍ତି । ସେମାନେ ଭବିଷ୍ୟତର ନାଗରିକ ଆଉ ଦେଶର ମେରୁଦଣ୍ଡ । ପରେଶ ସେହିମାନଙ୍କ ମଧ୍ୟରୁ ଜଣେ । ମଫସଲରୁ ସହରକୁ ପ୍ରଥମଥରପାଇଁ ସେ ଆସିଲା । ନୂଆ ନୂଆ ଅଭିଜ୍ଞତା, ସବୁଗୁଡ଼ାକ ଅଡ଼ୁଆ ତାକୁ ଲାଗୁଥାଏ । କିନ୍ତୁ ସେଥିରେ ସେ ପାଉଥିଲା ଆନନ୍ଦ ଓ ଉନ୍ମାଦନା । ଗୋଟାଏ ନୂଆ ଜୀବନର ସନ୍ଧାନ ।

 

ପରେଶର ବାପା ନରହରି ଛୋଟରାୟ । ଚଳପକ୍ଷ-ଲୋକ, ଜମିବାଡ଼ି ବେଶ୍‍ ଅଛି, ଗାଁରେ ଖୁବ୍‍ ପ୍ରତିପତ୍ତି ଅଛି । ପାଞ୍ଚଲୋକ ତାଙ୍କ କଥା ମାନନ୍ତି । ସେ ହେଲେ ଗାଁ ମୁଖିଆ । ନରହରି ଛୋଟରାୟ କାହାରି କେବେ ଅନିଷ୍ଟ କରନ୍ତି ନାହିଁ । ଅନ୍ୟମାନଙ୍କ ମୁହଁରେ ତାଙ୍କପାଇଁ ପ୍ରଶଂସା । ନରହରି ଛୋଟରାୟଙ୍କର ଅମଙ୍ଗଳ ପାଇଁ କେହି କେବେ ଚିନ୍ତାକରି ନାହିଁ । ସ୍ତ୍ରୀ ହାରାମଣି ଠିକ୍‍ ସ୍ଵାମୀଙ୍କ ପ୍ରକୃତିର । ପର ଦୁଃଖରେ କାନ୍ଦି ପକାନ୍ତି । ଗରିବ ଲୋକଙ୍କୁ ଚାଉଳ ସେରେ କିମ୍ଵା ମୁଗ ପୋଷେ ଦେବାକୁ କେବେ କୁଣ୍ଠାବୋଧ କରନ୍ତିନି । ଦୁଃଖୀରଙ୍କୀ ଆସିଲେ ତାଙ୍କରି ପିଣ୍ଡାକୁ ଉଠନ୍ତି । ପଖାଳ ଗଣ୍ଡାଏ କିମ୍ବା ଚୁଡ଼ାମୁଠେ ଖାଇ ଖରାବେଳଟା ବିତାଇ ଦିଅନ୍ତି । ପରେଶ ହେଉଛି ସେଇ ଘରର ପୁଅ । ଯେମିତି ଗଛ ସେମିତି ଫଳ ।

 

ଛୋଟରାୟଙ୍କର ଇଚ୍ଛା, ପୁଅକୁ ଉଚ୍ଚଶିକ୍ଷା ଦେବେ । ଗାଁ ଲୋକଙ୍କର ମଧ୍ୟ ସେଇ କାମନା । ପରେଶ ପାଠ ପଢ଼ିବ, ଗାଁ ନାଁ ରଖିବ । ମାଟ୍ରିକ୍‍ ପାସ୍‍ ପରେ ପରେଶ ଚାହିଁଲା ପଢ଼ିବ କଲେଜରେ । ସେ ଅତି ଭଲ ପଢ଼ୁ ନ ଥିଲେ ମଧ୍ୟ ଖରାପ ନୁହେଁ । ଖୁବ୍‍ ପରିଶ୍ରମୀ, ଶାନ୍ତଶିଷ୍ଟ ପିଲା, ମାଛିକୁ ମ’ ବୋଲି କୁହେନା । ବାପ ମା’ଙ୍କର ପରେଶ ଉପରେ ଖୁବ୍‍ ବିଶ୍ଵାସ, ସେ କଦାପି କିଛି ଖରାପ ବାଟରେ ଯିବ ନାହିଁ ।

 

ପରେଶ ରହିଲା କଲେଜ ଛାତ୍ରାବାସରେ । ଶାନ୍ତ ସରଳ ପ୍ରକୃତିର ବାଳକ, ଖୁବ୍‍ ଭଦ୍ର ବ୍ୟବହାର । ସାଥି ପିଲାମାନେ ତାକୁ ଭଲ ପାଆନ୍ତି, କେବଳ ତା’ର ସ୍ୱଭାବ ଯୋଗୁଁ । ଶ୍ରେଣୀର ପ୍ରତ୍ୟେକ ପିଲାଙ୍କୁ ସେ ଚିହ୍ନେନା, ତା’ ମଧ୍ୟ କୌଣସି ଛାତ୍ର ପକ୍ଷରେ ସମ୍ଭବ ନୁହେଁ । ନିଜର କେତେଜଣ ବନ୍ଧୁ ମହଲରେ ପରେଶ ଜଣାଶୁଣା । ଶ୍ରେଣୀର ଗୋଟିଏ ନିର୍ଦ୍ଦିଷ୍ଟ ବେଞ୍ଚର ଗୋଟିଏ କଡ଼କୁ ସେ ବସେ, ସତେ ଯେମିତି ସେ ସ୍ଥାନଟି ତା’ ପାଇଁ ସଂରକ୍ଷିତ ।

 

ପରେଶ ଶ୍ରେଣୀରେ ଥାଆନ୍ତି ଅନେକ ଝିଅପିଲା । ସେମାନେ ବସନ୍ତି ଅଲଗା ହୋଇ । ଅଧ୍ୟାପକ ଆସିଲେ ଝିଅମାନେ ଶ୍ରେଣୀ ଗୃହକୁ ପ୍ରବେଶ କରନ୍ତି । ତେଣୁ ପୁଅ ଓ ଝିଅପିଲାଙ୍କର ମିଳାମିଶାର ବିଶେଷ କିଛି ସୁବିଧା ନ ଥାଏ । କିନ୍ତୁ ଅନେକ ପୁଅପିଲା ଅବଶ୍ୟ ବାହାଦୁରି ନିଅନ୍ତି ଅମୁକ ଝିଅ ସାଙ୍ଗରେ ତାଙ୍କର ବନ୍ଧୁତା ଅଛି ଏବଂ କାହାକୁ କ’ଣ କହିଲେ ଇତ୍ୟାଦି ଇତ୍ୟାଦି । ପରେଶ ସବୁ ଶୁଣେ, ହସି ଦିଏ । ସେ କଥାସବୁ ସେ ବିଶ୍ଵାସ କରେ କି ନା କିଛି ଜଣାପଡ଼େନା ।

 

ରେଖା ପ୍ରଥମ ବାର୍ଷିକ ଛାତ୍ରୀ । ସୁନ୍ଦର ଝିଅଟିଏ । ବେଶ୍‍ ପୋଷାକରୁ ସେ ଧନୀ ଲୋକର ଝିଅ ବୋଲି ଜଣାପଡ଼େ । କିନ୍ତୁ ବ୍ୟବହାରରେ ବଡ଼ଲୋକୀ ଢଙ୍ଗ ନାହିଁ । ସବୁବେଳେ ହସ ହସ ମୁହଁ । ଘର ସହରରେ, ବାପ ମା’ଙ୍କର ଗୋଟିଏ ବୋଲି ଝିଅ । ରେଖା ବାପା ହେଲେ ସହରର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି । ଧନୀଲୋକର ଆଭିଜାତ୍ୟ ତାଙ୍କର ଅଛି । ତେଣୁ ରେଖା ଉପରେ କଡ଼ା ନଜର । ଝିଅ ପାଠ ପଢ଼ିବ, ପାଞ୍ଚ ଜଣରେ ଜଣେ ହେବ, ଏହାହିଁ ତାଙ୍କର ଉଦ୍ଦେଶ୍ୟ-। କଲେଜ ସମୟ ବ୍ୟତୀତ ତାକୁ ପଦାରେ କେହି ଦେଖନ୍ତିନି । ବସରେ ସେ ଯିବା ଆସିବା କରେ-। ବାପ ମା’ଙ୍କର କଳ୍ପନାକୁ ରୂପ ଦେବାକୁ ରେଖା ଚେଷ୍ଟା କରେ । ତେଣୁ ବାହାରେ ବୁଲି ସମୟ ନଷ୍ଟ କରିବା ତା’ କଳ୍ପନାର ବାହାରେ । ସେ କେବଳ ଜାଣେ, ପାଠ ଆଉ ପାଠ । ବହି ସାଙ୍ଗରେ ରେଖା ନିଜକୁ ସବୁବେଳେ ବୁଡ଼ାଇ ରଖିଥାଏ ।

 

ଯୌବନର ପରଶ, ସବୁ ସୁନ୍ଦର । ମନ ବୁଲେ ସପନ-ରାଇଜରେ । ମଣିଷ ସେତେବେଳେ ଭୁଲିଯାଏ ତା’ର ପ୍ରକୃତ ଅବସ୍ଥାକୁ । ଭଲମନ୍ଦର ବିଚାରଶକ୍ତି ସେ ହରାଇ ବସେ । ଅନେକ ସମୟରେ ମଣିଷ ଭୁଲ୍‍କରି ବସେ । ସେହି ଭୁଲ୍‍ପାଇଁ ହୁଏତ ଜୀବନସାରା ଅନୁତାପ କରିବାକୁ ପଡ଼େ । ପରେଶର ଜୀବନରେ ଆସିଲା ନୂଆ ବସନ୍ତ । ତା’ର ଜୀବନରେ ହେଲା ବିରାଟ ପରିବର୍ତ୍ତନ । ପରେଶ ଭଲ ପାଇଲା ରେଖାକୁ । ପ୍ରକୃତିର ନିୟମ, ଗୋଟିଏ ପ୍ରାଣୀ ଭଲ ପାଇବ ଆଉ ଗୋଟିଏ ପ୍ରାଣୀକୁ । ତାକୁ କେହି ବାଧା ଦେବା ସମ୍ଭବ ନୁହେଁ ।

 

ପରେଶର ପ୍ରେମ ଆରମ୍ଭ ହେଲା ବିଚିତ୍ର ଭାବରେ । ଶ୍ରେଣୀରେ ପ୍ରବେଶବେଳେ ରେଖା କେବେ କେବେ ପିଲାଙ୍କୁ ଚାହିଁ ହସିଦିଏ । ସେହି ହସ ପରେଶ ମନରେ ଭୁଲ୍‍ ଧାରଣା ଜନ୍ମାଇଲା । ସେ ଭାବିଲା ଯେ, ରେଖା ତାକୁ ଭଲପାଏ । ତେଣୁ ପରେଶ ରେଖାର ଅଜାଣତରେ ତା’ର ପ୍ରେମିକ ହୋଇ ବସିଲା । ଏ ବିଷୟରେ ସେ କେବେ କାହାକୁ କିଛି କହି ନ ଥିଲା । ବାହାରୁ ଦେଖିଲେ ଜଣାପଡ଼େ ତା’ର ଯେପରି କିଛି ପରିବର୍ତ୍ତନ ହୋଇ ନାହିଁ । କିନ୍ତୁ ମନରେ ପରେଶର ଚିନ୍ତା ବଢ଼ି ଚାଲିଲା । ବନ୍ଧୁମାନଙ୍କ ଆଗରେ କହିଥିଲେ, ହୁଏତ ସେ ଚିନ୍ତା କମି ଥାଆନ୍ତା । ତା’ ନ ହୋଇଥିଲେ, କିଏ ଅବା କିଛି ଉପଦେଶ ଦେଇଥାନ୍ତା । ଏଣିକି ସବୁବେଳେ ପରେଶ ଚିନ୍ତିତ ଦେଖାଗଲା । ଅନ୍ୟମାନେ ଭାବନ୍ତି, ପରେଶର ପ୍ରକୃତି ସେହିପରି ।

 

ପରେଶ ବେଶୀଦିନ ତା’ର ଅବସ୍ଥାକୁ ସମ୍ଭାଳି ରଖି ପାରିଲାନି । ସେ କହି ବୁଲିଲା ତା’ର ମନର ବିକାରକୁ, ସେ ରେଖାକୁ ଭଲପାଏ । ଆଉ କିଛିପ୍ରତି ତା’ର ନଜର ରହିଲାନି । ପରେଶ ମୁହଁରେ ପୁଣି ଏ କଥା ! ଲଙ୍କାରେ ହରିନାମ ପରି ଶୁଣାଗଲା । ସାଥିପିଲାଏ ହସିଲେ, କହିଲେ ପାଗଳଟା !

 

ରେଖାକୁ କିନ୍ତୁ ଏ ବିଷୟରେ କିଛି ଜଣାଗଲା ନାହିଁ । ସେ ସେହି ଧରାବନ୍ଧା ନିୟମ ଅନୁସାରେ କାମକରି ଚାଲିଥାଏ । କଲେଜକୁ ଆସିବା, ପାଠ ପଢ଼ିବାରେ ତା’ର କିଛି ବ୍ୟତିକ୍ରମ ନାହିଁ । ତା’ର ବନ୍ଧୁ ମହଲରେ ମଧ୍ୟ ଏ ବିଷୟରେ କୌଣସି ଆଲୋଚନା ହୁଏନା ।

 

ପରୀକ୍ଷା ନିକଟ ହୋଇ ଆସିଲା । ପରେଶ ପାଠକଥା ଭୁଲିଗଲା । ସବୁବେଳେ ତା’ର ଭାବନାରେ ରେଖା । ସେ ଏକରକମ ନିଶାରେ ଘାରିହୋଇ ରହିଲା ପରି ଜଣା ପଡ଼ିଲା । କ’ଣ ତା’ର ମନକୁ ଆସିଲା, ଦିନେ ସେ ରେଖା ଘରକୁ ଗଲା । ରେଖାର ବାପା ପରେଶକୁ ଦେଖିଲେ । ତା’ର ହୃଦୟକୁ ଚିହ୍ନି ପାରିଲେନି । ସେ ମଣିଷକୁ ଗୁରୁତ୍ୱ ଦିଅନ୍ତି ଧନର ପରିମାଣ ଦେଖି ପରେଶ ଆସିଛି ବହି ଖଣ୍ଡେ ନେବାକୁ, ବିଶ୍ୱାସ କଲେନି । କଲେଜ ହଷ୍ଟେଲରେ ବହିର ଅଭାବ ନାହିଁ । ତେଣୁ ସେ ଭାବିଲେ ପରେଶର ନିଶ୍ଚୟ କିଛି ଖରାପ ଉଦ୍ଦେଶ୍ୟ ଅଛି । ହୁଏତ ତାଙ୍କ ଝିଅର ବଦ୍‍ନାମ କରିବାକୁ ଚାହୁଁଛି । ତାଙ୍କ ବଂଶରେ କାଳିମା ଲାଗିବ । ସେ ଖୁବ୍‍ ରାଗିଗଲେ । ପରେଶର ହୃଦୟର ବ୍ୟଥା ହୁଦୟରେହିଁ ରହିଲା ସେ କିଛି କହି ପାରିଲାନି । ତାକୁ ଅପମାନ ଦେଇ ବିଦା କରିଦେଲେ ରେଖାର ବାପା ।

 

ପରେଶ ମନରେ ଗୋଟାଏ ଧକ୍କା ଲାଗିଲା । ସେ ତା’ର ଅନ୍ତରର କଥା ରେଖାକୁ କହି ପାରିଲାନି । ଆରମ୍ଭ ହେଲା ତା’ର ପାଗଳାମି । ଖବର ପରେଶ ଘରକୁ ଗଲା । ନରହରି ବାବୁ ପୁଅର ଅବସ୍ଥା ଶୁଣି ଦୁଃଖାଭିଭୂତ ହୋଇ ପଡ଼ିଲେ । ମା ଆଖିରୁ ବହିଲା ସବୁବେଳେ ଲୁହ ଧାର । ଛୋଟରାଏ ପୁଅ ପାଖକୁ ଆସିଲେ । ସବୁ ବୁଝିଲେ, କିନ୍ତୁ ତାଙ୍କୁ କିଛି ବୁଦ୍ଧି ଦେଖାଗଲାନି, ସେ କ’ଣ କରିବେ ? ଗୋଟାଏ ଉପାୟ ତାଙ୍କୁ ଦେଖାଗଲା ପରେଶକୁ ଭଲ ଅବସ୍ଥାକୁ ଆଣିବାକୁ ହେଲେ, ତାକୁ ରେଖା ସହିତ ବିବାହ କରାଇବାକୁ ପଡ଼ିବ । ମଣିଷର ବିଚାର ଗୋଟାଏ, କିନ୍ତୁ ଈଶ୍ଵରଙ୍କର ବିଚାର ଅନ୍ୟ ପ୍ରକାର । ବିଧିର ବିଧାନ, କେ କରିବ ଆନ ।

 

ନରହରି ବାବୁ ରେଖାର ଘରକୁ ଗଲେ । ପରେଶ ସାଙ୍ଗରେ ଗଲା । ରେଖାର ବାପା ପ୍ରସ୍ତାବ ଶୁଣିଲେ । ଝିଅର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସେ ଆଶା ରଖିଛନ୍ତି । ଖୁବ୍‍ ବଡ଼ ଅଶାର ସଉଧ ସେ ତୋଳିଛନ୍ତି । ଝିଅ ତାଙ୍କର ପାଠ ପଢ଼ିବ, ଆଉ ନାଁ କରିବ । ରେଖାର ବିବାହ କଥା ତାଙ୍କ ମୁଣ୍ଡକୁ କେବେ ଆସି ନାହିଁ । ତା’ପରେ ନରହରି ବାବୁ ଧନୀ ନୁହନ୍ତି । ତେଣୁ ତାଙ୍କୁ ସେ ଖୁବ୍‍ ହେୟଜ୍ଞାନ କଲେ । ଭାବିଲେ, ନରହରି ବାବୁ ମଫସଲି ଲୋକ, ସେ ଗୋଟାଏ ଦୁଃସାହସିକ ପ୍ରସ୍ତାବ ଦେଉଛନ୍ତି । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା କଥା । ବାପ ପୁଅଙ୍କୁ ଅପମାନିତ କରିବାକୁ ସେ ଭୁଲିଲେ ନାହିଁ । ନରହରି ବାବୁ ବିଫଳମନୋରଥ ହୋଇ ଫେରିଲେ ।

 

ପରେଶର ଏଣିକି ରୀତିମତ ପାଗଳାମି ଆରମ୍ଭ ହେଲା । ଆଉ ପାଠ ପଢ଼ାର ପ୍ରଶ୍ନ ଉଠିଲାନି । ରେଖା ନାମ ଜପୁ ଜପୁ ତା’ର ବେଳ ଗଲା । ପରେଶକୁ ନରହରି ବାବୁ ଘରକୁ ନେଇଗଲେ । ତା’ର କିନ୍ତୁ ମନ ପରିବର୍ତ୍ତନ ହେଲା ନାହିଁ । ଦିନକୁ ଦିନ ପରେଶର ଦୁଷ୍ଟାମି ବଢ଼ି ଚାଲିଲା ।

 

ନରହରି ବାବୁ ବ୍ୟସ୍ତରେ ପଡ଼ିଲେ । ଚିକିତ୍ସା ଆରମ୍ଭ ହେଲା । ଗୁଣି ଗାରେଡ଼ିଠାରୁ ଆରମ୍ଭ କରି ଡାକ୍ତରୀ ଔଷଧ ପର୍ଯ୍ୟନ୍ତ ସବୁପ୍ରକାର ବ୍ୟବସ୍ଥା ହେଲା । ଫଳ କିଛି ହେଲା ନାହିଁ । ଭଙ୍ଗାମନକୁ ଯୋଡ଼ିବା ପାଇଁ ଔଷଧ ବା କ’ଣ କରିବ ? ନରହରି ବାବୁଙ୍କର ଧାରଣା ହେଲା, ପରେଶ କଷ୍ଟ ପାଇଲେ, ତା’ର ମନ ଠିକ୍‍ ବାଟକୁ ଆସିବ । ତେଣୁ ସେ ତାକୁ ଗୋଟାଏ ଘରେ ବନ୍ଦକରି ରଖିଲେ । ଖାଇବା ପିଇବାକୁ ମଧ୍ୟ ଦେଲେନି ।

 

ପରେଶ ଘର ଭିତରେ ପଶି ଦିନରାତି ପାଟି କରୁଥାଏ । ବୋଉ ତା’ର କାନ୍ଦି କାନ୍ଦି ବିଛଣା ଧରିଲେ । ନରହରିବାବୁ ଆଉ ସହି ପାରିଲେନି । ତାଙ୍କ ପ୍ରିୟ ପୁତ୍ରର ଅବସ୍ଥା ଏପରି, ସେ ଏ କଥା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଦୁଇଦିନ ପରେ ସେ ଘର ଖୋଲିଲେ । ପରେଶର ଖାଇବାର ବ୍ୟବସ୍ଥା ହୋଇଛି ।

 

ପାଗଳ ଉପରେ କି ବିଶ୍ଵାସ ? ତା’ ପାଖରେ ସ୍ନେହ ଓ ମାୟାମମତାର ମୂଲ୍ୟ ବହୁତ କମ୍‍ । ଘରୁ ବାହାରି ସେ ହଠାତ୍‍ ନରହରି ବାବୁଙ୍କୁ ଆକ୍ରମଣ କଲା । ଠେଙ୍ଗାଟା ଧରି ସେ ପିଟିବାକୁ ଲାଗିଲା । ନରହରିବାବୁ ସେଥିପାଇଁ ପ୍ରସ୍ତୁତ ନ ଥିଲେ । ସେହି ସ୍ଥାନରେ ସେ ପଡ଼ିଗଲେ । ପୁଅର ଦୁଃଖ ଦେଖିବାକୁ ସେ ବେଶୀଦିନ ରହିଲେ ନାହିଁ । ସବୁଦିନ ପାଇଁ ନରହରିବାବୁ ଆଖି ବୁଜିଲେ ।

 

ପରେଶକୁ ପୋଲିସବାଲା ବାନ୍ଧିନେଲେ । ସେ ରହିଲା ଜେଲରେ । ସେଇ ଛୋଟ କୋଠରୀ ଭିତରେ ରହି ପରେଶ ହସେ, ଗୀତ ଗାଏ, ଆଉ ବାହାଦୁରି ନିଏ ଯେ ତା’ ବାପାକୁ ସେ ମାରି ଦେଇଛି । ଘର ଭିତରେ ତାକୁ ବନ୍ଦ କରି ରଖିଲେ, ରେଖାକୁ ତାକୁ ଦେଲେ ନାହିଁ, ତେଣୁ ସେ ପ୍ରତିଶୋଧ ନେଲା ।

 

ଜେଲରେ ପରେଶ କିଛି ଖାଇଲାନି । ପରେଶ ଦିନକୁ ଦିନ ଦୁର୍ବଳ ହୋଇପଡ଼ିଲା । ପରେଶ ତା’ର ବିଛଣାରେ ପଡ଼ି ରହିଲା । ଔଷଧପତ୍ର କିଛି ଛୁଇଁଲାନି । ଦୋଷର ଦଣ୍ଡ ଭୋଗିବାକୁ ସେ ଏ ସଂସାରରେ ରହିଲାନି । ତା’ର ବାପାର ଡାକ ଏ ପୁରରେ ତାକୁ ରଖି ଦେଲାନି । ଜେଲରେ ସେଇ କୋଠରୀ ଭିତରେ ପରେଶ ସବୁଦିନ ପାଇଁ ଟଳି ପଡ଼ିଲା ।

 

ରେଖା ଶୁଣିଲା ଏ କଥା । ସେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲା । ତାରି ପାଇଁ ଆଜି ଗୋଟାଏ ପରିବାର ନଷ୍ଟ ହୋଇଗଲା । ତା’ ମନକୁ ବାରମ୍ବାର ପ୍ରଶ୍ନ ଉଠିଲା, ଏଥିପାଇଁ ଦୋଷୀ କିଏ ? ସେ କ’ଣ ଦାୟୀ ?

Image

 

ସଂଗ୍ରାମ

 

ଖଣ୍ଡାଧାର ନଈ, ଛୋଟ ପାହାଡ଼ରୁ ଉତ୍ପତ୍ତି, ସରୁ ଧାର । ନଈର ଦାନ୍ତ ଭାଙ୍ଗି ଯାଇଛି ପଥରକୁ କାଟି କାଟି । ପଥର ସବୁ ବିଜୟୀ ହେଲେ, ନଈ ଦି ଧାରରେ ସେମାନେ ମୁଣ୍ଡଟେକି ରହିଛନ୍ତି । ନଈ ଭିତରେ ଠାଏ ଠାଏ ପଥର ସବୁ ଦେଖାଯାନ୍ତି, ପାଣି ଉପରୁ ବହୁତ ଉଚ୍ଚରେ । ବର୍ଷାଦିନେ କେବଳ ସେମାନଙ୍କ ମୁଣ୍ଡ ଦେଖାଯାଏ । ଅସରାଏ ବର୍ଷା ହେଲେ ଭାରି ସୁଅ ଚାଲେ । ନଈ ତା’ର ରାଗ ମେଣ୍ଟାଏ, ପଥର ଢିପରୁ ଖଣ୍ଡେ ଖଣ୍ଡେ ଭସାଇ ନିଏ ଦୂରକୁ । ଛୋଟ ଛୋଟ ଢିପସବୁ ପାଣି ଭିତରେ ବୁଡ଼ି ଯାଆନ୍ତି । ଖଣ୍ଡାଧାର ଖୁସି ହୁଏ, ତା’ ଶତ୍ରୁ ସବୁ ହାରି ଯାଇଛନ୍ତି । ବର୍ଷା ଛାଡ଼େ । ପାଣି ଗଡ଼ିଯାଏ ସମୁଦ୍ରକୁ । ପଥର ଢିପଗୁଡ଼ିକ ନଈକୁ ପୁଣି ବିଦ୍ରୂପ କରନ୍ତି ।

 

ଖଣ୍ଡାଧାର ଉପରେ ପୋଲ ତିଆରି ହେଉଛି । ରେଲରାସ୍ତା ଯିବ । କେତେ ଜଙ୍ଗଲ ଦେଇ ରାସ୍ତା ତିଆରି ହେଲାଣି । ପୋଲ କାମ ଆରମ୍ଭ ହୋଇ ଯାଇଛି । ପାଖରେ ଗାଁ ଗଣ୍ଡା କିଛି ନାହିଁ । କଣ୍ଟ୍ରାକ୍ଟର ତରଫରୁ କାମ କରିବାକୁ ଆସିଲେ ଇଞ୍ଜିନିୟର ବିଶ୍ଵନାଥ ବାବୁ । କମ୍ପାନୀରେ ରହି ଅନେକ ଦିନ ହେଲା ସେ କାମ କଲେଣି । କେତେ ଅପନ୍ତରା ସ୍ଥାନରେ ରହି କାମ କରାଇଛନ୍ତି-। ପୋଲ କାମରେ ତାଙ୍କର ଖୁବ୍‍ ଅନୁଭୂତି ଅଛି । ପୋଲ ଦାୟିତ୍ଵରେ ସେ ରହିଲେ । ନଈ କୂଳରେ ତମ୍ବୁ ପଡ଼ିଲା ।

 

ତମ୍ବୁ ପାଖରୁ ପାଞ୍ଚ ମାଇଲ ଦୂରରେ କନାହାର ଗାଁ । ତା’ ପାଖରେ ହାଟ, ଦରକାରୀ ଜିନିଷ ସେଠି ମିଳେ । ବିଶ୍ଵନାଥ ବାବୁଙ୍କ ପାଖରେ ଜିପ୍‍ ଅଛି । ଯିବା ଆସିବା କରିବାରେ କିଛି ଅସୁବିଧା ନାହିଁ । ଖରାଦିନ ବେଳ । ଜମିରେ ଫସଲ ନାହିଁ । ଚାଷ ଜମି ଭିତରେ ଜିପ୍‍ ଚଳାନ୍ତି । ହାଟରେ ପହଞ୍ଚିଲା ବେଳକୁ ଦେହ ଦରଜ । ସେ ଦିନ ବେଶ୍‍ ନିଦ ହୁଏ ।

 

ଦୁଇବର୍ଷ କାମ ଲାଗିବ । ନଈର ପୂର୍ବ ପଟରେ ଶ୍ରମିକ ବସ୍ତି । ତା’ଠାରୁ ଅଳ୍ପ ଦୂରରେ ଇଞ୍ଜିନିୟର ଓ ଓଭରସିଅର୍‍‍ମାନଙ୍କ କ୍ଵାଟର ସବୁ । ଅପିସ ଓ ଷ୍ଟୋର ନଈଠାରୁ ଟିକିଏ ଦୂରରେ । ତା’ ପାଖକୁ ଲାଗି କିରାନିମାନଙ୍କର କ୍ଵାଟର ସବୁ । ବସ୍ତି ପାଇଁ ପାଣି ଦରକାର । ନଈରେ ଦିଫୁଟ ଗହୀରର ପାଣି । ପମ୍ପ ଲାଗି ପାଣି ଆସିଲା । ବିଜୁଳିବତୀ ପାଇଁ ବିଶେଷ ଚିନ୍ତା କରିବାକୁ ପଡ଼ିଲା ନାହିଁ । ପାଖରେ ଜେନେରଟର୍‍ ସେଟ୍‍, ବିଜୁଳିବତୀ ଜଳିଲା । ସ୍ଥାନଟିର ରୂପ ବଦଳିଗଲା, ଖଣ୍ଡାଧାର କୂଳରେ ଗଢ଼ି ଉଠିଲା ଛୋଟ ଗାଁଟିଏ । ନଈ ଭିତରେ ଖରାଦିନିଆ ରାସ୍ତା ତିଆରି ହୋଇ ଗାଡ଼ି ଚାଲିଲା ।

 

ହଜାର ଫୁଟ ଲମ୍ବାର ପୋଲ । କାମ ଚାଲିଲା ରାତି ଦିନ । ନଈ ଭିତର ପାହିଆ କାମ ପ୍ରଥମେ ଆରମ୍ଭ ହେଲା । କାମ ଚାଲିଲା ଖୁବ୍‍ ଜୋରରେ । ପ୍ରଥମେ ମୂଳଦୁଆ ତିଆରି ହେବ । ନଈରେ ପାଣି ନାହିଁ, ମାଟି ଖୋଳା ହୋଇ ମୂଳଦୁଆ ପଡ଼ିଲା । ମଝି ପାହିଆ ଗୁଡ଼ିକର କାମ ପ୍ରାୟ ଖରାଦିନେ ଶେଷ ହୋଇଗଲା । ଦୁଇ ମୁଣ୍ଡର କାମ ବାକି । ବର୍ଷା ଦିନେ ଦୁଇ କୂଳରେ କାମ ଚାଲିଲା ।

 

ପଶ୍ଚିମ ପଟରେ କ୍ୱାଟରସ୍‍ ନାହିଁ । କାମ ଶେଷ କରି କର୍ମ୍ମୀମାନେ ଘରକୁ ଫେରି ଆସନ୍ତି-। ଜଗୁଆଳ ରାତିରେ ଜଗି ରହେ । ଚକରା ଚୌକିଦାର, ସାଥୀରେ ତା’ ଘରଣୀ ରୂପେଈ ।

 

ପଚାଶ ବର୍ଷ ତଳର କଥା, ଚକରାକୁ ସେତେବେଳେ ସାତବର୍ଷ । ତା’ର ବାହାଘର ହେଲା ଚାରିବର୍ଷର ଝିଅ ରୂପେଈ ସାଥୀରେ । ଚକରା ଓ ରୂପେଈ ବଡ଼ ହେଲେ । ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଭଲ ପାଇଲେ, ମୋହ ବଢ଼ିଲା । ଚକରା ରୂପେଈ ଜୀବନ-ପଥରେ ଆଗେଇ ଚାଲିଲେ ।

 

ରୂପେଈ ମନରେ କେବେ ଖୁସି ନାହିଁ, ତା’ର ପିଲାପିଲି ନାହାନ୍ତି ବୋଲି । ଚକରା କିନ୍ତୁ ସେ ବିଷୟରେ କେବେ ଭାବେନା । ସେ କେବଳ ଜାଣେ କାମ କରିବ ପେଟ ପୋଷିବା ପାଇଁ । ରୂପେଈ ଘର ଚଳାଇବ ।

 

ଚକରା ଚାଷ କାମ କରି ପାରେନା । ପିଅନ କିମ୍ବା ଚୌକିଦାର ହୋଇ ସମୟ କଟାଇ ଦେଲାଣି । ସାଥୀରେ ନେଇଯାଏ ରୂପେଈକୁ । ଚଳିବାକୁ କିଛି ଅସୁବିଧା ହୁଏ ନାହିଁ । ପୋଲ ପାଖରୁ ତା’ ଗାଁ ପଚିଶ ମାଇଲ ଦୂର । ପୋଲରେ ଚୌକିଦାର ଚାକିରି ତାକୁ ମିଳିଲା । ଗାଁ ଛାଡ଼ି ସେ ରହିଲା ପୋଲ ପାଖରେ । ପୋଲ ପଶ୍ଚିମ ପଟରେ ତିଆରି ହେଲା ନୂଆ କୁଡ଼ିଆ । ଚକରା ଓ ରୂପେଈ, ମାମୁଁ ମାଇଁ ଦୁଇ ପ୍ରାଣୀ ରହିଲେ ସେ ଘରେ ।

 

ରୂପେଈ ବଡ଼ ମଜବୁତ୍‍ । ଦୁଇଟା ମରଦର କାମ କରେ । ଘର କାମ କରେ, ତା’ ସାଥୀରେ ସେ ପୋଲରେ ମଜୁରୀ ଲାଗେ । ରୂପେଈକୁ ଯେ କାମ କରିବାକୁ ଭଲ ଲାଗେ, ତା’ ନୁହେଁ । ଗୁଜୁରାଣ ମେଣ୍ଟାଇବାକୁ ହେବ, ଚକରା ଯୋଗୁ ତାକୁ ପରିଶ୍ରମ କରିବାକୁ ପଡ଼େ ।

 

ଚକରାର ଅନେକ ଦିନର ଅଭ୍ୟାସ, ସେ ଅଫିମ ଖାଏ । ସୋରିଷ ପରି ଗୁଳାଟାଏ ସେ ପ୍ରଥମେ ଖାଉଥିଲା । କିନ୍ତୁ ବୟସ ବଢ଼ି ଚାଲିଲା । ତା’ ସାଙ୍ଗେ ସାଙ୍ଗେ ଅଫିମର ପରିମାଣଟା ବଢ଼ିଛି ମଧ୍ୟ । କାଇଁଚ ଆକାରର ଟେଳାଟାଏ ନ ହେଲେ ନ ଚଳେ । ଦିନେ ଅଫିମ ନ ଖାଇଲେ ନାକରୁ ପାଣି ଗଡ଼େ । ରୂପେଈର ଏଥି ପ୍ରତି ଖୁବ୍‍ ନଜର । ସେ ପରିଶ୍ରମ କରେ ସ୍ଵାମୀର ଅଫିମ କିଣିବା ପାଇଁ । ଭାତ ନ ଖାଇ ସେମାନେ ଗୋଟାଏ ଦିନ ଚଳିଯାଇ ପାରନ୍ତି; କିନ୍ତୁ ଅଫିମ କିଣା ହେବାର କଥା । ଦୁଇଟା ପେଟ ଅପୋଷା ରହୁନାହିଁ, କୌଣସି ରକମ ସେମାନେ ଚଳି ଯାଉଛନ୍ତି ।

 

ଝାଟିମାଟିର ଘର ଖଣ୍ଡେ । ରୂପେଈ ତା’ ହାତ କରାମତି ଦେଖାଇଛି । ମାଟି ଗୋବରରେ ଘର ସେ ଲିପିଛି । ଘର ମଇଳା ହେଲେ ରୂପେଈ ଦେହରେ ଯାଏନା । ଚକରା ମଧ୍ୟ ତାକୁ ଏଥିପାଇଁ ସାହାଯ୍ୟ କରେ । ଦୁଇ ପ୍ରାଣୀ, ଦୁଇଟା ଦେହ, କିନ୍ତୁ ମନ ଗୋଟାଏ ।

 

ଚକରା ରାତିସାରା ବାହାରେ ବସେ । ଢୋଳେଇ ଢୋଳେଇ ପାଟି କରୁଥାଏ । ସକାଳ ହେଲେ କୁମ୍ଭକର୍ଣ୍ଣ ନିଦରେ ଶୁଏ । ଅଫିମ ଖିଆ ବେଳ ଆସେ, ତା’ ନିଦ ଚଟ୍‍ କରି ଭାଙ୍ଗିଯାଏ, ଅଫିମ ଖାଇ ପୁଣି ଶୁଏ । ଖାଇବା ବେଳେ ପୁଣି ତା’ର ନିଦ ଭାଙ୍ଗେ । ଏଇ ହେଲା ନିତି ଦିନିଆ ଜୀବନ ! ବାହାର ଜଗତ ସାଙ୍ଗରେ ସେମାନଙ୍କର ସମ୍ପର୍କ ବହୁତ କମ୍‍ ।

 

ବର୍ଷାଋତୁ । ନଈରେ ପାଣି ବଢ଼ିଲା । ବିଶ୍ଵନାଥ ବାବୁ ଅକ୍ଳାନ୍ତ ଚେଷ୍ଟା କରି ଚାଲିଛନ୍ତି । କୌଣସି ରକମ ବନ୍ୟା ପୁର୍ବରୁ ପଶ୍ଚିମ ପଟର କାମ ଶେଷ କରିବାକୁ ହେବ । ଚୌକିଦାରର ଘର ପୂର୍ବ ପଟରେ ତିଆରି ହେଲା । ଏଣିକି ଚକରା ଏକୁଟିଆ ପଶ୍ଚିମ ପଟରେ ଜଗି ରହେ । ସକାଳ ହେଲେ ଘରକୁ ଫେରି ଆସେ ।

 

କିନ୍ତୁ ହଠାତ୍‍ ଦିନେ ରାତିରେ ଅବିଶ୍ରାନ୍ତ ବର୍ଷା ଆରମ୍ଭ । ଘରୁ କେହି ବାହାରି ପାରିଲେ ନାହିଁ । ସକାଳେ ଦେଖାଗଲା ନଈରେ ପ୍ରବଳ ଜୋରରେ ସୁଅ, ନଈର ଦିକୂଳ ଡିଆଁଇ ପାଣି ଚାଲିଛି-। ଚକରା ରହିଲା ଆର ପାରିରେ । ଶହେ ବସ୍ତା ସିମେଣ୍ଟ ଓ କଂକ୍ରିଟ୍‍ ମିକ୍‍ଶରକୁ ସେ ଜଗିଛି-। ତା’ ପୁରୁଣା ଘରେ ସେ ବସିଛି । ଖାଇବାକୁ କିଛି ନାହିଁ, କିନ୍ତୁ ଅଣ୍ଟାରେ ଅଛି ଦିନକ ପାଇଁ ଅଫିମ-

 

ନଈ ପାରି ହେବାର କିଛି ଉପାୟ ନାହିଁ । ରୂପେଈର ସ୍ୱାମୀ ପାଇଁ ଚିନ୍ତା । ବିଶ୍ଵନାଥ ବାବୁଙ୍କ ପାଖରେ ସେ କାନ୍ଦି ବ୍ୟସ୍ତ । ଅଫିମ ନ ହେଲେ ତା’ ସ୍ଵାମୀ ବଞ୍ଚିବା ବେଠିକଣା । ବିଶ୍ଵନାଥ ବାବୁ ପ୍ରଥମ ଥରପାଇଁ ଶୁଣିଲେ ଯେ ଚକରା ଅଫିମ ଖାଏ । ତାଙ୍କ ମୁଣ୍ଡରେ ଚିନ୍ତା ପଶିଲା, ଗୋଟାଏ ଜୀବନ ବିପନ୍ନ, ତାକୁ ରକ୍ଷା କରିବାକୁ ହେବ । ଯଦି ଚକରାର କିଛି ହୋଇଯାଏ, ଦୋଷ ହେବ ତାଙ୍କର । ସେ ଉପାୟ ଖୋଜିବାକୁ ଲାଗିଲେ ।

 

ପାଖ ଆଖରେ କୌଣସି ନଉକା ନାହିଁ । ନଈ ପାରି ହେବାର ଆଉ କୌଣସି ଉପାୟ ନାହିଁ । ଚକରା ବି ମଝିରେ ମଝିରେ ରୂପେଈକୁ ଡାକ ଛାଡ଼ିଲାଣି । ରୂପେଈ ଅଫିସରେ ବସି କହୁଛି, “ଇଞ୍ଜିନିୟର ବାବୁ ! ମୋ ମରଦ କେମିତି ବଞ୍ଚିବ ତା’ ଉପାୟ କର । ତା’ ନ ହେଲେ ମୁଁ ଜୀବନ ହାରିଦେବି ।”

 

ବିଶ୍ୱନାଥ ବାବୁ ଉପାୟ ଠିକ୍‍ କରିବାରେ ଲାଗିଛନ୍ତି । ନଈପାରି ହେବାର ଗୋଟାଏ ବାଟ ତାଙ୍କୁ ଦେଖାଗଲା । ସାଙ୍ଗେ ସାଙ୍ଗେ ସେ କାମରେ ଲୋକ ଲଗାଇଲେ । ଚାରିଜଣ ମିସ୍ତ୍ରି ଓ ଦଳେ କୁଲି ଲାଗି ଗୋଟାଏ ଭେଳା ତିଆରି କଲେ । ଦଶଟି ଟିଣ ଡ୍ରମ ଲଗାଇ ଭେଳା ତିଆରି ହେଲା । ଛଅଜଣ ଭଲ ନାଉରି ଠିକ୍‍ ହେଲେ । ଚକରା ପାଇଁ ଖାଦ୍ୟ ଓ ଅଫିମ ଆସିଲା । ଭେଳାର ଗୋଟିଏ ମୁଣ୍ଡରେ ଦଉଡ଼ି ବାନ୍ଧି ଦଳେ ଲୋକ କୂଳ ଉପରେ ଠିଆ ହେଲେ ।

 

ଭେଳା ଭାସିଲା । ନାଉରିମାନେ କାତ ଧରି ପ୍ରସ୍ତୁତ ହେଲେ । ବିଶ୍ୱନାଥ ବାବୁ ଭେଳାରେ ବସିଲେ । ଏ ଗୋଟାଏ ନୂଆ ରକମ ଅନୁଭୂତି ହେବ । କେତେ ରକମ ବିପଦ ସଙ୍କୁଳ ଅବସ୍ଥା ସୃଷ୍ଟି ହେଉଛି । ତାରି ଭିତର ଦେଇ ବିଶ୍ଵନାଥ ବାବୁ ଜୀବନର ସ୍ଵାଦ ଅନୁଭବ କରୁଛନ୍ତି । ଏଇ ନଈ ପାରିକୁ ସେ ବା ଡରନ୍ତେ କାହିଁକି ? ଭେଳା କୂଳ ଛାଡ଼ିଲା । ଓଃ, କି ଜୋରରେ ସୁଅ । ଭେଳା ପାଣି ଧରିଲା, ଆର ପାରିକୁ ଯାଇ ପାରିଲାନି । ମଝି ନଈରେ ଦଉଡ଼ି ଛିଣ୍ଡିଲା, ଭେଳା ସୁଅ ତଳକୁ ଭାସିଗଲା ।

 

କୂଳରେ ଥିବା କୁଲି କେବଳ ପାଟି କରିବାକୁ ଲାଗିଲେ । ବିଶ୍ୱନାଥବାବୁ କେବଳ ସାହସ ଦେବାରେ ଲାଗିଥାନ୍ତି । ନାଉରିମାନେ କିନ୍ତୁ ଭୟଭୀତ ହୋଇ ପଡ଼ିଲେ । କାତଗୁଡ଼ିକ ଉପରେ ବହୁତ ଜୋର୍‍ ପଡ଼ିଲା; କିନ୍ତୁ କି ଦୁର୍ଯୋଗ ! ଗୋଟିକପରେ ଗୋଟିଏ କରି ଚାରଟି କାତ ଭାଙ୍ଗିଗଲା । ନାଉରିମାନେ ଜୀବନ ଆଶା ଛାଡ଼ିଦେଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ କାନ୍ଦିବା ଆରମ୍ଭ କରିଦେଲେ ।

 

ନଈ ଭିତରେ ଅନେକ ପଥର ଢିପ ଅଛି । କୌଣସି ଗୋଟିକରେ ବାଡ଼େଇ ହେଲେ, ଭେଳା ଲେଉଟି ପଡ଼ିବ । କାହାରି ପ୍ରାଣ ରହିବାର ଆଶା ନାହିଁ ।

 

ବିଶ୍ଵନାଥ ବାବୁଙ୍କୁ ବି କିଛି ବୁଦ୍ଧି ଦେଖାଗଲା ନାହିଁ । ଗୋଟିଏ ଜୀବନକୁ ରକ୍ଷା କରିବାକୁ ଯାଇ, ସାତଜଣ ବିପନ୍ନ । ସମସ୍ତେ କେବଳ ଈଶ୍ଵରଙ୍କୁ ଡାକିବାରେ ଲାଗିଲେ ।

 

ନଈ କୂଳରେ ଦଳେ କୁଲି ଦଉଡ଼ି ଦଉଡ଼ି ଚାଲିଥାନ୍ତି, ଭେଳା ନଈ ମଝିରେ ଭାସି ଭାସି ଚାଲିଥାଏ । ପୋଲ ପାଖରୁ ଭେଳା ଦୁଇ ମାଇଲ ତଳକୁ ଭାସି ଗଲା । ନିରାଶା ଭିତରେ ଆଶାର ଆଲୋକ ଦେଖାଗଲା । ବୋଧହୁଏ ଈଶ୍ଵର ସେମାନଙ୍କ ଡାକ ଶୁଣିଲେ । ନଈ ମଝିରେ ଗୋଟାଏ ବିରାଟ ବରଗଛ ବହୁ କାଳର ପୁରୁଣା ଗଛ, ଡାଳପତ୍ର ସବୁ ପାଣିକି ଲାଗିଛି । ଭେଳା ସେହି ଗଛତଳକୁ ଭାସିଗଲା । ସମସ୍ତେ ଗୋଟାଏ ଲେଖାଏ ଡାଳ ଧରି ପକାଇଲେ । ସୁଅ ଦାଉରୁ ରକ୍ଷା ମିଳିଲା, ଭେଳା ଅଟକିଲା ।

 

ସେ ଦିନ ବିନା ଖାଦ୍ୟରେ ସାତଜଣ ରହିଲେ । ତା’ ପରଦିନ ନଈରୁ ପାଣି କମିଲା । ପଥର ଢିପ ସବୁ ପୁଣି ମୁଣ୍ଡ ଟେକିଲେ । କୁଲିମାନେ ଭେଳାକୁ କୂଳକୁ ଆଣିଲେ ।

 

ରୂପେଈକୁ ଦୁଇଦିନ ହେଲା ଭାତ ପାଣି ରୁଚୁ ନାହିଁ । ତା’ର ଜିଦ୍‍ ଯେ ଚକରା ପାଖକୁ ସେ ଯିବ । ଦୁଇଜଣ କୁଲି ଆଉ ସେ ନଈରେ ପଶିଲେ । ଚକରାର ପାଟି ଆଉ ଶୁଭୁ ନାହିଁ । ସେ ଶୋଇଛି ତା’ ପୁରୁଣା ଘରେ । ତା’ ନାକରୁ ପାଣି ଗଡ଼ୁଛି, ହୋସ ନାହିଁ । ରୂପେଈ ଚକରାକୁ ଦେଖି ଚେତା ହରାଇ ସେଠି ପଡ଼ିଲା । କୁଲି ଦୁଇଜଣ ଥକ୍କା ମାରି ଠିଆ ହେଲେ । ତା’ପରେ ଜଣକର ହୋବ ହେଲା । ଆରେ, ରୂପେଈ କାନିରେ ଅଫିମ ଟେଳାଟାଏ ବାନ୍ଧି ଆଣିଛି । ରୂପେଈ କାନିରୁ ଅଫିମ ଟେଳାଟା ବାହାର କରି ସେଥିରୁ ଟିକିଏ ଚକରା ପାଟିରେ ସେ ଦେଲା । ଚକରା ଧୀରେ ଧୀରେ ଆଖି ଖୋଲିଲା । ସାମନାରେ ଦେଖିଲା ରୂପେଈ, ତା’ ପ୍ରାଣର ରୂପେଈ ଚେତାଶୂନ୍ୟ ହୋଇ ପଡ଼ିଛି । ତା’ର ଥରିଲା ଥରିଲା ହାତ ଦିଟାକୁ ରୂପେଈ ଉପରେ ଧୀର ଅତି ଧୀରେ ସେ ବୁଲାଇ ଆଣିଲା ।

Image

 

ମିନିର ପୁଷିବିରାଡ଼ି

 

ରାମ ପ୍ରଧାନଙ୍କର ସାନ ଝିଅ ମିନି, ବାପାମାଙ୍କର ଗେଲବସର ଝିଅ । ତାକୁ ଆଠ ବରଷ । ସେ ସ୍କୁଲରେ ପଢ଼େ । କିନ୍ତୁ ମିନି ଖୁବ୍‍ ଜିଦଖୋର, ଯାହା ବୁଝିଥିବ ସେଇୟା । କିଛି ଗୋଟାଏ ନ ମିଳିଲେ, କାନ୍ଦି କାନ୍ଦି ଆଖି ଫୁଲାଇ ଦେବ । ମିନି ଆଖିରୁ ଲୁହ ବୋହିଲେ, ପ୍ରଧାନଙ୍କ ଆଖିରୁ ନହୁ ବୁହେ । ମିନିର ସବୁ ଅଭାବ ସେ ପୂରଣ କରନ୍ତି ।

 

ସ୍କୁଲରେ ସେ ଦିନ ବିରାଡ଼ି ବିଷୟରେ ଆଲୋଚନା ହେଲା । ବୁଢ଼ା ମାଷ୍ଟର ବିରାଡ଼ିର ଚାଲିଚଳନ ଓ ଆକାର ପ୍ରକାର ବିଷୟରେ ଖୁବ୍‍ ବିଶଦଭାବେ ପିଲାଙ୍କୁ ବୁଝାଇଲେ । ବିଶେଷତଃ ତାଙ୍କ ଘରେ ଯେଉଁ କାଳି ବିରାଡ଼ି ଅଛି, ସେ ପ୍ରସଙ୍ଗରେ ଅନେକ କିଛି କହିଲେ । ମିନିର ଗୋଟାଏ ଝୁଙ୍କ ଉଠିଲା, ତାଙ୍କ ଶିକ୍ଷକ ବିରାଡ଼ି ରଖିଛନ୍ତି, ସେ ନିଶ୍ଚୟ ଗୋଟିଏ ବିରାଡ଼ି ପୋଷିବ ।

 

ମିନି ଘରକୁ ଆସି ଦାବି କରି ବସିଲା, ତା’ର ଗୋଟାଏ ବିରାଡ଼ି ନିତାନ୍ତ ଦରକାର । ଆଜି ଯେ କୌଣସି ରକମ ବିରାଡ଼ି ଆଣିବାକୁ ପଡ଼ିବ । ପଧାନଙ୍କ ସ୍ତ୍ରୀ ଏ କଥା ଶୁଣି ରାଗିଗଲେ । ସେ ବିରାଡ଼ିକୁ ଘରେ ପୂରାଇ ଦିଅନ୍ତିନି । ଘରେ ମାଛ, ଶୁଖୁଆ କିମ୍ବା ଖାଇବା ଜିନିଷ କିଛି ବିରାଡ଼ି ରଖାଇ ଦେବନି, ସବୁଥିରେ ମୁହଁ ଲଗାଇବ । ସେ ପାଟିକରି କହିଲେ, ମିନିର ମନ ଦିନକୁ ଦିନ ବଢ଼ି ଯାଉଛି । ଯାହା ଚାହିଁଲା, ତା’ ମିଳୁଛି । ଏମିତି ଦିନ ଆସିବ, ସେ ବି ସରଗର ଚାନ୍ଦ ମାଗିବ । ତା’ ମନ ଏହିଦିନୁ ଭାଙ୍ଗିବାକୁ ପଡ଼ିବ । ତେଣୁ ବିରାଡ଼ି ଘରକୁ ଆସିବ ନାହିଁ ।

 

କାନ୍ଦିବା ପିଲାଙ୍କର ବଡ଼ ଅସ୍ତ୍ର, ମିନି ପ୍ରୟୋଗ କଲା ସେ ଅସ୍ତ୍ର । ସେ ଦିନ ତା’ର ଖାଇବା ବନ୍ଦ । ପଧାନେ ବଡ଼ ବ୍ୟସ୍ତରେ ପଡ଼ିଲେ । ସ୍ତ୍ରୀକୁ ଅନେକ ବୁଝାଇଲେ, ପିଲାଟା କାନ୍ଦି କାନ୍ଦି ନୟାନ୍ତ ହେଲାଣି । କେତେଦିନ ପର୍ଯ୍ୟନ୍ତ ଏପରି ନ ଖାଇ ନ ପିଇ ପଡ଼ିବ, ତା’ର ଠିକଣା ନାହିଁ । ବିରାଡ଼ି ଗୋଟାଏ ଆଣି ତା’ ଉପରେ ନଜର ରଖିଲେ, ବିଶେଷ କିଛି ଅସୁବିଧା ହେବ ନାହିଁ । ମିନି ବୋଉ ରାଜି ହେଲେ । ବିରାଡ଼ି ଆଣିବା କଥା ଠିକ୍‍ ହେଲା । ମିନି କାନ୍ଦ ବନ୍ଦ କରି ଖାଇ ବସିଲା ।

 

ବର୍ତ୍ତମାନ ପଧାନଙ୍କର କାମ ହେଲା ବିରାଡ଼ି ଖୋଜିବା । ଦରକାର ବେଳେ ଯେ ସବୁ ମିଳିବ ତା’ ନୁହେଁ । ପାଖ ଆଖ ଗାଁରେ ବହୁତ ଖୋଜିଲେ । ତାଙ୍କ ଗାଁଠାରୁ ପାଞ୍ଚମାଇଲ ଦୂରରେ ଗୋଟିଏ ବିରାଡ଼ି ଛୁଆ ମିଳିଲା । ଦୁଇମାସର ଛୁଆଟି, ଧଳାରଙ୍ଗ ତା’ ମଝିରେ ଟୋପା ଟୋପା କଳାରଙ୍ଗ, ବଡ଼ ସୁନ୍ଦର ଦେଖା ଯାଉଛି, ମାଈ ବିରାଡ଼ି ଛୁଆ । ବିରାଡ଼ିକୁ ଦେଖି ମିନିର ଆନନ୍ଦ କହିଲେ ନ ସରେ । ସେ ତା’ ନାଁ ଦେଲା ପୁଷି । ସ୍କୁଲରୁ ଫେରି ବିରାଡ଼ିକୁ ଧରି ବୁଲିବା ହେଲା ମିନିର କାମ । ବିରାଡ଼ିକୁ ଖାଇବାକୁ ଦେବା, ଭଲ ସ୍ଥାନରେ ଶୁଆଇବା କାମରେ ମିନିର ଅଧିକାଂଶ ସମୟ କଟିଲା ।

 

ପୁଷି ମିନିକୁ ଖୁବ୍‍ ଭଲପାଏ । ମ୍ୟାଉଁ ମ୍ୟାଉଁ କରି ତା’ ପାଖରେ ବୁଲେ, ଘଷି ହୁଏ, କୋଳରେ ବସେ । ଅନ୍ୟମାନଙ୍କ ପାଖକୁ କମ୍‍ ଯାଏ । ପୁଷିକୁ ଖାଇବାକୁ ପ୍ରଚୁର ମିଳେ । ତେଣୁ ସେ ଏଣେତେଣେ ମୁହଁ ପୁରାଏନା । କିଛି ଚୋରି କରି ଖାଇବା ତା’ର ଅଭ୍ୟାସ ନୁହେଁ । ଦେଲେ ଖାଇବ, ତା’ ନ ହେଲେ ମାଛ ମାଂସ ହେଲେ ବି ଜଗି ବସିଥିବ, ସତେ ଯେମିତି ସେ ଗୋଟାଏ ଜଗୁଆଳ । ମିନି ବୋଉ ବଡ଼ ଖୁସି ହୁଅନ୍ତି, ଗୋଟିଏ ଭଲ ବିରାଡ଼ି ମିଳିଛି । ଗେଲରେ କହନ୍ତି, ପୁଷି ମିନିର ଝିଅ, ତାଙ୍କର ନାତୁଣୀ । ମନରେ ମାୟା ଜାଗେ ।

 

ପୁଷି ବଡ଼ ହେଲା । ଘର ପ୍ରତି ଲୋଭ ଆଉ ମିନି ପ୍ରତି ସ୍ନେହ ବଢ଼ିଲାଣି । ସବୁ ଜୀବ ସ୍ନେହର ଦାସ । ତେଣୁ ପୁଷି ଘର ଛାଡ଼ି କେବେ କେଉଁଠାକୁ ଯାଏନା । ଅସରପା କିମ୍ବା ମୂଷା ତା’ ଆଗରେ ପଡ଼ିଲେ, ତାଙ୍କ ଉପରକୁ ସାଙ୍ଗେ ସାଙ୍ଗେ ଡେଇଁପଡ଼େ । ଅନ୍ୟ ବିରାଡ଼ି ପଧାନ ଘରକୁ ଆସିଲେ, ପୁଷି ସହି ପାରେନା । ଦେହ ଫୁଲାଇ ତାକୁ ଆକ୍ରମଣ କରେ, ଝଗଡ଼ା ଲାଗେ । ଆଗନ୍ତୁକ ପଲାଇ ଯାଏ ।

 

ସେ ଦିନ ଆସିଲା କଳା ଭୁଆଁ ବିରାଡ଼ି । ପୁଷିର ରାଗ କହିଲେ ନ ସରେ । ଯୁଦ୍ଧ ପାଇଁ ଦୁଇଜଣ ତିଆରି ହେଲେ । ମିନିବୋଉ ଡରିଗଲେ, ଭୁଆଁଟା ବଳୁଆ, ପୁଷିକୁ ସେ ଖଣ୍ଡିଆ ଖାବରା କରିଦେଇପାରେ । ସେ ବାଡ଼ି ଆଣି ଠିଆ ହେଲେ । ପୁଷି ଶବ୍ଦ ବାରିଲା ଯେ ଆଗନ୍ତୁକ ଅଣ୍ଡିରା ବିରାଡ଼ି । ତା’ ରାଗ କମିଲା, ସେ ଇସାରା ଦେଲା । ଭୁଆଁ ଆଉ ପୁଷି ବୁଲିଲେ ସାଙ୍ଗ ହୋଇ । ସୃଷ୍ଟିର ନିୟମ, ଅଣ୍ଡିରା ବିଲେଇ ଭଲ ପାଇଲା ମାଈ ବିଲେଇକୁ । ପୁଷି ହେଲା ଗର୍ଭବତୀ ।

 

ମିନିର ଖୁବ୍‍ ଆନନ୍ଦ । ପୁଷି ଜନ୍ମ କରିବ ଛୁଆ, ବିରାଡ଼ି ସଂଖ୍ୟା ବଢ଼ିବ, ଆଉ ତା’ର ହେବେ ନାତୁଣୀ । ସେହି ଆନନ୍ଦରେ ସେ ବିଭୋର । ପୁଷି କେଉଁଠି ଜନ୍ମ କରିବ, ମିନିର ସେ ଗୋଟାଏ ବଡ଼ ଚିନ୍ତାର ବିଷୟ । ସେଥିପାଇଁ କେତେ ବିଚାର ଆଉ ଆଲୋଚନା ହେଲା । ଶେଷକୁ ଠିକ୍‍ ହେଲା ଗୋଟାଏ ପୁରୁଣା ଚୁଲି । ପୁଷି ଜାଣେ ତା’ର ଖାମିଦ ତା’ ପାଇଁ କ’ଣ କରୁଛି । ସେ ଚୁଲି ଭିତରେ ଛୁଆ ଜନ୍ମ କଲା ।

 

ତିନୋଟି ଛୁଆ, ଆଖି ଫିଟି ନାହିଁ । ଗୋଟିଏ ଛୁଆ ଠିକ୍‍ ମା ପରି ଦେଖା ଯାଉଛି । ଆଉ ଦୁଇଟି ଟିକିଏ ଅନ୍ୟ ରକମର, ଭୁଆଁର ରଙ୍ଗ ଆଣିଛନ୍ତି । ମିନିର କାମବଢ଼ି ଯାଇଛି । ସେ ପୁଷିକୁ ଖାଇବାକୁ ଦିଏ, ଛୁଆଗୁଡ଼ିକୁ ଦିନକୁ ଦଶଥର ଦେଖେ । ଏମିତିକି ମିନି ସ୍କୁଲକୁ ଯିବା କଥା ବି ଭୁଲିଯାଏ ।

ଭୁଆଁ ଆସିଲା । ବାପ ସେ, ଛୁଆଙ୍କ ଭଲମନ୍ଦ ଦାୟିତ୍ଵ ତା’ର । ଦେଖିଲା ବଡ଼ କଉତୁକିଆ ଛୁଆ ଗୁଡ଼ିଏ । କଅଁଳ ମାଂସ, ତା’ର ଲୋଭ ହେଲା । ଗୋଟିଏ ପରେ ଗୋଟିଏ ଛୁଆ ସେ ଖାଇଲା । ପୁଷି ଜାଣି ପାରିଲାନି, ଘରେ ସମସ୍ତେ ଏ କଥା ଜାଣିଲେ । ମିନି କାନ୍ଦିଲା କିନ୍ତୁ କିଛି କରିପାରିଲାନି । ପୁଷି ମନରେ କୋହ, ସେ କିଛି ଖାଇଲାନି । ମ୍ୟାଉଁ ମ୍ୟାଉଁ କରି ସବୁଆଡ଼େ ବୁଲିଲା, ପୁଷି ଛୁଆଙ୍କୁ ଆଉ ପାଇଲାନି । କିଛିଦିନ ଗଲା । ପୁଷି ଭୁଲିଗଲା ତା’ର ଛୁଆଙ୍କୁ । ଭୁଆଁ ପୁଣି ଆସି ସ୍ନେହ ଦେଖାଇଲା । ପୁଷି ତାକୁ ଗ୍ରହଣ କଲା ବିନା ଦ୍ଵିଧାରେ । ତା’ର ଛୁଆ ଜନ୍ମ କରିବାର ଲକ୍ଷଣ ଦେଖାଗଲା । ମିନି ପ୍ରତିଜ୍ଞା କଲା, ଏଥର ସେ ଛୁଆଙ୍କୁ ନିଶ୍ଚୟ ରକ୍ଷା କରିବ । ଯଦି ଦରକାର ହେବ, ସେ ଭୁଆଁକୁ ମାରିଦେବ ମଧ୍ୟ ।

ଏଥର ପୁଷି ଜନ୍ମକଲା ଭାଡ଼ି ଉପରେ, ସେହି ତିନୋଟି ଛୁଆ । ଘରେ ସମସ୍ତେ ସତର୍କ । ଭୁଆଁକୁ ଦେଖିଲେ ସମସ୍ତେ ମାରି ଗୋଡ଼ାଇଲେ । କିନ୍ତୁ ଭୁଆଁ ଆସିଲା ରାତିରେ, ଗୋଟିଏ ପରେ ଗୋଟିଏ ଛୁଆଙ୍କୁ ଖାଇଲା । ପୁଷି ଏଥର ଜାଣିଲା ଯେ ଭୁଆଁ ତା’ର ଛୁଆଙ୍କୁ ଖାଉଛି । ସେ ମ୍ୟାଉଁ ମ୍ୟାଉଁ କରି ବହୁତ କାନ୍ଦିଲା । ଭୁଆଁ ଆସିଲେ ଲାଞ୍ଜ ଫୁଲାଇ ତା’ ଉପରକୁ ଖିଙ୍କାରି ହେଲା, କିନ୍ତୁ କିଛି କରିପାରିଲାନି ।

ମିନି ଏଣିକି ପଢ଼ାପଢ଼ିରେ ବ୍ୟସ୍ତ ରହିଲାଣି । ପୁଷି ଉପରକୁ ବେଶୀ ନଜର ଦେବା ଦରକାର ପଡ଼ୁନି । ମିନି ଜାଣେ, ପୁଷି ଅନ୍ୟ କେଉଁଠିକି ଯିବନି । ତା’ ପାଖରେ ଖାଇବ ଏବଂ ଶୋଇବ । ଏଇଟା ଯେମିତି ଅଭ୍ୟାସଗତ ହୋଇ ଗଲାଣି ।

ପୁଷି ତୃତୀୟଥର ପାଇଁ ଗର୍ଭ ଧରିଲା । ସମସ୍ତେ ଆଶା ଛାଡ଼ି ଦେଇଛନ୍ତି ଯେ ଛୁଆ ସବୁ ବଞ୍ଚିବେନି, ଭୁଆଁ ସମସ୍ତଙ୍କୁ ଖାଇବ । ପୁଷିର ଚିନ୍ତା କିନ୍ତୁ ଅଲଗା । ମା ମନ, ସେ ଏଥର ଛୁଆଙ୍କୁ ବଞ୍ଚାଇ ବଡ଼ କରିବ । ଜନ୍ମ କରିବା ବେଳ ଆସିଲା । ପୁଷି ଘର ଛାଡ଼ି ଅନ୍ୟ ଆଡ଼େ ଗଲା । ପୁଷି ଜନ୍ମ କଲା ସାହୁଘର ସଙ୍ଗା ଉପରେ । ତିନୋଟି ଛୁଆ, ଗୋଟିଏ ମାଈ, ଦୁଇଟି ଅଣ୍ଡିରା । ଭୁଆଁ ସେମାନଙ୍କୁ ଦେଖି ପାରିଲାନି । ଛୁଆଙ୍କର ଆଖି ଫିଟିଲା । ପୁଷି ସେମାନଙ୍କୁ ଧରି ଫେରି ଆସିଲା ପଧାନ ଘରକୁ । ସମସ୍ତେ ଖୁସି ହେଲେ ।

ଭୁଆଁ ପୁଷିକୁ ଖୋଜି ହେଉଥାଏ । ଛୁଆଗୁଡ଼ିଙ୍କୁ ଦେଖି ସେ ଖୁବ୍‍ ଆଶ୍ଚର୍ଯ୍ୟ ହେଲା । ସମସ୍ତେ ବଡ଼ ହୋଇ ଗଲେଣି । ପୁଷି ଉପରେ ତା’ର ଖୁବ୍‍ ରାଗ ହେଲା । ଛୁଆଙ୍କର ବାପ ସେ । ପୁଷି ତାକୁ ଲୁଚାଇ ଜନ୍ମ କରିଛି । ନିଶ୍ଚୟ ତା’ର ପ୍ରତିଶୋଧ ସେ ନେବ ।

ମିନିର ମାମୁଁ ଦିନେ ତାଙ୍କ ଘରକୁ ଆସିଲେ । ବିରାଡ଼ି ଛୁଆଗୁଡ଼ିଙ୍କୁ ଦେଖିଲେ । ଗୋଟିଏ ଛୁଆ ନେବାକୁ ସେ ମନକଲେ । ମିନିବୋଉଙ୍କର ଚିନ୍ତା ହେଲା, ଝିଅ ଅଝଟ କରିବ, କୌଣସି ଛୁଆ ଦେବାକୁ ରାଜି ହେବନି ।

ମିନି ସ୍କୁଲରୁ ଆସି ଜାଣିଲା, ମାମୁଁ ବିରାଡ଼ି ଛୁଆ ନେବାକୁ କହୁଛନ୍ତି । କିଛି କହିଲାନି, ତା’ର ଆଦୌ ଇଚ୍ଛା ନୁହେଁ ବିରାଡ଼ି ଛୁଆ ଦେବାକୁ । ବାପା ବୋଉ ବୁଝାଇ କହିବାରୁ ରାଜି ହେଲା । କିନ୍ତୁ କେଉଁ ଛୁଆଟିକୁ ମାମୁଁଙ୍କୁ ଦେବ, ଏ କଥା ସେ ଠିକ୍‍ କରିପାରିଲାନି । ମାମୁଁ ଦୁଇଦିନ ରହି ଘରକୁ ଫେରିଲେ, ସଙ୍ଗରେ ନେଇଗଲେ ମାଈ ଛୁଆଟିକୁ । ମିନିର ମନ ଦୁଃଖ ହେଲା । କିନ୍ତୁ ସେ ଭାବିଲା, ପୁଷି ପୁଣି ଜନ୍ମ କରିବ । ଆଉ ଥରକୁ ସେ କାହାକୁ ବିରାଡ଼ି ଛୁଆ ଦେବ ନାହିଁ ।

 

ଅଣ୍ଡିରା ଛୁଆ ଦୁଇଟି ରହିଲେ । ସବୁବେଳେ ସେମାନେ ମା ସାଙ୍ଗରେ ବୁଲିଲେ । ଭୁଆଁ ଦେଖିଲା ତା’ର ଶତ୍ରୁ ଜନ୍ମ ହୋଇଛନ୍ତି । ତାକୁ ତା’ ଅଧିକାରରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି । ତାକୁ ଜଣାଗଲା, ପୁଷିର ସ୍ନେହ ଯେମିତି ତା’ ଉପରୁ କମି ଯାଉଛି । ଏଟା ତାକୁ ଖୁବ୍‍ ବାଧିଲା । ସେ ଏଣିକି ସୁବିଧା ଉଣ୍ଡିଲା । ତା’ ରାସ୍ତା ସେ ସଫା କରିବ, ମୂଳୁ ମାଇଲେ ଯିବ ସରି–

 

ପୁଷି ଏଣିକି ଛୁଆଙ୍କ ପ୍ରତି ବିଶେଷ ନଜର ଦିଏନା । ଛୁଆ ସବୁ ଟିକିଏ ବଡ଼ ହୋଇଗଲେଣି । ତାଙ୍କ ଦାୟିତ୍ଵ ସେ ବୁଝିବେ । ପୁଷିର ବୟସ ବି ବଢ଼ି ଗଲାଣି । ତା’ର ଏଣିକି ଆରାମ ଦରକାର । ଅଧିକାଂଶ ସମୟ ସେ ଚୁଲି ପାଖରେ ଶୋଇ ଘୁଡ଼ୁ ଘୁଡ଼ୁ ହେଉଥାଏ ।

 

ଭୁଆଁ ଦିନେ ଛୁଆ ଦୁଇଟିଙ୍କୁ ଦେଖିଲା ଖେଳୁଛନ୍ତି । ପାଖରେ କେହି ନାହାନ୍ତି । ସେ ଆରମ୍ଭ କରିଦେଲା ତା’ର ଆକ୍ରମଣ । ଦୁଇଟି ଛୁଆଙ୍କ ତଣ୍ଟି କାମୁଡ଼ି ସେମାନଙ୍କୁ ମାରିଦେଲା । ପୁଷି ଦେଖିଲା, ମିନି ଦେଖିଲା, ସମସ୍ତେ ଦେଖିଲେ, ଛୁଆକୁ କେହି ଖାଇ ନାହାନ୍ତି, କିନ୍ତୁ ସେ ସବୁ ମରି ଯାଇଛନ୍ତି । ବେକ ମୂଳରେ ନାଲି ରକ୍ତ ଶୁଖି କଳା ପଡ଼ି ଯାଇଛି । ପୁଷିର ମ୍ୟାଉଁ ମ୍ୟାଉଁ ଶବ୍ଦରେ ଘର କମ୍ପିଲା । ସେ ହେଉଛି ତା’ର ମାତୃତ୍ୱର କରୁଣ ଚିତ୍କାର । ସମସ୍ତଙ୍କ ମୁହଁରେ ପୁଷି ପ୍ରତି ସମବେଦନାର ଚିହ୍ନ ।

Image

 

କଳାକୃଷ୍ଣ

 

ସହରର ଛୋଟ ହୋଟେଲଟିଏ । ତା’ ଆଗରେ ବସ୍‍ ଅଟକେ । ହୋଟେଲର ଇତିହାସ ବେଶୀ କିଛି ଲମ୍ବା ନୁହେଁ । ସେଠି ବସ୍‍ ଅଟକୁ ଥିବାରୁ ହୋଟେଲର ସୃଷ୍ଟି । ଅନେକ ସମୟରେ ସେଠାରେ ଯାତ୍ରୀମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ । ଏହି ସମୟ ମଧ୍ୟରେ ଦୁଇ ଚାରି କପ୍‍ ଚା ବିକ୍ରି ହୁଏ । ହୋଟେଲ ବାରଣ୍ଡା ଉପରେ ଯାତ୍ରୀମାନେ ବଡ଼ ଉଦ୍‍ବିଗ୍ନ ଅବସ୍ଥାରେ ଅପେକ୍ଷା କରି ରହନ୍ତି ।

 

ଏହି ହୋଟେଲ ଛାତ ନଡ଼ାରେ ଛପର ଓ ଚଟାଣଟି ପକ୍କା । ଚାରୋଟି ଛୋଟ ଟେବୁଲ, ଆଉ ତା’ ପାଖକୁ ଲାଗି ପଡ଼ିଛି କେତେ ଖଣ୍ଡ ଷ୍ଟୁଲ । ଟଣା ଟଣି କରିବାରେ ଟେବୁଲ ଓ ଷ୍ଟୁଲର ଗୋଡ଼ ସବୁ ହୁଗୁଲି ଯିବା ଉପରେ । ଟେବୁଲଗୁଡ଼ିକ ବେଶୀ ଧୁଆଧୋଇ ହୁଅନ୍ତି ନାହିଁ । ଭାତ, ଡାଲିର ଗୋଟିଏ ବୋଳ ବସି ଟେବୁଲ ସବୁ କଳା ହୋଇଗଲାଣି ।

 

ହୋଟେଲ ମାଲିକ ଟେବୁଲ ଓ ଚେୟାର ଖଣ୍ଡେ ପକାଇ ଦରଜା ପାଖରେ ବସନ୍ତି । ତାଙ୍କ ପାଖରେ ଆଉ ଖଣ୍ଡେ ଅଧିକା ଚେୟାର । ମାଲିକଙ୍କ ଦୃଷ୍ଟି ସବୁବେଳେ ବାହାରକୁ, ଗରାଖଙ୍କ ଉଦ୍ଦେଶ୍ୟରେ । ଚିହ୍ନା ଜଣା କେହି ବାବୁ ଆସିଲେ, ପାଖ ଚେୟାର ଖଣ୍ଡକ ଅଧିକାର କରି ବସନ୍ତି । ତା’ ନ ହେଲେ ଭବିଷ୍ୟତରେ ଗରାଖ ହେବାର ଆଶା ରଖି, ହୋଟେଲ ମାଲିକ କାହାକୁ କେମିତି ଚେୟାର ଉପରେ ବସିବାକୁ ଡାକିଥାନ୍ତି ।

 

ବର୍ଷାଦିନ । ମୋତେ ସେହି ବସ୍‍ଷ୍ଟାଣ୍ଡରେ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା । ହୋଟେଲ ବାରଣ୍ଡା ଉପରେ ଠିଆ ହୋଇ ବିରକ୍ତ ଲାଗିଲାଣି । ଏଣେ ଅବିରାମ ବର୍ଷା ହେଉଛି । ମଝିରେ ମଝିରେ ପବନ ବର୍ଷାକୁ ବାରଣ୍ଡା ଉପରକୁ ଉଡ଼ାଇ ଆଣୁଛି । ଅଣ୍ଟାପାଖରୁ ତଳକୁ ବର୍ଷାରେ ସବୁ ଭିଜିଗଲାଣି । ବସ୍‍ ଆସିବା ଦିଗକୁ ସବୁବେଳେ ନଜର । ଯେ କୌଣସି ଲୋକ ଆସିଲେ ପଚାରି ବସୁ, ବସ୍‍ କାହିଁକି ଆସୁନାହିଁ । ବହୁତ ସମୟପରେ ଖବର ମିଳିଲା, ଗୋଟିଏ ବସ୍‍ ଖରାପ ହୋଇ ରାସ୍ତାରେ ପଡ଼ିଛି । ଏଇଟା ଅବଶ୍ୟ ସବୁଦିନିଆ କଥା । ଆମର ବୋଧହୁଏ ଅନୁକୂଳ ଠିକ୍‍ ନ ଥିଲା, ତେଣୁ ଆଜି ଦୁଃଖ ଭୋଗ କରିବାକୁ ପଡ଼ିବ । ବର୍ତ୍ତମାନ ପରବର୍ତ୍ତୀ ବସ୍‍କୁ ଅପେକ୍ଷା କରିବା କଥା ।

 

ମୁଁ ହୋଟେଲ କାନ୍ଥକୁ ଭରାଦେଇ ବାରଣ୍ଡାରେ ଠିଆ ହୋଇଛି । ଗୋଡ଼ ଖସିବାର ଭୟ ସବୁବେଳେ ରହିଛି । ଏହି ସମୟରେ କୋଡ଼ିଏ କିମ୍ବା ବାଇଶ ବରଷର ଟୋକାଟିଏ ହୋଟେଲରୁ ବାହାରି ମୋ ପାଖରେ ଆସି ଠିଆ ହେଲା । ଦେହର ରଙ୍ଗ ଗାଢ଼ କଳା, ବେଶୀ ଉଚ୍ଚ ନୁହେଁ କିମ୍ବା ବାଙ୍ଗର ବି ନୁହେଁ, ଦୁର୍ବଳ ଦେହ ! ମୁଣ୍ଡବାଳ ଫୁରୁ ଫୁରୁ ହୋଇ ଉଡ଼ୁଛି । ସେ ପିନ୍ଧିଛି ଖଣ୍ଡେ ମଳିଆ ଲୁଗା ଓ ଚିରା ଗେଞ୍ଜିଟା ।

 

ମୋ ସାଙ୍ଗରେ ପ୍ରଥମେ ସେ କଥାବାର୍ତ୍ତା ଆରମ୍ଭ କଲା । ମୁଁ ବି ତା’ ଚାହୁଁଥିଲି କେହି ଜଣେ କଥାବାର୍ତ୍ତା କରୁ । ସେ କହିଲା ବାବୁ ! ଏ ବର୍ଷ କ’ଣ ଏମିତି ହେଲା ଯେ, ମାଠିଆରୁ ପାଣି ପଡ଼ିଲା ପରି ବର୍ଷା ହେଉଛି, ସରଗ ଫାଟିଗଲାପରି ଲାଗୁଛି । ମୁଁ ତାକୁ କହିଲି ସରଗ ତ ଏପରି ଜିନିଷ କିଛି ନାହିଁ ଯେ ଫାଟିଯିବ । ମାଇଲିଏ କିମ୍ବା ଦୁଇମାଇଲ ଉଚ୍ଚରେ ମେଘମାଳା ଭାସି ଭାସି ଚାଲିଛି, ଆଉ କିଛି ବାଧା ପାଇଲେ, ବର୍ଷା ହେଉଛି । ତେବେ ଆଜିକାଲି ତ ସବୁ ଅସମ୍ଭବ କଥା ଘଟୁଛି । ମେଘଟା ବେଶୀ ବେଶୀ ହେଲେ ତାକୁ ଦୋଷ ଦେବା କ’ଣ ? ସେ କହିଲା, ନା ବାବୁ ! ଇନ୍ଦ୍ରଦେବତା ନିଶ୍ଚେ ରାଗିଛନ୍ତି, ତା’ ନ ହେଲେ ଏମିତି ବର୍ଷା କାହିଁକି ହୁଅନ୍ତା ? ଉତ୍ତରରେ କହିଲି, ପୃଥିବୀର ପାପଭାର ବୋଧହୁଏ ଲାଞ୍ଚ, ମିଛ, ଦୁର୍ନୀତି ଯୋଗୁ ବଢ଼ିଗଲା, ସେଥିପାଇଁ ଇନ୍ଦ୍ରଦେବତା ରାଗିଥାଇ ପାରନ୍ତି । ସେ କହିଲା ଏହି ମେଘ ଯୋଗୁ ଆମେ ଗରିବ ଲୋକ କାମକୁ ଯାଇ ପାରୁନୁ, ଖାଇବା ବିନା ମରିଯିବୁ ଯେ । କି କାମ କରେ ବୋଲି ପଚାରିଲି, ସେ କହିଲା,“ମାଳୀ କାମ ।”

 

କାହା ବଗିଚାରେ କାମ କରୁଛୁ ପଚାରିବାରୁ ସେ ମୁଣ୍ଡହଲାଇ ନାହିଁ କଲା । କହିଲା ଏ ବଗିଚା ସେ ବଗିଚାରୁ ଫୁଲ ଆଣି ସେ କେତେଜଣ ବାବୁଙ୍କ ଘରେ ଦିଏ । ମୋର ଟିକିଏ ଆଗ୍ରହ ବଢ଼ିଲା । ପିଲାଦିନରୁ ଏହିକାମ କରୁଛି କି ନାହିଁ ପଚାରିବାରୁ ସେ ତା’ର ପୁରୁଣା ଇତିହାସ କହି ଚାଲିଲା । ଏହା ମଧ୍ୟରେ ତା’ ନାଁଟା ପଚାରି ବୁଝି ନେଇଥିଲି, “ବଂଶୀଧର ।”

 

ସେ କହିଲା ଯେ ଯେଉଁ ବାରଣ୍ଡାଉପରେ ମୁଁ ଠିଆ ହୋଇଥିଲି ସେ ହେଉଛି ତା’ର ହାତଗଢ଼ା । ସେତେବେଳେ ତାକୁ ବାର ଚଉଦ ବରଷ ହୋଇଥାଏ, ଏହି ବସ୍‍ଷ୍ଟାଣ୍ଡରେ ମାଲିକଙ୍କ ସଙ୍ଗେ ତା’ର ଦେଖା । ବଂଶୀଧର ଚାକିରି ଖୋଜୁଥାଏ । ହୋଟେଲ ସେତେବେଳକୁ ତିଆରିହୋଇ ନଥାଏ । କେବଳ ଗୋଟିଏ ଉଠା ଟିଣଘର ହୋଇ ଚା ବିକ୍ରି ହେଉଥାଏ । ମାଲିକ ତାକୁ ରଖିଲେ ବିନା ଦରମାରେ । ତା’ପରେ ଘର ତିଆରି ହେଲା । ବଂଶୀ ଦିନରାତି ଲାଗି ଘରର କାନ୍ଥ ଦିଆରେ ସାହାଯ୍ୟ କରିଛି । ପ୍ରଥମେ ଅବଶ୍ୟ ଚଟାଣଟା କଚାଥିଲା । ଆସ୍ତେ ଆସ୍ତେ ଅନେକ ପରିବର୍ତ୍ତନ ହେଲାଣି । କିନ୍ତୁ ଯେଉଁ ନଡ଼ା ଛାତକୁ ସେଇ ନଡ଼ା ଛାତ ଅଛି ।

 

ବଂଶୀ ହୋଇଥିଲା ନୂଆ ହୋଟେଲର ପ୍ରଥମ ଚାକର । ସେ ହାଟ କରେ, ରୋଷାଇ କରେ, ଖାଇବାକୁ ଦିଏ ଏବଂ ଥାଳୀ ମଧ୍ୟ ଧୁଏ । ମାଲିକ ତାକୁ ସେତେବେଳେ ଦଶଟଙ୍କା ଦରମା ଦେଲେ ।

 

ମୁଁ ତାକୁ ପଚାରିଲି ତେବେ ତୁ ହୋଟେଲ ଚାକିରି ଛାଡ଼ି ମାଳୀ କାହିଁକି ହେଲୁ ? ସେ କହିଲା, ତା’ ଗାଁ ଲୋକ ଏଇ ଥାଳୀ ଧୋଇବା କାମଟାକୁ ପସନ୍ଦ କଲେନି । ତେଣୁ ସେ ହୋଟେଲ ଚାକିରି ଛାଡ଼ିଦେଲା । ଗାଁ କଥା ଶୁଣୁ ଶୁଣୁ ତା’ ଘର କଥା ମୁଁ ପଚାରିଲି । ସେ କହି ଚାଲିଲା ତା’ର ବଂଶର ଗରିମା । ସେ ଜଣେ ଚଳପକ୍ଷ ଘରର ପୁଅ । ତା’ ବଡ଼ ଦୁଇଭାଇ ସରକାରୀ ଚାକିରି କରିଛନ୍ତି । ସେ ମାଇନର ପଢ଼ୁଥିଲା, ପାଠପଢ଼ା ଛାଡ଼ି ହୋଟେଲରେ ଚାକିରି କଲା । ସେ କାହିଁକି ପାଠପଢ଼ା ଛାଡ଼ିଲା ପଚାରିବାରୁ କିଛି ଉତ୍ତର ମିଳିଲାନି । ମୁଁଭାବିଲି ବଂଶୀ ବୋଧହୁଏ ସେ ବିଷୟରେ କିଛି କହିବନି । କଥା ପ୍ରସଙ୍ଗରେ ପଚାରିଲି ସେ ବିବାହ କରିଛି କି ନାହିଁ ।

 

ଏଥର ମୋ ପ୍ରଶ୍ନଟା ଶୁଣି ବଂଶୀ ଟିକିଏ ହସିଲା । କହିଲା ହଁ ବାବୁ ! ମୁଁ ପଢ଼ିଲା ବେଳେ ମୋର ଗୋଟିଏ ଝିଅ ସଙ୍ଗେ ବାହାଘର ହେବା କଥା ପଡ଼ିଥିଲା । ସେ ଆମ ଗାଁ ସାହୁଘର ଝିଅ, କୁଞ୍ଜଲତା, ବଡ଼ ସୁନ୍ଦର ଝିଅଟିଏ, ଯାହା କହନ୍ତି ଗୋଟିଏ ଚାଉଳରେ ଗଢ଼ା । କିନ୍ତୁ ତାକୁ ଛାଡ଼ି ମୁଁ ବାହା ହୋଇଛି ‘କଳାକୃଷ୍ଣଙ୍କୁ ।’ କଳାକୃଷ୍ଣ ନାଁ ଶୁଣି ମୋର କୌତୂହଳ ଜନ୍ମିଲା । ମୁଁ ଭାବିଲି ତା’ହେଲେ ବଂଶୀଧର କ’ଣ ସନ୍ନ୍ୟାସୀ ହେବାକୁ ବସିଛି । କିନ୍ତୁ ସେମିତିକା ଲକ୍ଷଣ ତ କିଛି ଦେଖା ଯାଉନି । ତାକୁ ପଚାରିଲି ସେ କଳାକୃଷ୍ଣ କିଏ ? ଏଥର ବଂଶୀ ମୋର ପ୍ରଶ୍ନ ଶୁଣି ପୁଣି ହସିଲା । କହିଲା ବାବୁ ! ଆପଣ କଳାକୃଷ୍ଣକୁ ଚିହ୍ନି ନାହାନ୍ତି । ସେ ପରା ‘‘ଅଫିମ ।’’ ତା’ର ଯୋଗୁ ମୋର ଏ ଅବସ୍ଥା ଆଜି । ଘରଦ୍ଵାର ଛାଡ଼ି ମୁଁ ବାଟର ଭିକାରି ହୋଇଛି ।

 

ଏଣିକି ବିନା ପ୍ରଶ୍ନରେ ବଂଶୀ କହି ଚାଲିଲା–ସେ ମାଇନର ପଢ଼ିଲା ବେଳେ କଳାକୃଷ୍ଣର ଭକ୍ତ ହେଲା I ଗୋଟିଏ ବୁଢ଼ାକୁ ସେ ଅଫିମ କିଣି ଆଣି ଦେଉଥିଲା । ପିଲାମନ, ସେ ବି ଖାଇବା ଆରମ୍ଭ କଲା ବୁଢ଼ାଠାରୁ ଦେଖି । ଅଳ୍ପ ଟିକିଏ ଅଫିମ ପ୍ରତିଦିନ ସନ୍ଧ୍ୟାବେଳେ ସେ ପାଟିକୁ ପକାଇ ଦିଏ । ସେହି ଅଫିମ ଖିଆ ଯୋଗୁ ଚୋରି କରିବା ଆରମ୍ଭ କଲା । ବାପ ମା ମାଡ଼ ଦେଲେ । ତା’ର ତତ୍ତ୍ଵ ନେଲେନି, ତେଣୁ ସେ ଘର ଛାଡ଼ି ଚାକିରି କରିବାକୁ ଆସିଲା ।

 

ହୋଟେଲ ଚାକିରିବେଳେ ବଂଶୀର କିଛି ଅସୁବିଧା ନ ଥିଲା । ଦୁଇବେଳା ଖାଇବାକୁ ମିଳୁଥିଲା । ଦରମା ଟଙ୍କାରେ ଅଫିମ ଖର୍ଚ୍ଚ ଚଳି ଯାଉଥିଲା । କିନ୍ତୁ ମାଳୀ କାମ କଲାଦିନୁ ତାକୁ ଆଉ ଅଣ୍ଟୁ ନାହିଁ । ଏଣିକି ସେ ଦିନରେ ଥରେ ଭାତ ଖାଏ, ଅଫିମ ଖାଏ, ଆଉ ବିଡ଼ି ଟାଣେ । ପୁରୁଣା ଚାକର, ତେଣୁ ହୋଟେଲ ମାଲିକଙ୍କର ତା’ ଉପରେ ଦୟା । ରାତିରେ ହୋଟେଲରେ ଶୋଇବାକୁ ତାକୁ ଅନୁମତି ଦେଇଛନ୍ତି ବିନା ପଇସାରେ ।

 

ମୁଁ ତାକୁ କହିଲି ତୁ ତ ଏତେ ଦିନ ହେଲା ଘର ଛାଡ଼ିଲୁଣି, ବର୍ତ୍ତମାନ ଫେରିଯା । ବାହାହୋଇ ଘରେ ରହିବୁ । ବଂଶୀଧର କହିଲା, ସେ କଳାକୃଷ୍ଣକୁ ବାହା ହୋଇଛି ଏବଂ ତାକୁ ଚଳାଇ ପାରୁନି । ତେଣୁ ତା’ର ଆଉ କାହାକୁ ବାହାହେବା ପ୍ରଶ୍ନ ଉଠୁନି ।

 

ତା’ ଅବସ୍ଥା ଦେଖି ମୋ ମନ ସହାନୁଭୂତିରେ ଭରି ଆସିଥିଲା । ମୁଁ ଉପଦେଶ ଛଳରେ ତାକୁ ଅଫିମ ଛାଡ଼ି ଦେବାକୁ କହିଲି । ଅଫିମ ଫଳ ଖାଇଲେ ଅଳ୍ପ ଖର୍ଚ୍ଚ ହେବ ବୋଲି ମୁଁ ପରାମର୍ଶ ଦେଲି । ସେ କହିଲା ଅଫିମ ଫଳ ଖାଇଲେ ରୋଗ ହୋଇଯିବ । ମୋତେ ହସ ଲାଗିଲା । ଅଫିମ ଖାଇ କେଉଁ ସୁଖରେ ଅଛି ଯେ ଅଫିମ ଫଳ ଖାଇବାକୁ ଡର । ତାକୁ କହିଲି, ହଉ ତୋ ଇଚ୍ଛା, ଯାହା ତୋତେ ଭଲ ଲାଗୁଛି, ତା’ କର । ବସ୍‍ ଆସି ଯାଇଥିଲା, ମୁଁ ଗାଡ଼ି ଚଢ଼ିଲି ।

 

ଏହା ମଧ୍ୟରେ ଦୁଇବର୍ଷ ବିତି ଗଲାଣି । କାର୍ଯ୍ୟବ୍ୟସ୍ତରେ ବଂଶୀଧର କଥା ମୋ ମନକୁ କେବେ ଆସିନାହିଁ । କୌଣସି କାର୍ଯ୍ୟରେ ମୁଁ ଯାଇଛି ସେଇ ସହରକୁ । ଦେଖିଲି ରାସ୍ତାରେ ଦଳେ ଲୋକ ରୁଣ୍ଡ ହୋଇ କ’ଣ ଦେଖୁଛନ୍ତି । ଘଟଣାଟା କ’ଣ ଜାଣିବାକୁ ସେଠାକୁ ଗଲି ।

 

ରାସ୍ତା ତଳକୁ ଶୋଇଛି ବଂଶୀ, ହଲଚଲ ହେଉ ନାହିଁ । ଲୋକ ରୁଣ୍ଡ ହେବାର କାରଣ ପଚାରିଲି । ସ୍ଥାନୀୟ ଲୋକ ଜଣେ ଉତ୍ତର ଦେଲା, ଭିକାରିଟି ଅଫିମ ଖାଏ, ଯାହା ଭିକ ମିଳେ, ଅଫିମ କିଣାରେ ଯାଏ । କାଲିଠାରୁ ତାକୁ ଅଫିମ ମିଳିନି । ତେଣୁ ସେ ବେହୋସ ହୋଇ ପଡ଼ିଛି ।

 

ହୋଟେଲ ପିଣ୍ଡାର କଥା ମୋର ଗୋଟି ଗୋଟି ହୋଇ ମନେ ପଡ଼ିଲା । ଲୋକ ଜମା ହୋଇ ସେମିତି ପାଟି କରୁଥାନ୍ତି । ତା’ର ସାଥୀ ଭିକାରି ଜଣକ ଆସି ବଂଶୀକୁ ହଲାଇ ଦେଲା । ହାତଗୋଡ଼ ତା’ର ନାଠି ହୋଇ ଯାଇଛି । ବଂଶୀର ପ୍ରାଣ ପକ୍ଷୀଟି କେତେବେଳୁ ଉଡ଼ି ଗଲାଣି । ଭାବିଲି କଳାକୃଷ୍ଣ ଖୁବ୍‍ ଭକ୍ତପ୍ରିୟ । ବଂଶୀର ଜୀବନ ନେଇଗଲା । ମନ ଦୁଃଖରେ ବଂଶୀ ଆତ୍ମାର ସଦ୍‍ଗତି କାମନା କରି ଫେରି ଆସିଲି ।

Image

 

ଅମର ପଥର ଯାତ୍ରୀ

 

ଫଗୁଣର ପ୍ରଥମ ସକାଳ । ମାଘ ମାସର ବାଘ ପରି ଶୀତ କମି ଯାଇଛି । ଆମ୍ବ ଗଛ ସବୁ କେବଳ କଷି ଫଳରେ ପୂର୍ଣ୍ଣ । କୋଇଲି ରାଣୀ ବଉଳ ଖାଇ କଣ୍ଠ ସଫା କରି ତା’ର ପ୍ରିୟ ବସନ୍ତ ଅପେକ୍ଷାରେ ରହିଛି । କାଁ ଭାଁ କୋଇଲି କୁହୁ କୁହୁ କରି ବସନ୍ତର ଆଗମନ ଜଣାଇ ଦେଲାଣି-। ଜଙ୍ଗଲ ବିଭିନ୍ନ ଫୁଲ ଫଳରେ ଭରା, ଜଙ୍ଗଲର ଦୃଶ୍ୟ ବେଶ୍‍ ଉପଭୋଗ୍ୟ । ଏହି ଦୃଶ୍ୟ ଦେଖି ଦେଖି ନଦୀ କୂଳରେ ଆଗେଇ ଚାଲିଛନ୍ତି ପର୍ଯ୍ୟବେକ୍ଷକ ଦଳ । ଇଞ୍ଜିନିୟର ମୃଣାଳକାନ୍ତି, ତାଙ୍କର ଜଣେ ସହକର୍ମ୍ମୀ ଓ ଆଉ ଦୁଇଜଣ ଓଭରସିଅର । ସେହି ନଦୀ ଉପରେ ପୋଲ ତିଆରି ହେବ-। ସେହି ସ୍ଥାନ ଦେଖିବାକୁ ଚାଲିଛନ୍ତି ମୃଣାଳବାବୁ ସାଥୀମାନଙ୍କୁ ନେଇ ।

 

ଏଇ ହାତୀଧରା ନଈ କେତେ ପାହାଡ଼ କାଟି କାଟି ଆସି ଜଙ୍ଗଲ ଦେଇ ବହିଯାଇଛି । ଖୁବ୍‍ ଗଭୀର, ବର୍ଷସାରା ପାଣି ଅବଶ୍ୟ ରହେ ନାହିଁ । କିନ୍ତୁ ବର୍ଷାଦିନେ ତା’ ରୂପ କି ଉୟଙ୍କର । ଜଣାଯାଏ ସତେ ଯେମିତି ତା’ ଦୁଇ କୂଳରେ ଥିବା ଅଞ୍ଚଳକୁ ସବୁଦିନ ପାଇଁ ଅଲଗା କରି ଦେଇଛି । ବର୍ଷାଦିନେ ଲୋକମାନେ ପାର ଉତ୍ତାର ହୁଅନ୍ତି, ଛୋଟ ଛୋଟ ଡଙ୍ଗା ସାହାଯ୍ୟରେ । ପ୍ରତିବର୍ଷ ଖବର ମିଳେ, ହାତୀଧରା ନଈରେ ଡଙ୍ଗା ଓଲଟି ଏତେଲୋକ ପ୍ରାଣ ହରାଇଲେ । ନଦୀକୁ ଜୟ କରିବାକୁ ହେବ । ତା’ର ବ୍ୟବସ୍ଥା କରିଛନ୍ତି ଇଞ୍ଜିନିୟରମାନେ । ସେହି ନଦୀ ଉପରେ ତିଆରି ହେବ ପୋଲ । ତା’ ଉପରେ ବର୍ଷସାରା ଚାଲିବ ଟ୍ରକ୍‍, ମଟର ଆଉ ଜିପ୍‍ । ଦୁଇ ହଜାର ଫୁଟର ଲମ୍ବ ପୋଲ ।

 

ମୃଣାଳବାବୁ ପୋଲ ଦାୟିତ୍ୱରେ ରହିଛନ୍ତି । ଦୀର୍ଘ ପନ୍ଦର ବର୍ଷର ଅଭିଜ୍ଞତା ଅଛି ତାଙ୍କର-। ଅନେକ ପୋଲରେ ସେ କାମ କରି ଆସିଲେଣି । ସୁନାମ ବ୍ୟତୀତ ଦୁର୍ନାମ କରିବାକୁ କେହି କେବେ ସାହସ କରିନାହିଁ । ଏ ପୋଲକାମ ଦୁଇବର୍ଷରେ ଶେଷ ହେବ । ନକ୍ସା ସବୁ ତିଆରି ସରିଛି-। ଶହେଫୁଟ ଦୂରରେ ଗୋଟିଏ ଲେଖାଏଁ ପାହିଆ ରହିବ । ସବୁ ଅଂଶ କଂକ୍ରିଟରେ ତିଆରି ହେବ-। ମୂଳଦୁଆ ପାଇଁ ଅନୁସନ୍ଧାନ ବହୁତ ଆଗରୁ ହୋଇଥିଲା । ଡ୍ରିଲିଙ୍ଗ କରିବାବେଳେ ଜଣାଗଲା କୋଡ଼ିଏ ଫୁଟ ତଳେ କେବଳ ପଥର । ଉପର କୋଡ଼ିଏ ଫୁଟ ମାଟି ଖୋଳି ମୂଳଦୁଆ ତିଆରି କରାଯିବ । ପାହିଆର ଉଚ୍ଚତା ପଇଁତିରିଶି ଫୁଟ । ତା’ ଉପରେ ରହିବ ପ୍ରିଷ୍ଟ୍ରେସଡ଼୍ ଗର୍ଡ଼ର ସବୁ-। ଏ ଗୋଟାଏ ନୂଆରକମ କାମ । ଖର୍ଚ୍ଚ କମାଇବା ପାଇଁ ଏହି ପ୍ରିଷ୍ଟ୍ରେସଡ଼୍ ଗର୍ଡ଼ର ଦେଇ ପୋଲା ସବୁ ତିଆରି କରାଗଲାଣି । ମୃଣାଳବାବୁ ଏହି କାମ ପାଇଁ ଉଚ୍ଚ ଶିକ୍ଷା ପାଇ ଆସିଛନ୍ତି । ତେଣୁ ତାଙ୍କୁ ଏଇ ପୋଲ ତିଆରି ଦାୟିତ୍ଵ ଦିଆଯାଇଛି ।

 

ପୋଲ ତିଆରି ସ୍ଥାନରେ ସମସ୍ତେ ପହଞ୍ଚିଲେ । ଜଙ୍ଗଲ ଘେରି ରହିଛି । ନଦୀର ଗୋଟିଏ କଡ଼କୁ ପାଣି ଧାରେ ଅଛି । ଶ୍ରମିକମାନଙ୍କ ପାଇଁ ବସ୍ତି, କର୍ମ୍ମଚାରୀମାନଙ୍କ ପାଇଁ କ୍ୱାଟର୍ସ, ଅଫିସ ଓ ଷ୍ଟୋର ପାଇଁ ସ୍ଥାନ ନିରୂପଣ କରାଗଲା । ଅଳ୍ପ ଜଙ୍ଗଲ ସଫା କରାଇ ଏ ସବୁ ତିଆରି ଦାୟିତ୍ୱରେ ଜଣେ ଓଭରସିଅର ରହିଲେ ।

 

ପୋଲକାମ ଆରମ୍ଭ ହେବ । ଯନ୍ତ୍ରପାତି, ଜିନିଷପତ୍ର ସଂଗ୍ରହ ହେଲା । ଇଞ୍ଜିନିୟର, ଓଭରସିଅର ଓ ଅନ୍ୟମାନେ କାମରେ ଯୋଗଦେଲେ । ମୃଣାଳବାବୁ ବିଭିନ୍ନ ସ୍ଥାନକୁ ଲୋକ ପଠାଇଲେ । ସେମାନେ ଶ୍ରମିକ ସଂଗ୍ରହ କରି ଆସିଲେ । ସମସ୍ତଙ୍କର ରହିବାର ବନ୍ଦୋବସ୍ତ କରି ଦିଆଯାଇଛି । ଏତ ଜଙ୍ଗଲ, ବାଘ ଭାଲୁର ଭୟ ଅଛି । ସ୍ଥାନୀୟ ଲୋକମାନେ ଏଥିପାଇଁ ସତର୍କ କରାଇ ଦେଇଛନ୍ତି । ଅନେକ ଲୋକ ରହିଛନ୍ତି, ତେଣୁ ସେଥିପାଇଁ ବିଶେଷ କିଛି ଡରିବାର ନାହିଁ-। ତା’ପରେ ବିଜୁଳିବତୀ ରାତିସାରା ଜଳୁଛି । ବାଘ ଭାଲୁଙ୍କୁ ଡରାଇବା ପାଇଁ ଏହି ଅଳ୍ପହିଁ ଯଥେଷ୍ଟ-। ଟ୍ରକରେ ଖାଇବା ଜିନିଷ ଆଣି ଶ୍ରମିକମାନଙ୍କୁ ଯୋଗାଇ ଦିଆଗଲା । ମୂଳଦୁଆ ଖୋଳାକାମ ଚାଲିଲା ।

 

ସୁନନ୍ଦାଦେବୀ ମୃଣାଳବାବୁଙ୍କ ସ୍ତ୍ରୀ । ସ୍ଵାମୀଙ୍କ ସଙ୍ଗରେ ସେ ଅଛନ୍ତି । ସବୁଦିନେ ନୂଆ ନୂଆ ଅନୁଭୂତି । ଜୀବନରେ ଗୋଟାଏ ଗୋଟାଏ ନୂଆ ଅଧ୍ୟାୟ ସୃଷ୍ଟି । ନିର୍ଜ୍ଜନ ଜଙ୍ଗଲରେ ଜୀବନକୁ ସେ ବେଶ୍‍ ଉପଭୋଗ କରୁଛନ୍ତି । ସୁନନ୍ଦାଦେବୀଙ୍କ ମତରେ ଏପ୍ରକାର ଜୀବନରେ ଉନ୍ମାଦନା ଓ ଆନନ୍ଦ ଅଛି । କୌଣସି ସ୍ଥାନକୁ ଯିବାକୁ ସେ କେବେ ପଛାନ୍ତି ନାହିଁ । ବରଂ ଅଧିକାଂଶ ସମୟରେ ଜିଗର କରି ଆସନ୍ତି । ଦୁଇପୁଅ ସ୍କୁଲ ଛାତ୍ରାବାସରେ ରହିଛନ୍ତି । ଛୋଟ ଝିଅଟି ପାଖରେ ଅଛି । ସୁନନ୍ଦାଦେବୀ ସ୍ଵାମୀଙ୍କର ପ୍ରତ୍ୟେକ ସୁଖ ଦୁଃଖରେ ଭାଗୀ ହୋଇ ଆସିଛନ୍ତି ।

 

ମୃଣାଳବାବୁଙ୍କର ଦିନରାତି ଚିନ୍ତା । ଜିନିଷ ଆସିବ, କାମ ହେବ, ଶ୍ରମିକ ଆସିବେ, ଏହିସବୁ ଯୋଜନା କରୁ କରୁ ବେଳ କଟିଯାଏ । ସକାଳୁ ହୁଏ, ସନ୍ଧ୍ୟା ଆସେ, କିଛି ଜଣା ପଡ଼େନା-। ସହକର୍ମ୍ମୀମାନେ ଆସନ୍ତି, ପରାମର୍ଶ ନିଅନ୍ତି, ନିଜ ନିଜ କାମରେ ଲାଗିଯାନ୍ତି । ମୃଣାଳବାବୁ ସମସ୍ତଙ୍କ କାମ ଦେଖନ୍ତି ।

 

ସୁନନ୍ଦାଦେବୀ ଘରେ କେବଳ ବସି ରହନ୍ତିନି । ଅଧିକାଂଶ ସମୟରେ ସେ ପୋଲ ପାଖରେ ଥାଆନ୍ତି । କେବେ କେବେ ଜଙ୍ଗଲ ଆଡ଼େ ମଧ୍ୟ ବୁଲି ଯାଆନ୍ତି । କିନ୍ତୁ ତାଙ୍କର ପ୍ରଧାନ କାମ ହେଲା ସ୍ଵାମୀଙ୍କୁ ଠିକ୍‍ ସମୟରେ ଖୁଆଇବା । ତା’ ନ ହେଲେ ମୃଣାଳବାବୁଙ୍କୁ ଭୋକ ହେଲେ, ଯେଉଁଠି ଯାହା ମିଳେ ଖାଇ ନିଅନ୍ତି । ସେଥିପ୍ରତି ବିଶେଷ ନଜର ସେ କେବେ ଦେଇ ନାହାନ୍ତି । ସୁନନ୍ଦାଦେବୀ ମୃଣାଳବାବୁଙ୍କ ମନ ଜାଣି ଖାଇବା ପିଇବା ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ଏଥିପାଇଁ ସ୍ଵାମୀଙ୍କ ସାଥୀରେ ପ୍ରତ୍ୟେକ ସ୍ଥାନକୁ ଯାଆନ୍ତି ।

 

ବଇଶାଖ ମାସର ଝାଞ୍ଜି ଖରା । ଗଛରୁ ପତ୍ର ଶୁଖି ଠସ୍‍ ଠାସ୍‍ ତଳେ ପଡ଼ୁଛନ୍ତି । ଥୁଣ୍ଟା ଗଛ ସବୁ ଜଙ୍ଗଲରେ ଠିଆ । ଚଢ଼େଇସବୁ କିଚିରି ମିଚିରି କରି ପାଣି ଖୋଜିବାରେ ଲାଗିଛନ୍ତି । ଠାଏ ଠାଏ ଜଙ୍ଗଲରେ ନିଆଁ ଲାଗି କେବଳ ଧୂଆଁ ଉଠେ । ସେଇ ତାତିକୁ ନ ମାନି କାମ କରି ଚାଲିଛନ୍ତି ଶ୍ରମିକ ଦଳ, ଆଉ ତାଙ୍କ ସାଙ୍ଗରେ ଇଞ୍ଜିନିୟରମାନେ । ସବୁବେଳେ ଝାଳ ଗମ୍‍ ଗମ୍‍ ହୋଇ ବୋହିପଡ଼ୁଛି । ଲୁଗା, ସାର୍ଟ ଝାଳରେ ଓଦା ହୋଇ ବେଶ୍‍ ଥଣ୍ଡା ଲାଗୁଛି । ଝାଳ ଗନ୍ଧଟା ବି ବାହାରୁଛି । ଉପରେ ତାତି, ତଳେ ତାତି, ସେଥିପ୍ରତି ନଜର ଦେବାକୁ ଫୁରୁସତ୍‍ ନାହିଁ । ମୂଳଦୁଆ ଖୋଳା ଚାଲିଛି, କଂକ୍ରିଟ୍‍ ଢଳେଇ ହେଉଛି, ପାହିଆ ତିଆରି ଆଗେଇଛି । ଦିନରାତି ଚବିଶ ଘଣ୍ଟା କାମ ।

 

ଶ୍ରମିକମାନେ କାମ କରୁଛନ୍ତି, ସତେ ଯେମିତି ଗୋଟାଏ ବଡ଼ ପରିବାରର ଲୋକଙ୍କ ପରି । ଭାଇ ଭାଇ ମିଶି କାମ କରୁଛନ୍ତି । ଆଉ ମୃଣାଳବାବୁ ହେଉଛନ୍ତି ତାଙ୍କର ମୁରବି । ସମସ୍ତଙ୍କର ତାଙ୍କ ପ୍ରତି ସ୍ନେହ ଓ ଭକ୍ତି ରହିଛି । ସବୁ ଅଭାବ ଅସୁବିଧା କଥା ମୃଣାଳବାବୁଙ୍କ କାନରେ ପଡ଼େ । କାହାକୁ ଦୁଇପଦ କଅଁଳେଇ କହି, କାହା ପିଠିରେ ହାତମାରି ଏବଂ କାହାକୁ ଦୁଇପଦ କଡ଼ା କଥା କହି ସବୁ ମେଣ୍ଟେଇ ନିଅନ୍ତି । ସମସ୍ତେ ତାଙ୍କ କଥା ମାନି ନିଅନ୍ତି ବିନା ଦ୍ୱିଧାରେ । ସବୁ ଶ୍ରମିକ ମୃଣାଳବାବୁଙ୍କ ପାଇଁ ସତେ ଯେମିତି ଜୀବନ ଦେବାକୁ ପ୍ରସ୍ତୁତ ।

 

ଚମ୍ପାପୁର ଗାଁ ଲୋକମାନେ ଖୁବ୍‍ ରାଗିଯାଇଥିଲେ । କାହିଁକି ନା ତାଙ୍କ ଗାଁ ପାଖ ପାହାଡ଼ରୁ ପଥର ଭଙ୍ଗାହୋଇ ପୋଲ କାମ ପାଇଁ ଆସୁଛି । ସରକାରଙ୍କ ଅନୁମତି ଏଥିପାଇଁ ଅବଶ୍ୟ ମିଳିଛି । କିନ୍ତୁ ଗାଁ ଲୋକଙ୍କ ଧାରଣା ହେଲା ଯେ ଏ ହେଉଛି ମୃଣାଳବାବୁଙ୍କ କାରସାଦି । ପଥର ପାଇଁ ଟଙ୍କା ନ ଦେଇ ସେ ଠକି ନେଇ ଯାଉଛନ୍ତି । ଠେଙ୍ଗା ବାଡ଼ି ଧରି ଇଞ୍ଜିନିୟରଙ୍କୁ ମାରିବାକୁ ଆସିଲେ । ମୃଣାଳବାବୁଙ୍କ ପର୍ଯ୍ୟନ୍ତ କଥାଟା ଗଲାନାହିଁ । ଶ୍ରମିକମାନେ ପୋଲ କାମ କରୁଥିଲେ । ଚମ୍ପାପୁର ଗାଁ ଲୋକଙ୍କ ସହିତ ଝଗଡ଼ା ଆରମ୍ଭ ହେଲା । ବାଡ଼ିଆପିଟା ବି ହେଲେ । ମୃଣାଳବାବୁ ପରେ ଗାଁ ଲୋକଙ୍କୁ ବୁଝାଇ କଳି ତୁଟାଇଲେ ।

 

ଖରାଦିନ ଗଲା, ମୂଳଦୁଆ କାମ ଶେଷ ହୋଇଛି । ଅନେକଗୁଡ଼ିଏ ପାହିଆରୁ କାମ ବି ସରିଛି । ହଠାତ୍‍ ବର୍ଷା ଆସିଲା । ରାତି ପାହିଲା ବେଳକୁ ନଈରେ ବଢ଼ି । ଯନ୍ତ୍ରପାତି ସବୁ ପାଣିରେ ବୁଡ଼ି ରହିଲା । ତା’ ସାଙ୍ଗେ ସାଙ୍ଗେ ବି ଶ୍ରମିକ ବସ୍ତିରେ ପାଣି ପଶିଲା । ଯନ୍ତ୍ରପାତିଗୁଡ଼ିକୁ ପାଣିରୁ ଉଠାଇବାକୁ ଏମିତି କାମ ଲାଗିଲା ଯେ ମୃଣାଳବାବୁ ଦୁଇଦିନ ପର୍ଯ୍ୟନ୍ତ ଖାଇବାକୁ ବେଳ ପାଇଲେନି । ଗୋଟାଏ ବର୍ଷରେ କାମ ଯଥେଷ୍ଟ ଆଗେଇ ଗଲା । ଉପରିସ୍ଥ କର୍ମଚାରୀମାନେ ଖୁସି-। ସମସ୍ତଙ୍କର ଧାରଣା ହେଲା ଯେ ମୃଣାଳବାବୁ ଠିକ୍‍ ସମୟରେ କାମ ଶେଷ କରାଇ ଦେବେ-

 

ବରକୋଳିଆ ଟୋପା ମେଘ ଆଉ ପଡ଼ିଲାନି । ଭୋଦୁଅ ମାସ ବେଳକୁ ଶୀତ ଟିକିଏ ଆରମ୍ଭ ହୋଇ ଆସିଲା । ନଈଧାର ସରୁ ହେବାକୁ ଲାଗିଲା । ପୁଣି କାମ ଆରମ୍ଭ । ଗର୍ଡ଼ର ତିଆରି ଚାଲିଲା । ମୃଣାଳବାବୁଙ୍କ ଉପସ୍ଥିତି ସବୁବେଳେ ଦରକାର । ବଡ଼ ସୂକ୍ଷ୍ମକାମ । ଟିକିଏ କିଛି ଦୋଷ ରହିଗଲେ, ପୂରା ଗର୍ଡ଼ରଟି ଖରାପ ହୋଇଯିବ । ଟଙ୍କା ଖର୍ଚ୍ଚ ହେବ ଏବଂ ପରିଶ୍ରମ ଅକାରଣ ହେବ-

 

ଗର୍ଡ଼ର ତିଆରି କାମ ଚାଲିଥାଏ । ସାଙ୍ଗେ ସାଙ୍ଗେ ତା’ ଭିତରେ ଥିବା ହାଇ ଟେନ୍‍ସାଇଲ୍‍ ତାରକୁ ଜ୍ୟାକ୍‍ ଦ୍ଵାରା ଟାଣିବାକୁ ହୁଏ । ତା’ଦ୍ଵାରା ଗର୍ଡ଼ର ଉପରେ ବଳ ପ୍ରୟୋଗ କରାଯାଏ । ତେଣୁ ସେ ସହଜରେ ଭାଙ୍ଗି ଯାଏନା । ମୃଣାଳବାକୁ ସେ ସବୁ ନିଜ ଉପସ୍ଥିତିରେ କରାଉଥାନ୍ତି ।

 

କୁମାରପୂର୍ଣ୍ଣମୀ, ଆଶ୍ଵିନ ମାସର ନିର୍ମଳ ଆକାଶ, ସଫା ଜହ୍ନ । ଝିଅମାନେ ଖେଳନ୍ତି, ମନମତାଣିଆ ଗୀତ ଗାଆନ୍ତି । ପୂଜା କରନ୍ତି, ଗୋପନ କଥା ଠାକୁରାଣୀଙ୍କୁ ତୁନି ତୁନି କରି କହନ୍ତି, ଏଇ ଜହ୍ନମାମୁଁ ଭଳି ଗୋଟିଏ ସୁନ୍ଦର ବର ତାଙ୍କୁ ମିଳୁ । ବାହାଘର ସରିଲେ, ସେ କୁଆଁରୀ ଦିନର ଖେଳ ଆଉ ପୂଜା ବନ୍ଦ ହୁଏ । ତଥାପି ପୂର୍ଣ୍ଣମୀ ଦିନ ପୁରୁଣାଦିନ କଥା ମନେ ପଡ଼େ । ଅନ୍ତତଃ ପିଠାପଣା ଖାଇ ପୁରୁଣାସ୍ମୃତିକୁ ବଜାଏ ରଖନ୍ତି । ସୁନନ୍ଦାଦେବୀ ସେହି ପର୍ବ ପାଳନ ପାଇଁ ଘରେ ଖାଇବା ପିଇବାର ବ୍ୟବସ୍ଥା କରିଥାନ୍ତି । ମୃଣାଳବାବୁଙ୍କୁ ବହୁତ କରି କହିଥାନ୍ତି ଶୀଘ୍ର ଆସିବାପାଇଁ । କିନ୍ତୁ ସେ କାମ ପାଖକୁ ଯାଇ ଘର କଥା ଭୁଲିଗଲେ । ଗର୍ଡ଼ରର ତାର ଟଣା କାମ ଲାଗିଲା ଯେ ସନ୍ଧ୍ୟା ପର୍ଯ୍ୟନ୍ତ ସରିବାର ଆଶା ନାହିଁ । ଦିନ ଦୁଇଟା ବେଳକୁ ମିସ୍ତ୍ରିମାନେ ହାଲିଆ ହୋଇ କାମ କରି ପାରିଲେନି । ମୃଣାଳବାବୁଙ୍କର ଖିଆଲ ହୋଲା ଯେ ମିସ୍ତ୍ରିମାନେ ଖାଇ ନାହାନ୍ତି । ସେମାନଙ୍କୁ ଛୁଟି ଦେଇ ବସି ପଡ଼ିଲେ । ସୁନନ୍ଦାଦେବୀଙ୍କୁ କଥା ଦେଇ ଆସିଛନ୍ତି ଖାଇବାକୁ ଯିବାପାଇଁ । କିନ୍ତୁ ଏଣେ ଗୋଟାଏ କାମ ଶେଷ ହୋଇନି । ଘରକୁ ଯାଇ ପାରିଲେନି । ହେଡ଼୍ ମିସ୍ତ୍ରି ମୃଣାଳବାବୁଙ୍କୁ ଖାଇବାକୁ ଯିବାକୁ ଅନୁରୋଧ କଲା । ସେ ଘରକୁ ଯିବା ପରିବର୍ତ୍ତେ ଖାଇ ବସିଲେ ମିସ୍ତ୍ରିମାନଙ୍କ ସାଙ୍ଗରେ । ବଡ଼ ସାନର ବିଚାର ନାହିଁ, ସମସ୍ତେ ମଣିଷ । ବିନା ଦ୍ଵିଧାରେ ମୃଣାଳବାବୁ ଭାତ ଡାଲ୍‍ଣା ଖାଇ ପୁଣି କାମରେ ଲାଗିଲେ ।

 

ଏଣିକି ଗର୍ଡ଼ରଗୁଡ଼ିକୁ ନେଇ କେବଳ ପାହିଆ ଉପରେ ରଖାଯିବ । ବିୟରିଙ୍ଗ୍‍ ସବୁ ବି ଆସି ଯାଇଛି । ଗର୍ଡ଼ରଗୁଡ଼ିକୁ ଠିକ୍‍ ସ୍ଥାନରେ ରଖିବା ପାଇଁ ଆଉ ଗୋଟିଏ ଷ୍ଟିଲ ତିଆରି ଲଞ୍ଚିଙ୍ଗ ଗର୍ଡ଼ର ଆସିଛି । କଣ୍ଟା ସାହାଯ୍ୟରେ କଣ୍ଟାକୁ କାଢ଼ିବା କଥା । ଏହି ଲଞ୍ଚିଙ୍ଗ ଗର୍ଡ଼ର ପ୍ରିଷ୍ଟ୍ରେସଡ଼୍‍ ଗର୍ଡ଼ରର ପ୍ରାୟ ଦୁଇଗୁଣ ଲମ୍ବ । ତା’ ଉପରେ ଟ୍ରଲି ସାହାଯ୍ୟରେ ଗର୍ଡ଼ରକୁ ନେଇ ପାହିଆ ଉପରେ ରଖି ଦିଆଯିବ ।

 

ଲଞ୍ଚିଙ୍ଗ କାମ ଆରମ୍ଭ ହେଲା । ମୃଣାଳବାବୁ ଆତ୍ମବିଭୋର । ବିନା ବାଧାରେ ପୋଲକାମ ଶେଷ ହେବା ଉପରେ, ତାଙ୍କ ଗୌରବମୟ ଜୀବନରେ ଏ ଆଉ ଗୋଟାଏ କୃତିତ୍ଵ । ସୁନନ୍ଦାଦେବୀଙ୍କୁ ନେଇ କେତେଥର ପୋଲକାମ ଦେଖାଇ ଆଣିଲେଣି । ବିଶେଷତଃ ଏହି ଗର୍ଡ଼ର ଥୋଇବା କାମଟା ଦେଖିବା ଯୋଗ୍ୟ । ଖୁବ୍‍ ସାବଧାନରେ କାମ କରାଇବା କଥା । ତା’ ନ ହେଲେ ପ୍ରତି ମୁହୂର୍ତ୍ତରେ ବିପଦ ।

 

ପୋଲର ଅଧେ ଅଂଶ ଉପରେ ଗର୍ଡ଼ର ସବୁ ପାହିଆ ଉପରେ ରଖି ଦିଆଗଲା । ଖରାଦିନ ଆହୁରି ଦୁଇମାସ ଅଛି, ବର୍ଷା ଆରମ୍ଭ ବେଳକୁ କାମ ନିଶ୍ଚୟ ଶେଷ ହୋଇଯିବ । ଚଇତିମାସର ଅମାନିଆ ବାଆ । କାହୁଁ କୁଆଡ଼ୁ ମେଘ ଉଡ଼ାଇ ଆସିଲା । ଅଦିନିଆ ବେଶ୍‍ ମେଘ ଅସରାଏ ହୋଇଗଲା । ଥଣ୍ଡାପବନଟା ବହିଲା, ଦିନସାରା ଝିପି ଝିପି ମେଘ ହେଉଥାଏ । ଶ୍ରମିକ ଆଉ ମିସ୍ତ୍ରିମାନେ ଘରେ ବସିଥାନ୍ତି । କାମ କରିବାକୁ କାହାରି ଆଗ୍ରହ ନ ଥାଏ ।

 

ସୁନନ୍ଦାଦେବୀଙ୍କୁ ପାଗଟା ଭଲଲାଗୁ ନଥାଏ । କାହିଁକି ଗୋଟାଏ ତାଙ୍କ ମନ ଗୁଡ଼େଇ ତୁଡ଼େଇ ହେଉଥାଏ । ମୃଣାଳବାବୁ କାମକୁ ବାହାରିଲେ । ସୁନନ୍ଦାଦେବୀ ତାଙ୍କ କାମରେ କେବେ ବାଧା ଦେଇ ନାହାନ୍ତି । ସେ ଦିନ କାମ ବନ୍ଦ କରିବାକୁ ସେ ଖୁବ୍‍ ଅନୁରୋଧ କଲେ । କୌଣସି ଗୋଟାଏ ଅଜଣା ଆଶଙ୍କା ତାଙ୍କ ମନକୁ ଘେରି ରହିଥାଏ ।

ମୃଣାଳବାବୁ କିଛି ନ ଶୁଣି କାମ ଉପରକୁ ଗଲେ । ଶ୍ରମିକମାନଙ୍କୁ ବାଧ୍ୟକରି ଡାକି ଆଣିଲେ । ସେଇ ମେଘରେ କାମ ଚାଲିଲା । ଲଞ୍ଚିଙ୍ଗ ଗର୍ଡ଼ର ଧୀରେ ଧୀରେ ଗୋଟିଏ ପାହିଆ ଉପରୁ ଅନ୍ୟ ପାହିଆ ଉପରକୁ ଘୁଞ୍ଚି ଚାଲିଲା । ମୃଣାଳବାବୁ ନଦୀ ଭିତରେ ଥାଇ ନିର୍ଦ୍ଦେଶ ଦେଉଥାନ୍ତି ।

କିନ୍ତୁ ହଠାତ୍‍ ସମସ୍ତେ ଏକାଥରେ ଚିତ୍କାର କରି ଉଠିଲେ । ଲଞ୍ଚିଙ୍ଗ ଗର୍ଡ଼ର ପାହିଆ ଉପରୁ ତଳକୁ ଖସି ତଳେ ଦୁମ୍‍କରି କଚାଡ଼ି ହୋଇ ପଡ଼ିଲା । ଏଥିପାଇଁ କେହି ସାବଧାନ ନ ଥିଲେ-। ସମସ୍ତେ ଇତସ୍ତତଃ ହୋଇ ଏଣେତେଣେ ଦଉଡ଼ିବାକୁ ଲାଗିଲେ । ଖୋଜା ଚାଲିଲା ପରାମର୍ଶଦାତା ମୃଣାଳବାବୁଙ୍କୁ, କିନ୍ତୁ ସେ କାହାନ୍ତି ? ହାୟରେ ଦୁର୍ଭାଗ୍ୟ । ସମସ୍ତେ ଦେଖିଲେ ମୃଣାଳବାବୁ ଗର୍ଡ଼ର ତଳେ ଚାପିହୋଇ ପଡ଼ିଛନ୍ତି । ହୁଏତ ଅନେକବେଳୁ ସେ ଶେଷନିଃଶ୍ଵାସ ଛାଡ଼ିଛନ୍ତି । ତାଙ୍କରି ହାତ ତିଆରି ଗର୍ଡ଼ର ଖାଇଛି ତାଙ୍କରି ରକ୍ତ । ପୋଲ ପାଖରେ ଶୋକର ଛାୟା ଖେଳିଗଲା ।

ଦୁର୍ଘଟଣା ହିଁ ଦୁର୍ଘଟଣା । ମଣିଷ ଯେତେ ସାବଧାନ ହେଲେ ବି ସେ ଘଟେ । ଏ ହୋଇପାରେ ବିଧିର ବିଧାନ, ମଣିଷର ବା ଶକ୍ତି କେତେ ? ମୃଣାଳବାବୁ ପୋଲର ସହିଦ ହେଲେ, ପୋଲର ଗୋଟିଏ ମୁଣ୍ଡରେ ମୃଣାଳବାବୁଙ୍କ ସମାଧି ଉପରେ ଗଢ଼ି ଉଠିଲା ‘‘ମୃଣାଳ ମିନାର ।’’

 

ପୋଲକାମ ପୁଣି ଲାଗିଲା ଆଉ ଶେଷ ହେଲା । ତା’ର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ । ସୁନନ୍ଦାଦେବୀଙ୍କ ପାଖକୁ ନିମନ୍ତ୍ରଣ ଗଲା । ସ୍ଵାମୀଙ୍କର ଶେଷକାମ । ଯାହାପାଇଁ ସେ ଜୀବନ ଦେଇଛନ୍ତି, ତାଙ୍କର ସେ ସ୍ମରଣୀୟ । ସୁନନ୍ଦାଦେବୀ ଆସିଲେ ।

 

ସେ ଦିନ ପୋଲ ପାଖରେ ହଜାର ହଜାର ଲୋକ । ସମସ୍ତେ ଗଲେ ସେହି ସ୍ତମ୍ଭ ନିକଟକୁ । ଅଗଣିତ ଜନତାର ମୁହଁରେ ଭାଷା ନାହିଁ । ସ୍ତମ୍ଭ ନିକଟରେ ନତମସ୍ତକ ହୋଇ ସମସ୍ତେ ନୀରବ ପ୍ରାର୍ଥନା କଲେ, ମୃଣାଳବାବୁଙ୍କ ଆତ୍ମାର ସଦ୍‍ଗତି ହେଉ । ସୁନନ୍ଦାଦେବୀଙ୍କ ଆଖିରୁ ଗଡ଼ି ଚାଲିଥାଏ ଲୁହର ଗଙ୍ଗାଧାର ।

Image